)
ଭୁବନେଶ୍ୱର: ବିଶ୍ୱବ୍ୟାପୀ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେବା ଜାରି ରଖିଛି ଇସ୍କନ୍। ପରମ୍ପରା ଓ ଭକକ୍ତିଭାବକୁ ଦଳୀୟ ଚକଟି ଏହି ସମାଜ ବିଦେଶରେ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଆୟୋଜନ କରିବା ଜାରି ରଖିଛି। ଏହାଦ୍ୱାରା ଭକ୍ତି ବା ଜଗନ୍ନାଥ ଚେତନା ପ୍ରସାରଣ ନୁହେଁ ବରଂ ବ୍ୟବସାୟକୁ ଇସ୍କନ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହୋଇଛି।
ସୋଶାଲ୍ ମିଡିଆରେ ଘୂରିବୁଲୁଥିବା ଅନ୍ଲାଇନ୍ ନିମନ୍ତ୍ରଣ ଅନୁସାରେ ଇସ୍କନ ଶୀତଦିନେ ଏକ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ତାରିଖ, ସମୟ ଓ ସ୍ଥାନ ନିରୀକ୍ଷଣ କରାଯାଇଛି। ଏହି ନିମନ୍ତ୍ରଣପତ୍ର ଅନୁସାରେ ତାଇଓ୍ୱାନରେ ରଥଯାତ୍ରା ଆୟୋଜନ ହେବ। ଜିମେଣ୍ଡିଙ୍ଗରେ ଏହି ରଥଯାତ୍ରା ନଭେମ୍ବର ୨୩ ତାରିଖରେ ହେବ। ଏହିଦିନ ରବିବାର ପଡ଼ୁଛି ଆଉ ଅପରାହ୍ଣ ୩ଟା ୩୦ରୁ ୬ଟା ୩୦ ଯାଏ ଏହି ଉତ୍ସବ ଆୟୋଜନ କରାଯାଇଥିବା ଇସ୍କନ ପକ୍ଷରୁ କୁହାଯାଇଛି।
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ଇସ୍କନକୁ ଏପରି ଅଦିନିଆ ରଥଯାତ୍ରା ଆୟୋଜନ କରିବା ନେଇ ଆପତ୍ତି ଜାରି କରାଯାଇଛି। ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ଅନୁସାରେ ନିର୍ଦ୍ଧାରିତ ତିଥି ଅନୁସାରେ ରଥଯାତ୍ରା ପାଳନ କରିବାକୁ କୁହାଯାଇଛି। ଏ ନେଇ ବାରମ୍ବାର ଇସ୍କନ କର୍ତ୍ତୃପକ୍ଷଙ୍କ ସହ ଶାସ୍ତ୍ର ଅନୁସାରେ ଆଲୋଚନା ହୋଇଛି। ଗଜପତି ମହାରାଜା ଏ ସମ୍ପର୍କରେ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି। କିନ୍ତୁ ଇସ୍କନ ଏହାକୁ ବେଖାତିର କରିଛି। ଆଉ ତାଇଓ୍ୱାନରେ ତାଇପେଇଠାରେ ଆୟୋଜନ ହେବାକୁ ଯାଉଛି ରଥଯାତ୍ରା ଯାହାର ନାଁ ରହିଛି ‘ଚାରିୟଟ ପରେଡ୍ ଇନ ତାଇପେଇ’।
ସୂଚନା ଅନୁସାରେ ମାର୍ଚ୍ଚ ୨୦୨୫ରେ ଏହିପରି ଏକ ଆଲୋଚନା ହୋଇଥିଲା। ଏଥିରେ ପୁରୀ ଶ୍ରୀମନ୍ଦିରର ତିଥି ଅନୁସାରେ ରଥଯାତ୍ରା ପାଳନ କରିବାକୁ ରାଜି ହୋଇଥିଲା ଇସ୍କନ। ଏହି ଅନୁସାରେ ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଯାତ୍ରା ଏବଂ ଆଷାଢ଼ରେ ରଥଯାତ୍ରା ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଏହାକୁ ଅମାନ୍ୟ କରିଥିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୬ ସେପ୍ଟେମ୍ବରରେ ଏକ ଚିଠି ଲେଖାଯାଇଥିଲା। ଅକ୍ଟୋବରରେ ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଇସ୍କନର ଏହି ନୀତିକୁ ନିନ୍ଦା କରିଥିଲେ।
ତଥାପି ଏକ ବ୍ୟବସାୟିକ ଢଙ୍ଗରେ ଭିନ୍ନ ଭିନ୍ନ ସମୟର ରଥଯାତ୍ରା ଆୟୋଜନ କରି ଏହା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଉଛି ବୋଲି ସୋଶାଲ୍ ମିଡିଆରେ ଚର୍ଚ୍ଚା ହେଉଛି।