)
ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ମାଓପ୍ରବଣ ତଥା ଉପାନ୍ତ ଅବହେଳିତ ଅଞ୍ଚଳ ଭାବେ ପରିଚିତ ସୁନାବେଡ଼ାରେ ପାଦ ଦେଇଛନ୍ତି। ଏଠାରେ ଥିବା ପ୍ରତ୍ୟକ୍ଷ ଦେବୀ ମା ସୁନାଦେଈଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଳାହାଣ୍ଡିଆର ଇଷ୍ଟ ଦେବୀ ମାଣିକେଶ୍ୱରୀଙ୍କ ନାଁ ନେଇ ଭୋଟ ମାଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ସିଧାସଳଖ ସୂନାବେଡ଼ାରେ ପହଞ୍ଚି ଏଠାକାର ଇଷ୍ଟଙ୍କ ଆଶୀର୍ବାଦ ନେବା ଭୋଟରଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଲୋଚନା ହେଉଛି।
ନିର୍ବାଚନ ଘୋଷଣା ପରେ ଶ୍ରୀ ଚରଣ ମାଝୀଙ୍କ ଶନିବାର ନୂଆପଡ଼ା ଗସ୍ତ ଦ୍ୱିତୀୟ ପ୍ରଚେଷ୍ଟା। ଆଜି ଏହି ପ୍ରଚେଷ୍ଟାରେ ସେ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ। ତାଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ସୁନାବେଡ଼ା ଆସି ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ଏହା ସୂଚନା ଦେଉଛି ଯେ, ଛତିଶଗଡ଼ ସୀମାନ୍ତ ଏହି ଜଙ୍ଗଲ ଏବେ ଆଉ ଲାଲ୍ କରିଡରର ଅଂଶ ବିଶେଷ ହୋଇ ନାହିଁ।
ମୁଖ୍ୟମନ୍ତ୍ରୀ ଏହି ଦର୍ଶନ ପରେ ସାଧାରଣ ଜନତାଙ୍କୁ ଭେଟି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଛନ୍ତି। ଏହାପରେ ହେଲିକପ୍ଟର ଯୋଗେ ଶନିବାର ଦିନ ୨ଟାରେ ସର୍କିଟ୍ ହାଉସ୍ ପାଖରେ ଥିବା ପଡ଼ିଆରେ ପହଞ୍ଚିଛନ୍ତି। ଏଠାରେ ୪ଟାବେଳେ ଏକ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି। ଉକ୍ତ ରୋଡ୍ ସୋ’ ୧୦ କିମି ଅତିକ୍ରମ କରି ଖରିଆର ରୋଡ୍ ସହରରେ ପହଞ୍ଚିବ। ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’ କରିବା ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ରାତ୍ରିଯାପନ କରି ପ୍ରଚାରର ମଙ୍ଗ ଧରିବେ।
ଆସନ୍ତା ୧୧ ତାରିଖରେ ନୂଆପଡ଼ା ନିଜର ପରବର୍ତ୍ତୀ ବିଧାୟକଙ୍କୁ ବାଛିବା ଲାଗି ଭୋଟ ଦେବ। ଏହା ପୂର୍ବରୁ ୯ ତାରିଖ ସନ୍ଧ୍ୟାରୁ ନୂଆପଡ଼ାକୁ ପ୍ରଚାର ଓ ପ୍ରଭାବ ମୁକ୍ତ କରିବାପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦେଶ ଦେଇଛନ୍ତି। ସମସ୍ତ ବାହାରି ନେତାଙ୍କୁ ନୂଆପଡ଼ା ଛାଡ଼ିବା ଲାଗି ଆଦେଶ ଦିଆଯାଇଛି।