)
Delhi Lal Quila blast: ସୋମବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର ବୋମା ବିସ୍ଫୋରଣର ତଦନ୍ତ ଏବେ ଜାତୀୟ ତଦନ୍ତ ସଂସ୍ଥା (NIA) କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇ NIAକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅନୀତ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ NIA ଦ୍ୱାରା ବିସ୍ଫୋରଣର ତଦନ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଘଟଣାସ୍ଥଳରୁ ବିସ୍ଫୋରଣ ସମ୍ପର୍କରେ ସୁରାକ ସଂଗ୍ରହ କରୁଛନ୍ତି। NIAକୁ ମାମଲା ହସ୍ତାନ୍ତର କରିବାର ମୁଖ୍ୟ କାରଣ ଏହି ବିସ୍ଫୋରଣର ଅନେକ ରାଜ୍ୟ ସହିତ ଲିଙ୍କ୍ ବୋଲି କୁହାଯାଉଛି।
ସୂତ୍ର ଅନୁସାରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ (IB) ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ଏବଂ ଜାତୀୟ ତଦନ୍ତ ଏଜେନ୍ସି (NIA) ନିର୍ଦ୍ଦେଶକ ଜେନେରାଲ ସଦାନନ୍ଦ ବସନ୍ତ ଦାତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଯେତେବେଳେ କି ଜମ୍ମୁ ଏବଂ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ (DGP) ନଳିନ ପ୍ରଭାତ ଡିଜିଟାଲ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।
ଦିଲ୍ଲୀ ପୋଲିସ ଏହି ମାମଲାରେ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଏବଂ ବିସ୍ଫୋରକ ଆଇନର ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରିଛି। ଯାହା ଆତଙ୍କବାଦୀ କାର୍ଯ୍ୟ କରିବାର ଷଡ଼ଯନ୍ତ୍ର ଏବଂ ଏପରି ଅପରାଧ ପାଇଁ ଦଣ୍ଡ ସହିତ ଜଡିତ। ସେମାନେ ଜାତୀୟ ରାଜଧାନୀର ଅନେକ ସ୍ଥାନରେ ଚଢାଉ ମଧ୍ୟ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା କାରର ଡ୍ରାଇଭରଙ୍କ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି।
ଜାତୀୟ ରାଜଧାନୀ ବର୍ତ୍ତମାନ ହାଇ ଆଲର୍ଟରେ ଅଛି ଏବଂ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲରେ କଡ଼ା ସତର୍କତା ଅବଲମ୍ବନ କରାଯାଉଛି। ସୂତ୍ର ଅନୁଯାୟୀ ପୁଲୱାମାର ବାସିନ୍ଦା ଏବଂ ପେଶାରେ ଡାକ୍ତର ଉମର ମହମ୍ମଦ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟ ପାର୍କିଂ ଅଞ୍ଚଳରେ ବିସ୍ଫୋରଣରେ ବ୍ୟବହୃତ ହୁଣ୍ଡାଇ ଆଇ୨୦ କାର ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି।
ପୋଲିସ ସୂତ୍ର ଅନୁଯାୟୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା କାର ଚଳାଉଥିବା ବ୍ୟକ୍ତିଙ୍କ ପ୍ରଥମ ଚିତ୍ର ଅଞ୍ଚଳର ସିସିଟିଭି ଫୁଟେଜ୍ ରୁ ସାମ୍ନାକୁ ଆସିଛି। ସେମାନେ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କର ଫରିଦାବାଦର ଏକ ଆତଙ୍କବାଦୀ ମଡ୍ୟୁଲ୍ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଯେଉଁଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ପୋଲିସ ସୂତ୍ର କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟ୍, ଇନ୍ଧନ ତେଲ ଏବଂ ଏକ ଡେଟୋନେଟର୍ ବ୍ୟବହାର କରାଯାଇଥାଇପାରେ। ଯେଉଁଥିରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ପୋଲିସ ସୂତ୍ର କହିଛି ଯେ ପ୍ରାଥମିକ ତଦନ୍ତରୁ ଦିଲ୍ଲୀ ବିସ୍ଫୋରଣ ଏବଂ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍ ସୂଚିତ ହେଉଛି। ଯେଉଁଠାରୁ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଜବତ କରାଯାଇଥିଲା। ବର୍ତ୍ତମାନ ଚୂଡ଼ାନ୍ତ ରିପୋର୍ଟ ଅପେକ୍ଷା କରାଯାଇଛି।
ସୋମବାର ସନ୍ଧ୍ୟାରେ ଜାତୀୟ ରାଜଧାନୀରେ ଏକ ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ବିସ୍ଫୋରଣ ସମୟରେ କାରଟି ଧୀରେ ଚାଲୁଥିଲା ଏବଂ ଲାଲକିଲ୍ଲା ଅଞ୍ଚଳ ନିକଟରେ ଏକ ଟ୍ରାଫିକ୍ ସିଗନାଲରେ ଅଟକି ଯାଇଥିଲା। ଏଠାର ବିସ୍ଫୋରଣ ହେବା ଫଳରେ ନିକଟରେ ଥିବା ଅନେକ ଯାନବାହନରେ ନିଆଁ ଲାଗିଯାଇଥିଲା।