)
କଟକ: ୨୪ ଘଣ୍ଟା ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ବନ୍ଦ ପରେ ବି କଟକରେ ପରିସ୍ଥିତିdରେ ଆଶାନୁଯାୟୀ ସୁଧାର ଆସିନି । ମଙ୍ଗଳବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିବ । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ଲାଗିଥିଲା ପରିସ୍ଥିତିରେ ସୁଧାର ଆଣିବାକୁ ଏହାକୁ କଟକଣା ବଢାଯାଇଛି । ପୂର୍ବ ପରି ହ୍ବାଟ୍ସ ଆପ୍, ଫେସବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ ବନ୍ଦ ନେଇ ନିର୍ଦ୍ଦେଶ ଜାରି ହୋଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ନିକଟରେ କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି ।
ସହରର କିଛି ଅସାମାଜିକ ବ୍ୟକ୍ତି ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ଭାବରେ ଗୁଜବ ପ୍ରଚାର କରିବା ଉଦ୍ଦେଶ୍ୟରେ ଆପତ୍ତିଜନକ ତଥ୍ୟ ପ୍ରସାର କରିବା ପାଇଁ ଇଣ୍ଟରନେଟ୍ ବ୍ୟବହାର କରିପାରନ୍ତି । ଯାହା ଦ୍ଵାରା ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଚିଠିରେ ଦର୍ଶାଯାଇଛି । କେହି ଆଦେଶର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଦୂର୍ଗାପୂଜା ଭସାଣ ଗଣ୍ଡଗୋଳ ପରେ କଟକ ଅଶାନ୍ତ ହୋଇପଡିଥିଲା । ଫଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣ୍ଡଗୋଳ ପରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଥିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ସ୍ଥିତି ଅନୁଧ୍ୟାନ ପରେ ପ୍ରତିକ୍ରିୟା ଦେଇ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରିଛନ୍ତି ପୋଲିସ ଡିଜି । ସୋସିଆଲ୍ ମିଡିଆରେ ଚାଲୁଥିବା ତଥ୍ୟ ଉପରେ ବିଶ୍ବାସ କରନ୍ତୁ ନାହିଁ ଏବଂ ପୋଲିସ ୱେବସାଇଟ୍ରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ବାସ କରନ୍ତୁ ବୋଲି ୱାଇ.ବି ଖୁରାନିଆ କହିଛନ୍ତି ।
ଅନ୍ୟପଟେ, ମେୟର ସୁବାସ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଇଚାରାର ସହର କଟକରେ ଏଭଳି କେବେ ହୋଇ ନଥିଲା, ପୂଜାପାର୍ବଣରେ ସମସ୍ତେ ଏକକାର ହୋଇଯାଆନ୍ତି, ଯାହା ଘଟିଲା ଦୁର୍ଭାଗ୍ୟଜନକ । ପ୍ରଶାସନ କଠୋର ହସ୍ତରେ ଦମନ କରନ୍ତୁ ଏବଂ ଶାନ୍ତି ଫେରାଇ ଆଣନ୍ତୁ ବୋଲି ସୁବାସ ସିଂ କହିଛନ୍ତି ।
କଟକରେ ଶାନ୍ତି ବଜାୟ ରଖିବାକୁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଅପିଲ୍ କରି କହିଛନ୍ତି ଯେ, ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ଶାନ୍ତି ପାଇଁ ସମସ୍ତେ ଆଗେଇ ଆସନ୍ତୁ ।