Eye Cancer: ରେଟିନୋବ୍ଲାଷ୍ଟୋମା (ଶିଶୁଙ୍କ ଚକ୍ଷୁ କର୍କଟ ରୋଗ) ର ପ୍ରାରମ୍ଭିକ ଚିହ୍ନଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ପକ୍ଷରୁ ମଇ ୧୮ ତାରିଖରେ ପଟିଆ ଛକ ଭୁବନେଶ୍ୱରଠାରେ ଆୟୋଜିତ 'ହ୍ୱାଇଟାଥନ୍'ର ସପ୍ତମ ସଂସ୍କରଣରେ ଏକ ପଦଯାତ୍ରା କରାଯାଇଥିଲା । ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା ଅଭିଯାନ ପାଇଁ ସମର୍ଥନ ଜଣାଇଥିଲେ।
Trending Photos
)
Eye Cancer: ରେଟିନୋବ୍ଲାଷ୍ଟୋମା (ଶିଶୁଙ୍କ ଚକ୍ଷୁ କର୍କଟ ରୋଗ) ର ପ୍ରାରମ୍ଭିକ ଚିହ୍ନଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ) ପକ୍ଷରୁ ମଇ ୧୮ ତାରିଖରେ ପଟିଆ ଛକ ଭୁବନେଶ୍ୱରଠାରେ ଆୟୋଜିତ 'ହ୍ୱାଇଟାଥନ୍'ର ସପ୍ତମ ସଂସ୍କରଣରେ ଏକ ପଦଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ମଇ ମାସର ଦ୍ୱିତୀୟ ରବିବାର ପରବର୍ତ୍ତୀ ସପ୍ତାହରେ ପାଳିତ ହେଉଥିବା ବିଶ୍ୱ ରେଟିନୋବ୍ଲାଷ୍ଟୋମା ସଚେତନତା ସପ୍ତାହ ଉଦ୍ଦେଶ୍ୟରେ କରାଯାଇଥାଏ । ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା ଅଭିଯାନ ପାଇଁ ସେମାନଙ୍କର ସମର୍ଥନ ଜଣାଇଥିଲେ।
ଭୁବନେଶ୍ୱର ଏଲଭିପିଇଆଇ ମିଠୁ ତୁଳସୀ ଚାନରାଇ କ୍ୟାମ୍ପସର ପରାମର୍ଶଦାତା ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଜ୍ୟୋତି ତ୍ରିପାଠୀ ଲୋକଙ୍କ ମଧ୍ୟରେ ରେଟିନୋବ୍ଲାଷ୍ଟୋମା ରୋଗର ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ବିସ୍ତୃତ ଭାବରେ କହିଥିଲେ ଯେ, "ଆମେ ଲୋକଙ୍କୁ,ବିଶେଷକରି ଯୁବ ପିତାମାତାଙ୍କୁ ରେଟିନୋବ୍ଲାଷ୍ଟୋମା ରୋଗର ଲକ୍ଷଣ ବିଷୟରେ ବୁଝାଇବା ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜାଣିବା ଉଚିତ୍ ଯେ ଶିଶୁର ଆଖିରେ ଧଳା ଦାଗ ଦେଖାଗଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏହାର ପରୀକ୍ଷା କରାଯିବା ଆବଶ୍ୟକ । ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ଶିଶୁର ଜୀବନ, ଚକ୍ଷୁ ଏବଂ ଦୃଷ୍ଟିଶକ୍ତି ରକ୍ଷା କରିପାରିବ ।" ଚଳିତ ବର୍ଷ, ୨୫୦ ରୁ ଅଧିକ ଉତ୍ସାହୀ ଅଂଶଗ୍ରହଣକାରୀ ଏଥିରେ ଭାଗ ନେଇ ଏହି କାର୍ଯ୍ୟକ୍ରମ ପ୍ରତି ଦୃଢ଼ ସମର୍ଥନ ପ୍ରଦର୍ଶନ କରିଥିଲେ ।
ରେଟିନୋବ୍ଲାଷ୍ଟୋମା କ'ଣ? ଏହାର କାରଣ କ'ଣ?
ରେଟିନୋବ୍ଲାଷ୍ଟୋମା ଏକ ବିରଳ ଚକ୍ଷୁ କର୍କଟ ରୋଗ ଯାହା ମୁଖ୍ୟତଃ ତିନି ବର୍ଷରୁ କମ୍ ବୟସର ଶିଶୁଙ୍କୁ ପ୍ରଭାବିତ କରେ । ଏହା ଟ୍ୟୁମର ଦମନକାରୀ "RB1 ଜିନ୍" ନଷ୍ଟ ହେବା ଦ୍ୱାରା ହୁଏ । ଏହି ଜିନ୍ ର କାର୍ଯ୍ୟ ହେଉଛି ସାଧାରଣ କୋଷଗୁଡ଼ିକୁ କର୍କଟ ରୋଗରେ ପରିଣତ ହେବାରୁ ରୋକିବା । ଏହି ଜିନ୍ ର କାର୍ଯ୍ୟ କ୍ଷମତା ହ୍ରାସ ହେବା ଦ୍ଵାରା କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୁଏ ଯାହା ଫଳରେ ଏକ ମାରାତ୍ମକ ଟ୍ୟୁମର ସୃଷ୍ଟି ହୁଏ ।
ରେଟିନୋବ୍ଲାଷ୍ଟୋମାର ସୂଚକ ଲକ୍ଷଣଗୁଡ଼ିକ:
ଯଦି ଆପଣ ୩ ବର୍ଷରୁ କମ୍ ବୟସର ଶିଶୁଙ୍କ ଚକ୍ଷୁରେ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଲକ୍ଷ୍ୟ କରନ୍ତି,ତେବେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
1-ଲ୍ୟୁକୋକୋରିଆ ବା "ହ୍ୱାଇଟ୍ ରିଫ୍ଲେକ୍ସ " (ଫ୍ଲାସ୍ ସହିତ କ୍ଲିକ୍ କରାଯାଇଥିବା ଫଟୋଗ୍ରାଫରେ ସ୍ପଷ୍ଟ ଭାବରେ ଦେଖାଯାଏ)
2-ଟେରାଦୋଷ
3-ଲାଲ ଆଖି
4-ଆଖିପତା ଫୁଲିବା
5-ଆଖି ବଡ଼ ଦେଖାଯିବା, ଏଗୁଡ଼ିକ ଚକ୍ଷୁରେ ଥିବା କର୍କଟ ରୋଗର ଲକ୍ଷଣ ହୋଇପାରେ । ଜଣେ ଚକ୍ଷୁ ବିଶେଷଜ୍ଞ କିଛି ପରୀକ୍ଷଣ କରି ନିଶ୍ଚିତ କରିପାରିବେ ଯେ ଏହି ଲକ୍ଷଣଗୁଡ଼ିକ ଚକ୍ଷୁ କର୍କଟ ରୋଗର ସୂଚକ କି ଅନ୍ୟ କୌଣସି କାରଣରୁ ଏପରି ହୋଇଛି ।
ଚିକିତ୍ସାରେ ସାଧାରଣତଃ ଅନେକ ପ୍ରକ୍ରିୟା ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ଯାହା ଉପରେ କିଛି ମାସରୁ ଆରମ୍ଭ କରି ବର୍ଷ ପର୍ଯ୍ୟନ୍ତ ସତର୍କ ନଜର ରଖାଯାଏ ।ପ୍ରତିବର୍ଷ ଏଲଭିପିଇଆଇ ଏହାର ସମଗ୍ର ନେଟୱାର୍କରେ ୧୫୦ ରୁ ୨୦୦ ନୂତନ ରେଟିନୋବ୍ଲାଷ୍ଟୋମା ରୋଗୀଙ୍କୁ ଚିକିତ୍ସା କରିଥାଏ । ଏଲଭିପିଇଆଇ ଠାରେ ଚିକିତ୍ସା କରାଯାଇଥିବା ୯୦% ମାମଲାରେ ଶିଶୁଙ୍କ ଜୀବନ ରକ୍ଷା ସମ୍ଭବ ହୋଇଛି । ଅବଶ୍ୟ, ଏହି ମାମଲାରେ କେବଳ ୪୫% କ୍ଷେତ୍ରରେ ଦୃଷ୍ଟିଶକ୍ତି ରକ୍ଷା କରାଯାଇପାରିଛି ଏବଂ ଅବଶିଷ୍ଟ ୫୫% ବ୍ୟକ୍ତି,ରୋଗ ବିଳମ୍ବରେ ଜଣାପଡ଼ିବା ଯୋଗୁଁ ଦୃଷ୍ଟିଶକ୍ତି ହରାଇଥାନ୍ତି ।
ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ଶିଶୁଙ୍କ ପାଇଁ ଉତ୍ତମ ଫଳାଫଳ ସୁନିଶ୍ଚିତ କରେ :
ହ୍ୱାଇଟାଥନ୍ ବିଷୟରେ: ଏହି ମହତ୍ ଉଦ୍ଦେଶ୍ୟ ନେଇ ଏଲଭିପିଇଆଇ ପକ୍ଷରୁ ପ୍ରତିବର୍ଷ ହ୍ୱାଇଟାଥନ୍ କାର୍ଯ୍ୟକ୍ରମ କରାଯାଏ ଯାହାର ଲକ୍ଷ୍ୟ ଶିଶୁଙ୍କ ଜୀବନ ଏବଂ ଦୃଷ୍ଟିଶକ୍ତି ପାଇଁ ବିପଦଜନକ ଚକ୍ଷୁ କର୍କଟ ରେଟିନୋବ୍ଲାଷ୍ଟୋମା ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ଚିକିତ୍ସା ପାଇଁ ସଚେତନତା ବୃଦ୍ଧି କରିବା । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭିକ ଚିହ୍ନଟ ଉପରେ ଗୁରୁତ୍ୱ ଦିଏ,କାରଣ ତୁରନ୍ତ ଚିକିତ୍ସା କରାଗଲେ କର୍କଟ ରୋଗ ଆରୋଗ୍ୟ ହୋଇପାରିବ। ରେଟିନୋବ୍ଲାଷ୍ଟୋମା ରୋଗର ମୁଖ୍ୟ ଲକ୍ଷଣ ହେଉଛି ଶିଶୁଙ୍କ ଚକ୍ଷୁରେ ଏକ ଧଳା ଦାଗ ଯାହାର ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୋଇଥାଏ । ହ୍ୱାଇଟ୍ ରିଫ୍ଲେକ୍ସ ହେଉଛି ଏକ ଧଳା ବା ହଳଦିଆ-ଧଳା ଚମକ ଯାହା ଆଲୋକ ପଡ଼ିଲେ ବା ଫ୍ଲାସ୍ ସହିତ ଫଟୋ ଉଠାଗଲେ ଶିଶୁର ଆଖିର ପୁତୁଳା (କଳା ଅଂଶ)ରେ ଦେଖାଯାଏ ।
ସମର୍ଥନ ଏବଂ ଅଂଶଗ୍ରହଣ: ହ୍ୱାଇଟାଥନ୍ ସମ୍ପ୍ରଦାୟ, ପ୍ରାୟୋଜକ ଏବଂ ସ୍ୱେଚ୍ଛାସେବୀମାନଙ୍କ ବିପୁଳ ଅଂଶଗ୍ରହଣ ଏବଂ ସମର୍ଥନ ପାଇଁ ସଫଳ ହୋଇଛି । ୨୦୨୫ ମସିହା ପାଇଁ ଏହି କାର୍ଯ୍ୟକ୍ରମରେ ଆମର ପ୍ରାୟୋଜକମାନେ ହେଉଛନ୍ତି ମ୍ୟାନକାଇଣ୍ଡ, ମାଇକ୍ରୋ ଲ୍ୟାବ୍ସ ଲିମିଟେଡ୍, ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ, ସନ୍ ଫାର୍ମା, ସେଣ୍ଟାଉର ଏବଂ ଜାଇରିସ୍। ଏହି ମହତ୍ କାର୍ଯ୍ୟକ୍ରମରେ ବହୁମୂଲ୍ୟ ସହଯୋଗ ପ୍ରଦାନ କରିଥିବାରୁ ଆମେ ସେମାନଙ୍କ ପାଖରେ କୃତଜ୍ଞ ।
ଏଲଭିପିଇଆଇ ବିଷୟରେ: “ଉତ୍କୃଷ୍ଟ ଏବଂ ସମାନ ଚକ୍ଷୁ ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଯାହା ଆବଶ୍ୟକ କରୁଥିବା ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବ” ଏହି ଲକ୍ଷ୍ୟ ନେଇ ୧୯୮୭ ମସିହାରେ ସ୍ଥାପିତ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ), ଏକ ବିସ୍ତୃତ ଚକ୍ଷୁ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ଯାହାକି ଅନ୍ଧତ୍ୱର ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗି କେନ୍ଦ୍ର ଅଟେ । ଏଲଭିପିଇଆଇର ପାଞ୍ଚ-ସ୍ତରୀୟ “ଚକ୍ଷୁ ସ୍ୱାସ୍ଥ୍ୟ ପିରାମିଡ୍” ମଡେଲ୍ ଗାଁଠାରୁ ସହର ପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ସହିତ ସମସ୍ତଙ୍କୁ ଉଚ୍ଚମାନର ଏବଂ ବ୍ୟାପକ ପ୍ରତିରୋଧକ, ଚିକିତ୍ସାମୂଳକ ଏବଂ ପୁନର୍ବାସମୂଳକ ଚକ୍ଷୁ ଯତ୍ନ ପ୍ରଦାନ କରୁଛି । ଏଲଭିପିଇଆଇ ଚକ୍ଷୁ ଯତ୍ନ ନେଟୱାର୍କର ଭାରତର ଚାରିଟି ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ କର୍ଣ୍ଣାଟକରେ ୩୧୦+ କେନ୍ଦ୍ର ଅଛି । ଏହା ବର୍ତ୍ତମାନ ସୁଦ୍ଧା ୨୪ ନିୟୁତ (୨ କୋଟି ୪୦ ଲକ୍ଷ) ରୁ ଅଧିକ କେନ୍ଦ୍ର-ଆଧାରିତ ସେବା ପ୍ରଦାନ କରିଛି, ଯେଉଁଥିରେ ୫୦%ରୁ ଅଧିକ ଚକ୍ଷୁ ଜନିତ ସେବା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଇଛି ।
ଅଧିକ ସୂଚନା ପାଇଁ, ପ୍ରତିଷ୍ଠାନର ୱେବସାଇଟ୍ www.lvpei.org ପରିଦର୍ଶନ କରନ୍ତୁ । ଯୋଗାଯୋଗ: ଏଲ୍. ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ, ଏମଟିସି କ୍ୟାମ୍ପସ୍,ଭୁବନେଶ୍ୱର, ଫୋନ୍: +୯୧ ୭୦୦୮୩୬୪୦୦୫। ଇମେଲ୍: kirteemayee@lvpei.org। ୱେବସାଇଟ୍: www.lvpei.org।