)
ଭୁବନେଶ୍ୱର: ମହିଳାଙ୍କ ସଶକ୍ତୀକରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନାର ନୂଆ ନିୟମାବଳୀ ସାମ୍ନାକୁ ଆସିବାକୁ ଯାଉଛି। ଏଥିନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରସ୍ତୁତ ହେଉଛି। ଏହି ଯୋଜନା ଫଳରେ ଅନେକ ଛାତ୍ରୀ ସୁଭଦ୍ରା ଯୋଜନାରେ ପାଉଥିବା ବର୍ଷକୁ ୧୦ ହଜାର ଟଙ୍କା ଲାଭରୁ ବଞ୍ଚିତ ହେବେ।
କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଥିଲେ ମିଳିବନି ସୁଭଦ୍ରା ଟଙ୍କା । ଯଦି ଏପରିକି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିପାରନ୍ତି । ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ ।
ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କାକିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେକ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହୋଇପାରନ୍ତି । ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃରି ରାଶି ପ୍ରଦାନ କରାଯାଉଛି, ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।