)
ଭୁବନେଶ୍ୱର: ଜୁନ୍ ୧୨ ଦିନ ଘଟିଥିବା ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟ ଦୋଷୀ ନୁହନ୍ତି। ପ୍ରାଥମିକ ରିପୋର୍ଟରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ଏଣୁ ଏଥିପାଇଁ ନିଜ ମୁଣ୍ଡରେ ବୋଝ ନ ମୁଣ୍ଡାଇବାକୁ ପାଇଲଟଙ୍କ ୯୧ ବର୍ଷୀୟ ବାପାଙ୍କୁ ପରାମର୍ଶ ଦେଇଛନ୍ତି କୋର୍ଟ।
ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଜୁନ୍ ମାସରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ଦୁର୍ଘଟଣାକୁ "ଦୁର୍ଭାଗ୍ୟଜନକ" ବୋଲି କହିଛନ୍ତି, ଯେଉଁଥିରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହି ଦୁର୍ଘଟଣା ପାଇଁ କେହି ପାଇଲଟଙ୍କୁ ଦାୟୀ କରିପାରିବେ ନାହିଁ ବୋଲି ମତ ଦେଇଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି, "ଭାରତରେ କେହି ବିଶ୍ୱାସ କରନ୍ତି ନାହିଁ ଯେ ଏହା ପାଇଲଟଙ୍କ ଭୁଲ ଥିଲା।"
ସର୍ବୋଚ୍ଚ ନ୍ୟାୟାଳୟ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ବିମାନରେ ଏୟାର ଇଣ୍ଡିଆ ପାଇଲଟଙ୍କ ପାଇଲଟ-ଇନ୍-କମାଣ୍ଡ ସ୍ୱର୍ଗତ କ୍ୟାପ୍ଟେନ ସୁମିତ ସବରୱାଲଙ୍କ ପିତାଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ କେନ୍ଦ୍ର, ଡିଜିସିଏ ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତି, ଯେଉଁଥିରେ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାର ଏକ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଏକ ନିରପେକ୍ଷ, ସ୍ୱଚ୍ଛ ଏବଂ ବୈଷୟିକ ଭାବରେ ସଠିକ୍ ତଦନ୍ତ ଦାବି କରାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ଗୋପାଳ ଶଙ୍କରାନାରାୟଣନ ଖଣ୍ଡପୀଠକୁ କହିଥିଲେ ଯେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଦ୍ୱାରା କରାଯାଉଥିବା ବର୍ତ୍ତମାନର ତଦନ୍ତ ସ୍ୱାଧୀନ ନୁହେଁ। ଏପରିକି ଏହି ତଦନ୍ତ ପରେ ପାଇଲଟଙ୍କୁ ଦାୟୀ କରାଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ଏହାକୁ ଜଣେ ଅବସରପ୍ରାପ୍ତ ବିଚାପତିଙ୍କ ତତ୍ତ୍ୱାବଧାନରେ କରିବାର ଆବଶ୍ୟକତା ରହିଛି।
"ଏହି ଦୁର୍ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କିନ୍ତୁ ଆପଣ ( ପାଇଲଟଙ୍କ ବାପା) ଏହି ବୋଝ ବୋହିବା ଉଚିତ୍ ନୁହେଁ। ଏଥିରେ ଆପଣଙ୍କ ପୁଅକୁ ଦୋଷ ଦିଆଯାଉଛି... ତାହା ଭାବିବା ଅନୁଚିତ। କେହି ପାଇଲଟଙ୍କୁ କୌଣସି ଜିନିଷ ପାଇଁ ଦୋଷ ଦେଇପାରିବେ ନାହିଁ," ବୋଲି କହିଛନ୍ତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ।
ଜଷ୍ଟିସ୍ ବାଗଚି ଏହା ମଧ୍ୟ କହିଛନ୍ତି ଯେ ପ୍ରାରମ୍ଭିକ ଏଏଆଇବି ରିପୋର୍ଟରେ ପାଇଲଟଙ୍କ ବିରୁଦ୍ଧରେ କୌଣସି ଇଙ୍ଗିତ ନାହିଁ। ‘ଓ୍ୱାଲଷ୍ଟ୍ରୀଟ୍ ଜଣ୍ଣାଲରେ ପ୍ରକାଶିତ ରିପୋର୍ଟକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। "ଏହା ଖରାପ ରିପୋର୍ଟିଂ। ଭାରତରେ କେହି ବିଶ୍ୱାସ କରନ୍ତି ନାହିଁ ଯେ ଏହା ପାଇଲଟ୍ଙ୍କ ଭୁଲ ଥିଲା," ବୋଲି ଖଣ୍ଡପୀଠ କହିଛନ୍ତି। ଏହାପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ନଭେମ୍ବର ୧୦ ତାରିଖରେ ଘୋଷଣା କରିଥିଲେ।
୯୧ ବର୍ଷୀୟ ପୁଷ୍କରାଜ ସବରୱାଲ ଏବଂ ଭାରତୀୟ ପାଇଲଟ୍ ମହାସଂଘ (ଏଫ୍ଆଇପି) ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏବଂ ବିମାନ ଚଳାଚଳ କ୍ଷେତ୍ରର ସ୍ୱାଧୀନ ବିଶେଷଜ୍ଞଙ୍କୁ ସଦସ୍ୟ କରି ଏକ ନ୍ୟାୟିକ ତଦାରଖ କମିଟି ଗଠନ କରିବାକୁ ଆବେଦନ କରିଥିଲେ।