)
ଭୁବନେଶ୍ୱର: ଆଗକୁ ଶୀତଋତୁ। ପୁରୀରେ ଗହଳି ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ପାଇଁ ନୂଆ ଆକର୍ଷଣ ହେବ ନୂତନ ଯାତ୍ରୀ କେନ୍ଦ୍ର। ଏହା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ନିର୍ମାଣ ହେଉଛି। ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ଦରର୍ଶନ ଲାଗି ଉନ୍ମୁକ୍ତ କରାଯିବ। ଏହି ମନ୍ଦିରକୁ କେବଳ ରଥଯାତ୍ରା ସମୟରେ ଖୋଲା ଯାଉଥିଲା। ବାକି ସମୟରେ ଏହାକୁ ବନ୍ଦ କରାଯାଇଥାଏ।
ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ଯୁଗ୍ମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୧୫ ଜଣ ସଦସ୍ୟ କୁ ନେଇ ଏହି କମିଟି ର ବୈଠକରେ ବହୁ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀଜଗନ୍ନାଥ ଧାମକୁ ଏକ ଶ୍ରେଷ୍ଠ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥଳରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ପ୍ରକଳ୍ପକୁ ନେଇ ସାଂସ୍କୃତିକ ଏବଂ ବୈଷୟିକ ଦିଗ ପ୍ରତି ଆଲୋଚନା କରାଯାଇଥିଲା।
ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତି କରଣ, ଶ୍ରୀମାର୍ଗର ଉନ୍ନତିକରଣ ଓବିସିସି ଦ୍ବାରା କରାଯିବ। ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ, ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ, ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ଏହାର ରକ୍ଷଣାବେକ୍ଷଣ, ବଡ଼ଦାଣ୍ଡ ଉନ୍ନତିକରଣ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ଶ୍ରୀମନ୍ଦିର ହୋମଯଜ୍ଞ ପ୍ରକଳ୍ପ, ଶ୍ରୀମନ୍ଦିର ନାମଯଜ୍ଞ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ଆସନ୍ତା ଡ଼ିସେମ୍ବର ଶେଷ ସୁଦ୍ଧା ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର କାର୍ଯ୍ୟ ଶେଷ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଉନ୍ନତିକରଣ ହୋଇଥିବା ବେଳେ ଏହାର ଚତୁଃପାର୍ଶ୍ଵର ଉନ୍ନତି କରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯାଇ ଖୋଲାଯିବାକୁ ନିଷ୍ପତ୍ତି ନିଆଯିବ। ସେବକ ମାନଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ମାଟି ତୋଟାରେ ଆଦର୍ଶ ଗୁରୁକୁଳ ନିର୍ମାଣ ନେଇ ଜମିଜମା ବିବାଦର ସମାଧାନ ଦିଗରେ ଜିଲ୍ଲାପାଳ ସମସ୍ୟା ର ସମାଧାନ କରିବାକୁ ନିଷ୍ପତି ନିଆଯାଇଅଛି।ଶ୍ରୀମନ୍ଦିର ଐତିହ୍ୟ ଆଲୋକୀକରଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ବେଳେ ଏଏସଆଇ ସହିତ ଆଲୋଚନା କରାଯାଇ ମୁଖ୍ୟ ମନ୍ଦିରକୁ ଛାଡ଼ି ମେଘନାଦ ପାଚେରୀ ଏବଂ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରକୁ ମଧ୍ୟ ଆଲୋକୀକରଣ କରାଯିବ।
ଶ୍ରୀମନ୍ଦିର ନାଟମଣ୍ଡପ କୁ ଶୀତତାପ ନିୟନ୍ତ୍ରିତ କରାଯିବାକୁ ଥିବାବେଳେ ଏନେଇ ଟେଣ୍ଡର ପ୍ରକ୍ରିୟା ସରିଛି। ଶ୍ରୀମନ୍ଦିର ଭିତରେ ଥିବା ସମସ୍ତ ଲୁହା ବ୍ୟାରିକେଡ଼ ଗୁଡ଼ିକ ଅପସରଣ କରାଯାଇ ପିତ୍ତଳ ବ୍ୟାରିକେଡ଼ ସ୍ଥାପନା କାର୍ଯ୍ୟ ଜାରି ରହିଛି। ନିଳାଦ୍ରୀ ଭକ୍ତ ନିବାସ ପଛରେ ଥିବା ଖାଲି ସ୍ଥାନରେ ଏକ ନୂଆ ଭକ୍ତ ନିବାସ ସ୍ଥାପନା ହେବ। ଶ୍ରୀମନ୍ଦିରରେ ଭିତରେ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ବଦଳରେ ପରିବେଶ ଅନୁକୂଳ ବ୍ୟାଗ ବ୍ୟବହାର କରାଯିବ।
ଶ୍ରୀମନ୍ଦିର ଭିତରେ ପୋଲିସ ଏବଂ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ଙ୍କ ପାଇଁ ସମ୍ପୂର୍ଣ୍ଣ ମୋବାଇଲ ବ୍ୟବହାର ବନ୍ଦ ନେଇ ଲାଗୁ ହେବ କଟକଣା। ନୀତି ସହିତ ସମ୍ପୃକ୍ତ ଥିବା ସେବାୟତ ମାନେ କେବଳ ଶ୍ରୀମନ୍ଦିର ଭିତରେ ଥିବା ଗାରଦ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୋବାଇଲ ବ୍ୟବହାର କରିପାରିବେ। ସାର୍ବଜନୀନ ସ୍ଥାନରେ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଙ୍କ ସମେତ ଗିରିଶ ଚନ୍ଦ୍ର ମୁର୍ମୁ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।