Live Now

Odisha News Live Updates: ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
20 February 2024 11:15 PM (IST)

ଶିବରାତ୍ରୀ ପରିଚାଳନା ଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ବୈଠକ

ରାତି ୧୦ଟାରୁ ରାତି ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ନିଯୋଗର ସହାୟତାକ୍ରମେ ଏହି ନିର୍ଦ୍ଧାରଣ ପାଳନ ହୋଇପାରିବ ବୋଲି ସେବାୟତମାନେ ଆଶା ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। 

20 February 2024 11:00 PM (IST)

ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି

ଗୋଟିଏପଟେ କୋର୍ଟ ଏ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିବା ସହ ଯେଉଁ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବନ୍ଧକ ରଖୁଛି ସେ କେବେ ଖସିପଳାଇପାରିବେ ନାହିଁ କି ସରକାର ତାଙ୍କୁ ସମର୍ଥନ କରିବାର କିଛି କାରଣ ନାହିଁ ବୋଲି କହିଛନ୍ତି କୋର୍ଟ। ଏହି ଘଟଣା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଦେଶଖାଲି ଗସ୍ତରେ ଯାଇପାରନ୍ତି ବୋ ସୂଚନା ମିଳିଛି। ଅପରପକ୍ଷେ ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଓ ଅନ୍ୟମାନେ ଶିଖ୍‍ ପୁଲି ଅଧିକାରୀଙ୍କୁ ଖଲିସ୍ତାନୀ କହିଥିବା ଅଭିଯୋଗ ହୋଇଛି।

20 February 2024 10:45 PM (IST)

ଚଣ୍ଡିଗଡ଼ ପାଇଁ ନୂଆ ମେୟରଙ୍କ ନାମ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ

ଆପ୍‍-କଂଗ୍ରେସ ପ୍ରାର୍ଥୀ କୁଲଦୀପ କୁମାର ଏବେ ଚଣ୍ଡିଗଡ଼ର ମେୟର ହେବେ। ପୂର୍ବରୁ ଆସିଥିବା ନିର୍ବାଚନ ଫଳାଫଳକୁ ରଦ୍ଦ କରିବା ସହ ମାମଲାର ବିଚାର କରି କୋର୍ଟ ରିଟର୍ଣ୍ଣିଂ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ କରିଛନ୍ତି।

20 February 2024 10:30 PM (IST)

Onion-Garlic price hike:ରସୁଣ କିଲୋ ୬ଶହ ପରେ ଏବେ କ’ଣ ପାଇଁ କନ୍ଦାଉଛି ପିଆଜ ? 

ରସୁଣର ମୂଲ୍ୟ ବୃଦ୍ଧି ହେତୁ ରୋଷେଇ ଘରର ବଜେଟ୍ ସଂପୂର୍ଣ୍ଣ ଭାବେ ଏପଟସେପଟ ହୋଇଯାଇଛି । ଏହାରି ଭିତରେ ପିଆଜର ଖୁଚୁରା ମୂଲ୍ୟ ବି ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି ।  ପିଆଜ ଦର ବୃଦ୍ଧି ଉଭୟ ଘର ରୋଷେଇ ଘର ଏବଂ ରେସ୍ତୋଁରା  ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଅଧିକ ପଢ଼ନ୍ତୁ...

20 February 2024 10:15 PM (IST)

Mcdonalds defrauded:ଚାଟ୍ ଜିପିଟି ସାହାଯ୍ୟରେ ମାକ୍ ଡୋନାଲ୍ଡକୁ ଠକି ମାଗଣାରେ ଖାଇଲେ ବର୍ଗର !

ବର୍ତ୍ତମାନର ସମୟ  ହେଉଛି AI ର ଯୁଗ । ଆଜିକାଲି ଚାଟ୍ ଜିପିଟି ବିଷୟରେ ସବୁଆଡେ ଆଲୋଚନା ହେଉଛି । ସମସ୍ତେ ଏହାକୁ ବୁଝିବାକୁ ଚାହାଁନ୍ତି ଏବଂ କମ୍ ସମୟ ମଧ୍ୟରେ ଏହାକୁ ବ୍ୟବହାର କରି ନିଜ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି । ଚାଟ୍ ଜିପିଟି ଆପଣ ପଚାରିଥିବା ଯେକୌଣସି  ପ୍ରଶ୍ନର ଉତ୍ତର ସହଜରେ ଏବଂ କମ୍ ସମୟ ମଧ୍ୟରେ  ଦେଇପାରେ । କିନ୍ତୁ ଏହା ଆବଶ୍ୟକ ନୁହେଁ ଯେ ସମସ୍ତେ ଏଆଇ ବଟ୍କୁ କେବଳ ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବେ । ବହୁତ ଲୋକ ଅଛନ୍ତି ଯେଉଁମାନେ ଏଆଇର  ଫାଇଦା ଉଠାଇ,ଅନ୍ୟମାନଙ୍କୁ ଠକୁଛନ୍ତି । ସେହିଭଳି ଗୋଟିଏ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ଜଣ ବ୍ୟକ୍ତି ଚାଟ୍ ଜିପିଟି ବ୍ୟବହାର କରି  ମାକଡୋନାଲ୍ଡକୁ ଠକି ମାଗଣା ବର୍ଗର ଖାଇଛନ୍ତି । ଅଧିକ ପଢ଼ନ୍ତୁ...

20 February 2024 10:00 PM (IST)

ଦିଲ୍ଲୀ ସୀମାରେ ପୁଲିସ ସୁରକ୍ଷା କଡ଼ାକଡ଼ି

ଆସନ୍ତା କାଲିଠାରୁ ଦିଲ୍ଲୀ ଭିତରକୁ କୃଷକମାନେ ଶୋଭାଯାତ୍ରାରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିବାରୁ ପୁଲିସ ଏହି ପଦକ୍ଷେକ୍ଷ ନେଇଛି। ୨୩ଟି ଶସ୍ୟକୁ ଏମ୍‍ଏସ୍‍ପି ଗ୍ୟାରେଣ୍ଟି ଦେବା ଲାଗି କୃଷକ ସଂଗଠନ ମାନେ ସରକାରଙ୍କ ଆଗରେ ଦାବି ରଖିଛନ୍ତି। ହେଲେ କେନ୍ଦ୍ର ସରକାର ୫ଟି ଉତ୍ପାଦ ଉପରେ ଦିଆଯାଉଥିବା ଏମ୍‍ଏସ୍‍ପି ଆସନ୍ତା ୫ ବର୍ଷ ଯାଏ ଜାରି ରହିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ଚାଷୀ। 

20 February 2024 09:45 PM (IST)

ପୁଣି ମାଆ ହେଲେ ଅନୁଷ୍କା, ଏହି ଦିନ  ଜନ୍ମ ହୋଇଥିଲା ପୁତ୍ର ସନ୍ତାନ

ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି  ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। କୋହଲି ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ପୁଅ ୧୫ ଫେବୃଆରୀରେ ଜନ୍ମ ହୋଇଛି।

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। କୋହଲି ତାଙ୍କ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ପୁଅ ୧୫ ଫେବୃଆରୀରେ ଜନ୍ମ ହୋଇଥିଲା। ଏହି ସମୟ ମଧ୍ୟରେ କୋହଲି ପ୍ରଶଂସକଙ୍କ ସହ ତାଙ୍କ ପୁଅର ନାମ ମଧ୍ୟ ସେୟାର କରିଛନ୍ତି। କୋହଲି ତାଙ୍କ ପୁଅର ନାମ 'ଆକାୟ' ରଖିଛନ୍ତି।

20 February 2024 09:30 PM (IST)

ରାଜ୍ୟ ସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ କକ୍ଷ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ରାଜ୍ୟ ସ୍ତରୀୟ ଜଳ ଗୁଣବତ୍ତା ନିଶ୍ଚିତକରଣ ସେଲ ଉଦଘାଟନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ ଏହି ସେଲର ଉଦଘାଟନ କରିଛନ୍ତି । ଏହା ଉନ୍ନତ ଜଳ ଗୁଣବତ୍ତା ମନିଟରିଂ ଏବଂ ନୀରିକ୍ଷଣକୁ ସୁଗମ କରିବ ଏହାସହ ରାଜ୍ୟର ସମସ୍ତ ସହରରେ ଜଳ ଉତ୍ସଠୁ ଗ୍ରାହକଙ୍କ ଘର ପର‌୍ୟ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିନ୍ତ କରିବ। ଅଧିକ ପଢ଼ନ୍ତୁ...

20 February 2024 09:15 PM (IST)

ରାଜ୍ୟର ଉତପ୍ତ ସହର ପାଲଟିଲା ରାଜଧାନୀ

ଭୁବନେଶ୍ୱର: ଆଜି ରାଜ୍ୟର ୧୫ଟି ସହରରେ ଦିନ ସମୟର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସେମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ରହିଥିବା ରିପୋର୍ଟ ଆସିଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଭୁବନେଶ୍ୱରରେ ଆଜି ୩୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା । ଏହା ପଛକୁ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

20 February 2024 08:45 PM (IST)

ପୁରୀ-କୋଣାର୍କ ରେଳ ଲାଇନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ : ଅଶ୍ୱିନୀ ବୈଷ୍ଣବ 

ଭୁବନେଶ୍ୱର: ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବହୁ ପ୍ରତୀକ୍ଷିତ ଜନ ଆକାଂକ୍ଷା ପୁରୀ-କୋଣାର୍କ ରେଳ ଲାଇନକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଅନୁମୋଦନ କରିଛନ୍ତି । ଏହି ୩୨ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ଏବଂ ପାଣ୍ଠି ଉପଲବ୍ଧ ଅଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ରେଳ ଲାଇନ ନିର୍ମାଣ ପାଇଁ ଜମି ପାଇବା ପରେ ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ ହେବ । ଏହି ପ୍ରକଳ୍ପ ପାଇଁ ମୋଟ ୨୧୭ ଏକର ଜମି ଆବଶ୍ୟକ । ଜମି ଅଧିଗ୍ରହଣ କାର୍ଯ୍ୟ କ୍ଷେତ୍ରରେ ଶ୍ରୀ ବୈଷ୍ଣବ ରାଜ୍ୟ ସରକାରଙ୍କ ସହଯୋଗକୁ ଅନୁରୋଧ କରିଛନ୍ତି ।

20 February 2024 08:15 PM (IST)

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5ଟି ଅଧ୍ୟକ୍ଷ

ଦଳମତ ନିର୍ବିଶେଷରେ ଖଲ୍ଲିକୋଟ ରାଣୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ଥିଲେ ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଅଧିକ ପଢ଼ନ୍ତୁ...

20 February 2024 07:45 PM (IST)

ବିଶ୍ୱ ମହିଳା ଦିବସରେ ଅନୁପମ ପଟ୍ଟନାୟକଙ୍କ ନୂଆ ଚଳଚ୍ଚିତ୍ର "ତ୍ରିକନ୍ୟା"

Ollywood News: 'ଗ୍ୟାଙ୍ଗସ ଅଫ ପୁରୀ' ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର 'ପ୍ରତୀକ୍ଷା' ବେଶ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର "ତ୍ରିକନ୍ୟା" । ବିଶ୍ୱ ମହିଳା ଦିବସ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଆଜି ଭୁବନେଶ୍ୱର ଶୀତଲ ହୋଟେଲରେ ତ୍ରିକନ୍ୟାର ଟ୍ରେଲର ରିଲିଜ୍ ହୋଇଯାଇଛି । ଅଧିକ ପଢ଼ନ୍ତୁ...

20 February 2024 07:30 PM (IST)

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ
+୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ନୂଆ- ଓ ସ୍କଲାରସିପ୍ ଘୋଷଣା କରାଯାଇଥିବାରୁ ରମା ଦେବୀ ମହିଳା ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ସମ୍ପର୍କରେ କିଛିଦିନ ତଳେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ବୃତ୍ତି ଜରିଆରେ ନୂତନ ଓଡ଼ିଶା ଗଠନର ସୂତ୍ରଧର ସାଜିଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଓ ସୁଯୋଗ ମିଳିବ।  ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଏହି ବୃତ୍ତି ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି  ଛାତ୍ରଛାତ୍ରୀ କହିଛନ୍ତି।

20 February 2024 07:15 PM (IST)

ବିଜେପି ଉପରେ ବର୍ଷିଲେ କେଜ୍ରିଓ୍ବାଲ
ବିଜେପି ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଲେ ବିଜେପି ନିର୍ବାଚନ ଜିତେନାହିଁ । ଭୋଟ୍ ଚୋରି କରେ । ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଗଡ଼ବଡ଼କୁ ନେଇ ଆସିଥିବା ସୁପ୍ରିମକୋର୍ଟ ନିଜର ରାୟରେ ଆପର କୁଲଦୀପ କୁମାରଙ୍କୁ ମେୟର ଘୋଷଣା କରିଛନ୍ତି । ୮ଟି ଭୋଟ ଅବୈଧ ଘୋଷଣା ହୋଇଥିବାବେଳେ ଏହା ଜାଣିଶୁଣି ରିଟର୍ଣ୍ଣିଂ ଅଫିସର କରିଥିବା ମାନିବା ପରେ ଆପର ବଡ଼ ବିଜୟ ହୋଇଛି । ଯାହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି, ଏହା ଏକ ଐତିହାସିକ ବିଜୟ । ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ଏବଂ ଗୁରୁତ୍ବପୂର୍ଣ୍ଣ ବିଜୟ । ଆମେ ବିଜେପିଠାରୁ ବିଜୟ ଛଡ଼ାଇ ଆଣିଛୁ । ଆମେ ସଂଘର୍ଷ କରିଛୁ ଏବଂ ବିଜୟୀ ହୋଇଛୁ । ବିଜେପି କିଭଳି ଚୋରୀ କରି ବିଜୟୀ ହୁଏ ତାହା ସାରା ଦେଶବାସୀ ଦେଖିଲେ । ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରଭାବ ନିଶ୍ଚୟ ପକାଇବ । ଯଦି ଦେଶରେ ଗଣତନ୍ତ୍ର ବଞ୍ଚିବ ନାହିଁ ତାହେଲେ କିଛି ବଞ୍ଚିବ ନାହିଁ ।

20 February 2024 07:00 PM (IST)

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ
ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ । ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି ଐତିହାସିକ ପଦକ୍ଷେପ ଫଳରେ ଓଡ଼ିଶାର ପ୍ରାୟ ୨ ଲକ୍ଷ ୫୦ ହଜାର ସିକିମ ରୟତ ଓ ତାଙ୍କ ଉତ୍ତରାଧିକାରୀ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛି । ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା । ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ । ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ’।

20 February 2024 06:45 PM (IST)

Odisha News Live: କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ପାଇଁ ମିଳିଲା ୧୨୯ କୋଟି ଅନୁଦାନ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 129 କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

20 February 2024 06:30 PM (IST)

Odisha News Live: ପୁଣି ଇଡିରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ସ୍ଵାମୀ ଜଗବନ୍ଧୁ ଚାନ୍ଦ
ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ୍‌ରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ପ୍ରାୟ ଏକ ଘଣ୍ଟା ଧରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରିଛି ଇଡି । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ପୁରୁଣା ମାମଲାକୁ ନେଇ ଇଡି ଡାକିଥିଲେ । ସେମାନେ ଯେଉଁ ତଥ୍ୟ ମାଗିଥିଲେ, ସବୁ ଦେଇଛି । ମୋତେ ଫସାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ଯେଉଁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମୋତେ ଫସାଇଥିଲେ, ସେମାନଙ୍କ ବିରୋଧରେ କୋର୍ଟଙ୍କୁ ତଥ୍ୟ ଦେବି । କୋର୍ଟଙ୍କ ଉପରେ ମୋର ଭରସା ଅଛି ବୋଲି କହିଛନ୍ତି ଅର୍ଚ୍ଚନା ।

20 February 2024 06:15 PM (IST)

ସୂର୍ଯ୍ୟ ମନ୍ଦିର ସହ ଯୋଡିହେବ ଶ୍ରୀମନ୍ଦିର; ପୁରୀରୁ କୋଣାର୍କ ଗଡିବ ଟ୍ରେନ୍
ପୁରୀରୁ କୋଣାର୍କ ନୂଆ ରେଳ ଲାଇନ ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଲେ ରେଳମନ୍ତ୍ରୀ । ଏହାସହ ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା ହେବ । ଭିଷ୍ଟାଡୋମ୍‌ ଟ୍ରେନ୍‌ ବଗିର ଦୁଇ ପାର୍ଶ୍ୱ ଓ ଉପର ଛାତ କାଚରେ ତିଆରି ହେବ । ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ରହି ବାହରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହାସହ ଟ୍ରେନ୍‌ ଭିତରେ ଜଗନ୍ନାଥ ସଂସ୍କୃତିର ବିଷୟରେ ଲୋକମାନଙ୍କୁ ତଥ୍ୟ ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିବ । ଏହି ନୂଆ ରେଳପଥ ପାଇଁ ପ୍ରାୟ ୨୧୫ ହେକ୍ଟର ଜାଗା ଆବଶ୍ୟକ ରହିଛି । ଜମି ଯୋଗାଇ ଦେବାକୁ ରାଜ୍ୟ ସରାକରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ସହଯୋଗ କଲେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ଓ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ସ୍ଵପ୍ନ ପୂରା ହେବ ବୋଲି ରେଳ ମନ୍ତ୍ରୀ କହିଛନ୍ତି ।

20 February 2024 06:00 PM (IST)

ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ୧୦ଦଫା ଅଭିଯୋଗପତ୍ର

କଂଗ୍ରେସର ୧୦ଦଫା ଅଭିଯୋଗପତ୍ରରେ ଅଭିଯୋଗ ରହିଛି ଯେ, ବିଜେଡି ଶାସନରେ ଅସ୍ତିତ୍ୱ ଖୋଜୁଛନ୍ତି ଓଡ଼ିଆ । ସବୁ କ୍ଷେତ୍ରରେ ଅବହେଳିତ ଓଡ଼ିଶାର ଜନସାଧାରଣ । ଆସନ୍ତା ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ । ଜନତା ଅଦାଲତରେ ବିଚାର ହେବ ବିଜେଡିର ଭ୍ରଷ୍ଟାଚାର । ଅଧିକ ପଢ଼ନ୍ତୁ...

20 February 2024 05:45 PM (IST)

କେନ୍ଦୁଝରରୁ ବନ୍ଧୁକ ଜବତ
ବନ୍ଦ ଅଫିସ ଘରୁ ୫ଟି ବନ୍ଧୁକ ଜବତ । ବଡ଼ବିଲ ପୋଲିସର ତଦନ୍ତ ଜାରି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ନିକଟ ଏକ ସିକ୍ୟୁରିରୀ ଅଫିସ ଘର ଭିତରୁ ୫ଟି ବନ୍ଧୁକ ବଡ଼ବିଲ ପୋଲିସ ଜବତ କରିଛି । ଏ ବନ୍ଧୁକ କାହାର, କିଏ କେଉଁ କାରଣ ପାଇଁ ଆଣିଥିଲା ତାହା ଜାଣିବା ପାଇଁ ବଡ଼ବିଲ ପୋଲିସ ପାଇଁ ତନାଘନା କରୁଛି । ସୂଚନା ଅନୁଯାୟୀ, ପି.କେ ଦାସ ନାମକ ଜଣେ ଲୋକ କିଛି ବର୍ଷ ପୂର୍ବେ ଭଦ୍ରାସାହି ଛକ ନିକଟରେ ବ୍ରାଇଟ୍ ସିକ୍ୟୁରିଟୀ ଏଜେନ୍ସି ନାମକ ଏକ ସିକ୍ୟୁରିରୀ ସଂସ୍ଥା ଖୋଲିଥିଲେ । ବ୍ୟାଙ୍କରୁ ଋଣ ନେଇ ସେଠାରେ ଏକ ଅଫିସ ନିର୍ମାଣ କରିଥିଲେ । ପି. କେ ଦାସ ବ୍ୟାଙ୍କ ଋଣ ସୁଝି ନପାରିବାରୁ ଏହି ଅଫିସ ଘରକୁ ବ୍ୟାଙ୍କ ସିଜ୍ କରିବା ସହିତ ସିଲ୍ କରିଥିଲା । କିଛି ଦିନ ପୂର୍ବରୁ ଏହି ଘରକୁ ବ୍ୟାଙ୍କ ନିଲାମ କରି ପୁରୁଷୋତ୍ତମ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲା । ହସ୍ତାନ୍ତର ପରେ ପୁରୁଷୋତ୍ତମ ବାରିକ ଘର ଯାଞ୍ଚ କରୁଥିବା ସମୟରେ ଘର ଭିତରେ ଗୋଟିଏ ବନ୍ଧୁକ ଦେଖିଥିଲେ । ସଙ୍ଗେ ସଙ୍ଗେ ସେ ଏ ସମ୍ପର୍କରେ ବଡ଼ବିଲ ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ବଡ଼ବିଲ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘର ଯାଞ୍ଚ କରିବା ପରେ ସମୁଦାୟ ୫ଟି ବନ୍ଧୁକ ଜବତ ହୋଇଥିଲା ।

20 February 2024 05:30 PM (IST)

Odisha News Live: ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ ସପକ୍ଷରେ ଆସିଲା 'ସୁପ୍ରିମ' ରାୟ
ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ଜାଲିଆତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିର୍ବାଚନର ଭୋଟ୍ ଫଳାଫଳକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି। ଏହା ସହ କୁଲଦୀପ କୁମାରଙ୍କୁ ମେୟର ଘୋଷିତ କରାଯାଇଛି। ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମାସିହଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଇ) ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ଅନିୟମିତତା ମାମଲାର ଶୁଣାଣି କରିଛି। ଏହି ସମୟରେ ଆଠଟି ବେଆଇନ ବାଲାଟ ପେପର ଦେଖାଇ ଓକିଲମାନଙ୍କୁ ଡକାଇ ଯାଞ୍ଚ କରିଥିଲେ। ଏହି ଆଠଟି ଭୋଟ୍ ବେଆଇନ ନୁହେଁ, କିନ୍ତୁ ବୈଧ ବୋଲି କୋର୍ଟ ଗ୍ରହଣ କରିଛନ୍ତି। ତେଣୁ ଏହି ଆଠଟି ଭୋଟ୍ ମଧ୍ୟ ଗଣାଯିବ।

20 February 2024 05:15 PM (IST)

ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ତଥା (୨୧ ଫେବୃଆରୀ ୨୦୨୪) ବୁଧବାର ପବିତ୍ର ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ଘ. ୬ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

20 February 2024 05:00 PM (IST)

Odisha News Live: ସମ୍ବଲପୁରରୁ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ
ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ ସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଆସ୍ଥା ସ୍ପେଶାଲ ଟ୍ରେନ ଯୋଗେ ପଶ୍ଚିମ ଓଡିଶାର ରାମଭକ୍ତ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ କରିବେ । ଏହି ଅବସରରେ ଟ୍ରେନରେ ଯାତ୍ରା କରୁଥିବା ରାମ ଭକ୍ତ ମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି। ଏହି ଅବସରରେ ନିଜେ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ‘ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମଲଲାଙ୍କ ଦର୍ଶନ କରାଇବା ପାଇଁ ସମ୍ବଲପୁର ଷ୍ଟେସନରେ ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରି ମୁଁ ଆନନ୍ଦିତ । ରାମ ନଗରୀରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି । ସୁବିଧାରେ ଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଧନ୍ୟବାଦ’।

20 February 2024 04:45 PM (IST)

Odisha News Live: ଆସିଲା ରାଜ୍ୟସଭା ଫଳାଫଳ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାଥି ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ୩ ପ୍ରାର୍ଥୀଙ୍କୁ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ସାମେନଙ୍କ ବିଜୟୀ ସାର୍ଟିଫିକେଟ ଦେଇଛନ୍ତି । ଓଡ଼ିଶାରୁ ତିନୋଟି ଆସନ ଖାଲି ହେଉଥିବା ବେଳେ ଏହି ତିନି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଥି ନାମାଙ୍କନ ଭରି ନଥିବାରୁ ଆଉ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଯାହାଫଳରେ ଅଶ୍ବିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

20 February 2024 04:30 PM (IST)

ଓଲଟିଲା ସ୍କୁଲ୍ ବସ୍, ଜଣେ ମୃତ, ୮ଜଣ ଗୁରୁତର

କୋରାପୁଟ ମନ୍ତ୍ରୀଆମ୍ୱ ନିକଟରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତ ମହିଳା ସ୍କୁଲ ପ୍ରିନସପାଲଙ୍କ ପତ୍ନୀ ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ବସଟି ବ୍ରେକ୍ ଫେଲ୍ ହୋଇ ଓଲଟି ପଡିଥିବା କୁହାଯାଉଛି ।

20 February 2024 04:15 PM (IST)

Odisha News Live: ସୁପ୍ରିମକୋର୍ଟଙ୍କ ଘୋଷଣା, କୁଲଦୀପ କୁମାର ହେଲେ ଚଣ୍ଡିଗଡ଼ ମେୟର
ଚଣ୍ଡିଗଡ଼ ମେୟର ହେଲେ କୁଲଦୀପ କୁମାର । ଆପ ନେତା କୁଲଦୀପ କୁମାରଙ୍କୁ ନୂଆ ମେୟର ଭାବେ ଘୋଷଣା କରାଯାଇଛି । ସୁପ୍ରିମକୋର୍ଟରେ ମଙ୍ଗଳବାର ଏହାର ଶୁଣାଣି ହେଉଥିବାବେଳେ ଏଭଳି ଘୋଷଣା କରାଯାଇଛି । କଂଗ୍ରେସ ଏବଂ ଆପ ମିଶି ନିର୍ବାଚନ ଲଢ଼ିଥିବାବେଳେ ବିଜେପି ପ୍ରାର୍ଥୀ ମେୟର ହୋଇଥିଲେ । ୮ ଭୋଟ ଅବୈଧ ଘୋଷଣା କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହୋଇଥିବାବେଳେ କୁଲଦୀପ କୁମାରଙ୍କ ସମୟରେ ରାୟ ଯାଇଛି ।

 

20 February 2024 04:00 PM (IST)

ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

20 February 2024 03:45 PM (IST)

Odisha News Live: ପ୍ଲାଷ୍ଟିକ ସର୍ଜରୀ କରୁ କରୁ ଚାଲିଗଲା ଜୀବନ
ମହଙ୍ଗା ପଡିଲା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରାଯାଇଥିବା ଅପରେସନ୍। ସ୍ମାଇଲ୍ ଡିଜାଇନିଂ ଅପରେସନ ବେଳେ ହାଇଦ୍ରାବାଦରେ ଜଣେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି। ହସ ହସ ଚେହେରା ପାଇଁ କରିଥିବା ଚେଷ୍ଟା ଆଜି ବିଫଳ ହୋଇଛି। ଶେଷରେ ଜୀବନ ହାରିଛନ୍ତି ୨୮ ବର୍ଷୀୟ ଯୁବକ ଲକ୍ଷ୍ମୀ ନାରାୟଣ ଭିଞ୍ଜମ୍‌। ଲକ୍ଷ୍ମୀ ନାରାୟଣଙ୍କର ଆସନ୍ତା ସପ୍ତାହରେ ବିବାହ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ତା ପୂର୍ବରୁ ସେ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରିଥିଲେ। ହାଇଦ୍ରାବାଦର ଜୁବଲି ହିଲ୍ସର FMS ଇଣ୍ଟରନ୍ୟାସନାଲ ଡେନ୍ଟାଲ କ୍ଲିନିକ୍‌ରେ ଲକ୍ଷ୍ମୀ ସର୍ଜରୀ କରାଇଥିଲେ। ଏହା କିନ୍ତୁ ଘାତକ ସାବ୍ୟସ୍ତ ହୋଇଥିଲା।

 

20 February 2024 03:30 PM (IST)

Fake Pregnancies: ସରକାରୀ ଯୋଜନାର ଫାଇଦା ନେବାକୁ ୧୭ ଥର ହୋଇଥିଲେ ଗର୍ଭବତୀ, ଧରାପଡିଲା ସତ

Fake Pregnancies: ମିଛ ବାହାନା କରି ଜଣେ ମହିଳା ପ୍ରାୟ ୨୪ ବର୍ଷ ହେବ ନିଜର ଅଫିସକୁ ଠକିବା ସହିତ ସରକାରୀ ଯୋଜନାର ଲାଭ ଉଠାଉଥିଲେ । କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନା...  ଶେଷରେ ମହିଳାଙ୍କର ସବୁ କାରନାମା ପଦାକୁ ଆସିଛି । ଅଧିକ ପଢ଼ନ୍ତୁ

20 February 2024 03:15 PM (IST)

Odisha News Live: ଜମ୍ମୁରେ ମୋଦି
ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏମ୍ସ ହସ୍ପିଟାଲ ଲୋକାର୍ପଣ କରିବା ସହ ପ୍ରାୟ ୩୦ ହଜାର କୋଟି ଟଙ୍କାର ମେଗା ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦି । ସେ ଚେନାବ୍ ନଦୀ ଉପରେ ବିଶ୍ବର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍, ଉଦ୍ଧମପୁରରେ ଦେବିକା ନଦୀ ପ୍ରକଳ୍ପ ଆଦି ଲୋକାର୍ପଣ କରିଛନ୍ତି । ସଙ୍ଗଲଦାନ-ବାରମୁଳା ରେଳ ଲାଇନରେ ପ୍ରଥମ ଟ୍ରେନର ଶୁଭାରମ୍ଭ କରିବା ସହିତ, ଜମ୍ମୁରେ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ ଜମ୍ମୁ-କାଶ୍ମୀର ଗସ୍ତ ।

 

20 February 2024 03:00 PM (IST)

Odisha News Live: ରାହୁଲଙ୍କୁ ମିଳିଲା ଜାମିନ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦ ଫେବୃଆରୀରେ ଉତ୍ତରପ୍ରଦେଶର ସୁଲତାନପୁରର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ। ଅମିତ ଶାହାଙ୍କ ବିରୋଧରେ ଆସିଥିବା 'ଅପମାନଜନକ' ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ବିଚାରାଧୀନ ଅଛି। ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୨୫ ହଜାର ଟଙ୍କା ସୁରକ୍ଷା ଏବଂ ଜାମିନ ପ୍ରଦାନ କରାଯାଇଛି। ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଉତ୍ତରପ୍ରଦେଶର ଆମେଠୀରେ ଅଛନ୍ତି। କୋର୍ଟରେ ହାଜର ହେବା କାରଣରୁ ତାଙ୍କର ଯାତ୍ରା କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ କଂଗ୍ରେସ ନେତା କୋର୍ଟରେ କହିଛନ୍ତି ଯେ ସେ ଏହି ମାମଲାରେ ନିର୍ଦ୍ଦୋଷ।

20 February 2024 02:45 PM (IST)

9th National Human Rights Conclave: ୨ ଓଡ଼ିଆଙ୍କୁ ମିଳିଲା ଜାତୀୟ ପୁରସ୍କାର

9th National Human Rights Conclave: ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ଶାନ୍ତି ଫାଉଣ୍ଡେସନରେ ଏକ ଜାତୀୟ ସ୍ତରର ଆଲୋଚନାଚକ୍ର (ନବମ ଜାତୀୟ ମାନବଧିକାର କନକ୍ଲେଭ୍) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଚଚ୍ଚିକାନ୍ତ ଜେନାଙ୍କୁ ଭାରତୀୟ ସେବା ରତ୍ନ ପୁରସ୍କାର (Bharatiya Seva Ratna Award)  ପ୍ରଦାନ କରାଯାଇଛି । ଏଥିସହ ଲଞ୍ଚ ସ୍କୋୟାର ପ୍ରତିଷ୍ଠାତା ବୃନ୍ଦାବନ ମିଶ୍ରଙ୍କୁ ଯୁବ ଉଦ୍ୟୋଗୀ ପୁରସ୍କାର (Young Entrepreneur Award 2024) ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ...

20 February 2024 02:33 PM (IST)

Odisha News Live: ବାହାନଗା ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଲେ ୧୮୯ ପରୀକ୍ଷାର୍ଥୀ
ବାହାନଗା ହାଇସ୍କୁଲରେ ପରୀକ୍ଷା ଦେଲେ ୧୮୯ ଶିକ୍ଷାର୍ଥୀ। ଆରମ୍ଭ ହୋଇଛି ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା। ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଏବେ ବି ଛାତ୍ରଛାତ୍ରୀ ମଧ୍ୟରେ ଭୟ ରହିଛି । ବାହାନଗା ହାଇସ୍କୁଲ ପରିସରରେ ଶ୍ରେଣୀ ଗୃହରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ଯକ୍ତିଙ୍କର ମୃତ ଦେହ ରଖାଯାଇଥିଲା। ଏଥିପାଇଁ ଅଭିଭାବକଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ସେହି ଶ୍ରେଣୀ ଗୃହ ଗୁଡିକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିଥିଲା। ଏବେ ବାହାନଗା ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଖୋଲା ଯାଇ ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁସାରେ ପରୀକ୍ଷା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୌଣସି ଭୟ ନାହିଁ ବୋଲି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ।

 

20 February 2024 02:15 PM (IST)

Odisha News Live: ପାରିତ ହେଲା ମରାଠା ସଂରକ୍ଷଣ ବିଲ
ମରାଠା ସଂରକ୍ଷଣ ବିଲକୁ ମହାରାଷ୍ଟ୍ର ବିଧାନସଭା ଅନୁମୋଦନ କରିଛି। ଏହି ବିଲରେ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହା ଓବିସି ସମ୍ପ୍ରଦାୟ ହେଉ କିମ୍ବା ଅନ୍ୟ କୌଣସି ସମ୍ପ୍ରଦାୟ,  ଆମେ କାହାକୁ ସଂରକ୍ଷଣ ନକରି ମରାଠା ସମ୍ପ୍ରଦାୟ ପାଇଁ ଶିକ୍ଷାଗତ ତଥା ଚାକିରି ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ।

20 February 2024 02:00 PM (IST)

Odisha News Live: ରାଜ୍ୟରୁ ଶୀତ ଉଭାନ
ମାଘ ନ ସରୁଣୁ ରାଜ୍ୟରେ ଗାୟବ ହେଲାଣି ଶୀତ। ଉଭୟ ଦିନ ଓ ରାତ୍ରିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇଛି। ଗତକାଲି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରରେ ୩୫.୯, ବୌଦ୍ଧରେ ୩୫.୫ ଝାରସୁଗୁଡାରେ ୩୫.୪ ଓ ଭୁବନେଶ୍ୱରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଜାତୀୟ ରାଜପଥ ଗୁଡିକରେ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ କହିଛି।

20 February 2024 01:45 PM (IST)

Odisha News Live: ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର
ଘରେ ପଶି ମାଆ, ପୁଅ ଓ ବୋହୂଙ୍କୁ ହାଣିଲେ ଦୁର୍ବୃତ୍ତ । ମାଆ ମୃତ, ପୁଅ-ବୋହୂ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କଳା କପଡ଼ା ମୁହଁରେ ବାନ୍ଧି ସିଲୁ ବିଶ୍ବାଳଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ସିଲୁ, ତାଙ୍କ ସ୍ତ୍ରୀ ଟିକିନା ଓ ମାଆ ମାନିଆ ବିଶ୍ୱାଳଙ୍କୁ ଅତି ନୃଶଂସ ଭାବେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ମାଆ ମାନିଆ ବିଶ୍ୱାଳ, ପୁଅ ସିଲୁ ବିଶ୍ୱାଳ ଓ ବୋହୂ ଟିକିନା ବିଶ୍ୱାଳଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଆ ମାନିଆ ବିଶ୍ୱାଳଙ୍କ ମୃତ୍ଯୁ ହୋଇଛି। ପୁଅ ସିଲୁ ଓ ବୋହୂ ଟିକିନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

20 February 2024 01:30 PM (IST)

ନିର୍ବାଚନ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଲେ ମୁଖ୍ୟ ବିଚାରପତି 
ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନର ମେୟର ନିର୍ବାଚନରେ ​​ଠକେଇ ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଜି ଏହି ମାମଲାରେ କୋର୍ଟ ଶୁଣାଣି କରିବେ। ବାଲାଟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ଏହା ବ୍ୟତୀତ ମେୟରଙ୍କୁ ପୁରୁଣା ବାଲାଟ ପେପର ଆଧାରରେ ନିଷ୍ପତ୍ତି ନିଆଯିବା ଉଚିତ କି ନୂତନ ନିର୍ବାଚନ କରାଯିବା ଉଚିତ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ଏହାପୂର୍ବରୁ ମଙ୍ଗଳବାର ଦିନ ପ୍ରଧାନ ବିଚାରପତି ନିଜେ ସୁପ୍ରିମକୋର୍ଟରେ ମେୟର ନିର୍ବାଚନ ଅଧିକାରୀ ଅନିଲ ମାସିହଙ୍କୁ ତୀକ୍ଷ୍ଣ ପ୍ରଶ୍ନ ପଚାରିଥିଲେ ଏବଂ କହିଥିଲେ ଯେ ତାଙ୍କର କାର୍ଯ୍ୟକଳାପ ଏବଂ ଶବ୍ଦ ଦର୍ଶାଉଛି ଯେ ସେ ନିର୍ବାଚନରେ ​​ଅନିୟମିତତା କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ଉଚିତ୍।

20 February 2024 01:15 PM (IST)

Odisha News Live: ବସ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ
ତୀର୍ଥଯାତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର-ସୋନପୁର ରାଜରାସ୍ତାର ସାତମାଇଲ ଛକଠାରେ ଘଟିଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ଜଣକ ଖାରି ଗାଁର ଘନଶ୍ୟାମ ପୋଢ଼ ଏବଂ ଗୁରୁତର ଯୁବକ ଜଣକ ଫକୀର ବିଶି ବୋଲି ଜଣାପଡିଛି । ପୁଇଁତଲା ପୁଲିସ ଖବର ପାଇ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ବସ୍‌କୁ ଅଟକ ରଖିବା ସହ ଡ୍ରାଇଭରଙ୍କୁ ପଚାରଉଚରା କରୁଛି।

20 February 2024 01:00 PM (IST)

Odisha News Live: ମାର୍ଚ୍ଚ ୯ ପରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ
ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଭାରତର ନିର୍ବାଚନ ଆୟୋଗ। ବିଶେଷ ସୁତ୍ରରୁ ଜଣାପଡିଛି ଯେ ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀ ବିଭିନ୍ନ ରାଜ୍ୟ ଗସ୍ତ କରିବା ଅର୍ଥ ୨୦୨୪ ନିର୍ବାଚନ ତାରିଖ କ୍ୟାଲେଣ୍ଡର ୨୦୧୯ ସହ ସମାନ ହୋଇପାରେ। ଗତ ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା। ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ମେ ୨୩ରେ ଭୋଟ ଗଣନା ହୋଇଥିଲା।

 

20 February 2024 12:45 PM (IST)

Odisha News Live: ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ
ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ରହିଥିଲା। କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ।

20 February 2024 12:30 PM (IST)

Odisha News Live: ହଷ୍ଟେଲ ପାଇଖାନାରେ ଝୁଲି ପଡିଲେ ମାଟ୍ରିକ ଛାତ୍ର
ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଘଟଣ। ସ୍କୁଲ ହଷ୍ଟେଲ ପାଇଖାନାରୁ ମାଟ୍ରିକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର। ମୃତ ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ତଲିଉଡାର ଗାଁର ବିନାୟକ ପ୍ରଧାନ। ସେ ବଲାଙ୍ଗୀର କାମାକ୍ଷାନଗର ବିଶ୍ବାତ୍ମା ବିଦ୍ୟା ମନ୍ଦିର ସ୍କୁଲର ଦଶମ ଶ୍ରେଣୀର ଛାତ୍ର। ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ। ବିନାୟକ ଜଣେ ମେଧାବୀ ଛାତ୍ର ଥିଲେ। ଭଲ ପାଠ ପଢୁଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲେ। ପରୀକ୍ଷା ଥିବାରୁ ରବିବାର ଦିନ ବାପା ରାତ୍ର ପ୍ରଧାନ ତାଙ୍କୁ ଦେଖିବାକୁ ଆସିଥିଲେ। ସେ କୌଣସି ଚାପରେ ନଥିଲେ। ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆସିବ ବୋଲି କହିଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କରିବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

20 February 2024 12:15 PM (IST)

Odisha News Live: ଅଚାନକ ବଢିଗଲା ପିଆଜ ଦର, ହନ୍ତସନ୍ତ ଖାଉଟି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବାର କିଛି ଘଣ୍ଟା ପରେ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ନାଶିକର ଲାସାଲଗାଓଁ ବଜାରରେ ପିଆଜ ହାର ୪୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ନେଇ କେନ୍ଦ୍ର ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ମନ୍ତ୍ରୀ ବୈଠକରେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ନାଶିକ ଗ୍ରାମାଞ୍ଚଳ ସାଂସଦ ଭାରତ ପାୱାର କହିଛନ୍ତି। ଖୁଚୁରା ବଜାରରେ ପିଆଜ ଦର ବୃଦ୍ଧିର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି।

20 February 2024 12:00 PM (IST)

Odisha News Live: ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରଛାଡ଼ ନିଷ୍ପତ୍ତି
ଏକ କୋଟିରୁ ଅଧିକ ଟିକସଦାତାଙ୍କ ପାଇଁ ବହୁତ ଆଶ୍ୱସ୍ତିକର ଖବର ରହିଛି ଯେଉଁମାନଙ୍କ ଉପରେ ଆୟକର ବିଭାଗ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଦାବି କରି ନୋଟିସ୍ ପଠାଇଛି। କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ବା ସିବିଡିଟି ଫେବୃଆରୀ ୧୩, ୨୦୨୪ରେ ଜାରି କରାଯାଇଥିବା ଆଦେଶରେ କହିଛି ଯେ ଆୟକର ବିଭାଗ ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ ପୁରୁଣା ବକେୟା ଟିକସ ଦାବି ଚାହିଦା ଛାଡ କରିବା ଆରମ୍ଭ କରି ଦେଇଛି। ସିବିଡିଟି ଏହାର ଆଦେଶରେ କହିଛି ଯେ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସଦାତାଙ୍କ ଟିକସ ଚାହିଦା ଛାଡ କରାଯିବ। 

 

20 February 2024 11:45 AM (IST)

Odisha News Live: NSA ବଳରେ ୩ ଜଣ ବନ୍ଧାହେଲେ
ଗଞ୍ଜାମ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ। ବନ୍ଧା ହେଲେ ୩ ଜଣ ହାର୍ଡକୋର୍ ଅପରାଧୀ। ଆସିକା ଥାନା ଅଞ୍ଚଳର ସୁଲତାନ ଓରଫ ସୁନିଲ ନାୟକ, ପୋଲସରା ଥାନା ଅଞ୍ଚଳରେ ଯଜ୍ଞ ପ୍ରଧାନ ଓ ଗାଙ୍ଗପୁର ଥାନା ଅଞ୍ଚଳର ବାବୁ ସ୍ବାଇଁକୁ ପୋଲିସ ଏନଏସଏ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ହତ୍ୟା ଓ ରାହାଜାନୀ ଭଳି ସଙ୍ଗୀନ ଅଭିଯୋଗ ରହିଛି।

 

20 February 2024 11:30 AM (IST)

Odisha News Live: ଆଜି କଣ୍ଟାବାଞ୍ଝୀ ବନ୍ଦ
ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି।  ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ବିଭିନ୍ନ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ ଏବଂ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ହେଲେ କଣ୍ଟାବାଞ୍ଜି ସହରରେ ଦୋକାନବଜାର ବନ୍ଦ ରହିଛି।

20 February 2024 11:15 AM (IST)

Odisha News Live: ହୃଦଘାତରେ ଚାଲିଗଲେ ଅନୁପମା ଅଭିନେତା, ଟିଭି ଜଗତରେ ଶୋକ
ଟିଭିରୁ ଓଟିଟି ଯାଏଁ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ଋତୁରାଜ ଏବେ ଆରପାରିରେ। ମାତ୍ର ୬୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଟିଭି ଦୁନିଆର ଲୋକପ୍ରିୟ ଶୋ ଅନୁପମାରେ ନଜର ଆସୁଥିଲେ ଋତୁରାଜ। ଅଭିନେତାଙ୍କ ଅଚାନକ ନିଧନ ଖବର ଶୁଣି ଟିଭି ଜଗତ ଶୋକପ୍ରକାଶ କରିଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ। ଅଗ୍ନାଶୟ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଅଭିନେତାଙ୍କ ବିୟୋଗ ବିଷୟରେ ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି।

20 February 2024 11:00 AM (IST)

One nation One Election: ବିଜେପି ଆଜି ଆଣିପାରେ ବିଧେୟକ
ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ମାମଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱଧାନ କେନ୍ଦ୍ର ସରକାର ବିଧେୟକ ଆଣିପାରନ୍ତି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଧେୟକ ପ୍ରସ୍ତାବ ଆଣି ପାରନ୍ତି ସରକାର। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଚାରର ଅର୍ଥ ସମଗ୍ର ଦେଶରେ ଗୋଟିଏ ଥରରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା। ଅର୍ଥାତ ଏହି ନିୟମ ଲାଗୁ ହେଲେ ଗୋଟିଏ ଥରରେ ଜଣେ ଭୋଟର ଉଭୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ କରିପାରିବେ। 

20 February 2024 10:45 AM (IST)

Odisha News Live: ୬୦ ସିଟ୍‌ ପାଇଁ ପ୍ରର୍ଥୀ ଘୋଷଣା କରିବ କଂଗ୍ରେସ

କଂଗ୍ରେସ୍ ଆରମ୍ଭ କଲା ଟିକେଟ କସରତ। ବସିଲା ପ୍ରଦେଶ ଇଲେକ୍ସନ୍ କମିଟି ବା ପିଇସି ବୈଠକ। ୨୦୧୯ର ଭୁଲ୍‌କୁ ଦଳ ୨୪ରେ ଦୋହରାଇବାକୁ ଚାହୁଁନି । ମାର୍ଚ୍ଚ ସୁଦ୍ଧା ଟିକେଟ୍ ଘୋଷଣା ପାଇଁ ବୈଠକରେ ହୋଇଛି ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରବଳ ଦାବିଦାର ଥିବା ୭୦ ସିଟ୍ ପାଇଁ ଦଳ ଘୋଷଣା କରିବ ପ୍ରାର୍ଥୀ। ସେପଟେ ଗୋଟିଏ ପଟେ କଂଗ୍ରେସ ଘର ସଜାଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ ମାନସ ମନ୍ଥନ କରୁଛି ଆଉ ଅନ୍ୟପଟେ ଜଣକ ପରେ ଜଣେ ପୁରୁଖା ଦଳ ଛାଡୁଛନ୍ତି। ଆଜି ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ବାଏ ବାଏ କରିଥିବା ଘୋଷଣା କରିଛନ୍ତି। କିଛି ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ଅଂଶୁମାନ ମହାନ୍ତି ଦଳ ଛାଡିଛନ୍ତି। ଚର୍ଚ୍ଚା ହେଉଛି ଆଉ କିଛି ବରିଷ୍ଠ ନେତା ବି ଖୁବଶୀଘ୍ର ଦଳ ଡେଇଁ ପାରନ୍ତି।

20 February 2024 09:37 AM (IST)

ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍

ସମ୍ବଲପୁରରୁ ତୀର୍ଥଯାତ୍ରୀଙ୍କୁ ଧରି ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ୍‌ । କ୍ଷେତରାଜପୁର ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

20 February 2024 09:34 AM (IST)

ଆଜି ୧୨ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ଆଜି ବଲାଙ୍ଗିର ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି ।

20 February 2024 09:22 AM (IST)

ମାଘରେ ମୁଣ୍ତ ଫଟା ତାତି, ଦୁଇ ଜିଲ୍ଲାରେ ୩୬ ଡିଗ୍ରୀ ପାର କଲା ତାପମାତ୍ରା

ରାଜ୍ୟରେ ଉପରମୁହାଁ ତାପମାତ୍ରା । ମାଘ ମାସ ନସରୁଣୁ କଲବଲ କରୁଛି ତାତି । ଦିନରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଏମିତି କି, ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର କରିଛି ।

ଅଧିକ ପଢିବା ନେଇ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/weather-heat-wave-i...

20 February 2024 08:33 AM (IST)

ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କରିବେ ଉଦଘାଟନ ।

20 February 2024 08:03 AM (IST)

ପରୀକ୍ଷାରେ ସହଯୋଗ କରିବ ଓଷ୍ଟା

ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା । ସରକାରଙ୍କ ସହ ଆଲୋଚନା ପରେ ପରୀକ୍ଷାରେ ସହଯୋଗ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ ଘୋଷଣା ।

20 February 2024 07:31 AM (IST)

ପରୀକ୍ଷା ପୂର୍ବରୁ ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା

ବଲାଙ୍ଗିର ବିଶ୍ବାତ୍ମା ବିଦ୍ୟାଳୟ ହଷ୍ଟେଲରେ ୧୦ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ସ୍କୁଲ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଛାତ୍ରଙ୍କ ମୃତ୍ୟୁ ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସୂଚନା ।

20 February 2024 07:11 AM (IST)

 ବ୍ରହ୍ମପୁର ଆଇଜର କ୍ୟାମ୍ପସ୍ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର ସହର ଉପକଣ୍ଠ ଲଉଡି଼ ଗାଁରେ ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ତ ରିସର୍ଚ୍ଚ (IISER Berhampur)ର ସ୍ଥାୟୀ କ୍ୟାମ୍ପସ୍ କୋଠାକୁ ଆଜି ଭିଡିଓ କନଫରେସିଂ ମାଧ୍ୟମରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/pm-to-inaugurate-ii...

20 February 2024 07:09 AM (IST)

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ 

Naveen Patnaik: ଆଜି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଦଘାଟନ କରିବା ସହ ବିଜେପୁର ନିର୍ବାଚନମଣ୍ତଳୀ କନାପାଲିଠାରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେବା ନେଇ କାର୍ଯ୍ୟକ୍ରମ ରହିଛି ।

20 February 2024 07:06 AM (IST)

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ

Ashwini Vaishnaw: ମଙ୍ଗଳବାର ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 

ଅଧିକ ପଢିବା ନେଇ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-ashwini-vais...

 

20 February 2024 06:51 AM (IST)

ଆଜିଠୁ ମାଟ୍ରିକ୍ ପରୀକ୍ଷା

Matric Exam 2024: ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ।  ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ହାଇସ୍କୁଲ୍ ସାର୍ଟିପିକେଟ୍ ପରୀକ୍ଷା ଦେବେ।  

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ-https://zeenews.india.com/hindi/zeeodisha/state-news/odisha-bse-matric-e...

Add Zee News as a Preferred Source

About the Author