)
ଭୁବନେଶ୍ୱର: ପୁଣି ଥରେ କିଟ୍ ରେ ଜଣେ ଛାତ୍ର ଜୀବନ ହାରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ ତୃତୀୟ ଥର ପାଇଁ ଘଟିଛି ଏପରି ସାଂଘାତିକ କାଣ୍ଡ। ଘଟଣାରେ କମିସନରେଟ୍ ପୋଲିସ୍ର ପ୍ରେସ୍ ରିଲିଜ୍ ଜାରି କରି କହିଛି ଯେ, ଗତକାଲି ରାତି ୧୦ଟା ୪୫ରେ ଖବର ପାଇଥିଲା ଇନଫୋସିଟି ଥାନା ପୋଲିସ୍ ।
ପୋଲିସ ସୂଚନାରେ ଉଲ୍ଲେଖ ରହିଛି ଯେ, ପୋଲିସ ଖବର ପାଇ ତୁରନ୍ତ ହଷ୍ଟେଲକୁ ଯିବା ସହ ଭିତର ପଟୁ କବାଟ ବନ୍ଦ ଥିବା ଦେଖିଥିଲା । ପରେ କବାଟ ଭାଙ୍ଗି ଭିତରକୁ ପ୍ରବେଶ ବେଳେ ଛାତ୍ର ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲା । ତାଙ୍କୁ ତୁରନ୍ତ କିମ୍ସ ହସପିଟାଲ ନିଆଯାଇଥିଲା ଓ ସେଠାରେ ଡାକ୍ତର ଛାତ୍ରଜଣଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଇନଫୋସିଟି ଥାନାରେ କେସ୍ ନଂ- ୧୫୩ରେ ମାମଲା ରୁଜୁ ହୋଇଛି । ଛତିଶଗଡ଼ର ରାଇଘରରେ ରହୁଥିବା ଛାତ୍ରଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଖବର ଦିଆଯାଇଛି । ପରିବାର ଲୋକ ଆସିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି କମିସନରେଟ୍ ପୋଲିସ୍ କହିଛି । କ୍ୟାମ୍ପସରେ ଉତ୍ତେଜନା ପାଇଁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଛାତ୍ରଙ୍କର ଗୋଟିଏ ଓ ଲାପଟପ୍ ଜବତ ହେବା ସହ ତଦନ୍ତ ଜାରି ରହିଛି ।
ଅନ୍ୟପଟେ, କିଟ୍ ଛାତ୍ର ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ସେ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ସରକାର ଏହାକୁ ତଦନ୍ତ ପରିସରଭୁକ୍ତ କରନ୍ତୁ ବୋଲି କହିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଯେଉଁମାନେ ଓଡ଼ିଶା ଅସୁଥିଲେ ସେମାନେ ଆଉ ଆସିବେନି ବୋଲି ପ୍ରଦୀପ କହିଛନ୍ତି ।
ସେହିପରି ବିଧାୟକ ସରୋଜ ପାଢ଼ୀ କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଯେ, କିଟ୍ ଆଡମିନିଷ୍ଟ୍ରେସନ ଭୁଶୁଡ଼ି ଗଲା ପରି ଲାଗୁଛି ଓଡ଼ିଶାର ନାଁ ବଦନାମ କରିବାକୁ କିଟ୍କୁ କୁହାଯାଇ ନାହିଁ । କିଟ୍ର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କୌଣସି ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ । ଆମେ ମଧ୍ୟ କିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ ଏବଂ କିଟ୍ର ମନମାନୀ ଆଉ ଚଳିବ ନାହିଁ ବୋଲି ସରୋଜ କହିଛନ୍ତି । ଅନ୍ୟପଟେ, ବିଧାନସଭାରେ କିଟ୍ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ।
ଛାତ୍ର ଆତ୍ମହତ୍ୟା ଘଟଣାକୁ ସ୍ବୀକାର କରି ପ୍ରେସ୍ ରିଲିଜ ଜରିଆରେ ପକ୍ଷ ରଖିଛି କିଟ୍ । ଲୋକ ସମ୍ପର୍କ ନିର୍ଦ୍ଦେଶିକା ସୂଚନା ଜାରି କରି କହିଛନ୍ତି ଯେ, ସତ୍ୟ ଖବର ପ୍ରସାରଣକୁ ଅତିରଂଜିତ ବୋଲି ଲେଖିଛନ୍ତି । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଛୁ ଏବଂ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ।