)
ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍ଦାନ ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ୭୭.୯୩% ଲୋକ ଭୋଟ ଦେଇଛନ୍ତି। ଅନେକ ମତଦାନ କେନ୍ଦ୍ରରେ ଏବେ ବି ଭୋଟ ଚାଲିଛି। ଏଣୁ ଆଗକୁ ମତଦାନ ପ୍ରତିଶତ ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି।
ଗତ ବିଧାନସଭା ନିର୍ବାଚନରେ ଭୋଟିଂ ହାର ୭୫.୪୪% ଥିଲା। ଏଥର ଭୋଟ ପ୍ରଥମଥର ପାଇଁ ନଭେମ୍ବର ମାସରେ ହୋଇଥିବାରୁ ଅନେକ ଭୋଟର ସେମାନଙ୍କ କାମକୁ ନଯାଇ ଭୋଟ ଦେବାକୁ ଅଧିକ ପସନ୍ଦ କରିଥିବା କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।
ବୁଥ ଭିତରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ମନମୋହନ କହିଛନ୍ତି, ଗଲା ପାଞ୍ଚ ବର୍ଷରେ ୮ଟି ଉପ ନିର୍ବାଚନ ହୋଇଛି। ଧାମନଗରକୁ ଛାଡ଼ିଦେଲେ ଆଉ କୌଣସି ସ୍ଥାନରେ ବିଜେପି ଜିତି ନାହିଁ। ପ୍ରତିଥର ଆମେ ଆତ୍ମ ସମୀକ୍ଷା କରିଛୁ। କିନ୍ତୁ କେବେ ଅନ୍ୟ ଉପରେ ଦୋଷ ଲଦିବା ଅଭିଯୋଗ କରିବା ଆମେ କରି ନାହୁଁ ବୋଲି କହିଛନ୍ତି ଶ୍ରୀ ସାମଲ। ବରଂ, ଜନତାଙ୍କ ମତକୁ ସହି ଆମେ ଆତ୍ମ ସମୀକ୍ଷା କରି ଜିତିବାର ପ୍ରୟାସ କରିଛୁ ବୋଲି ସେ କହିଛନ୍ତି। କିନ୍ତୁ କିଛି ଦଳଙ୍କ ଏଯାଏ ଶାସନରେ ଥିବାରୁ ହ୍ୟାଙ୍ଗଓଭର ଯାଇନି ଏଣୁ ସେମାନେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।
ଆଜି ସକାଳୁ ମତଦାନ ହେବା ପରେ ବିଜେଡି ଓ କଂଗ୍ରେସ ପକ୍ଷରୁ ଭୋଟ ଚୋରି, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଆଦି ନେଇ ଅନେକ ଅଭିଯୋଗ ହୋଇଥିଲା।
ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚକୁ ଶୃଙ୍ଖଳିତ କରିବା ତଥା ତ୍ରୁଟିଶୂନ୍ୟ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବାତାବରଣ ସୃଷ୍ଟି ସହ ଆଦର୍ଶ ଆଚରଣ ବିଧି ପାଳନକୁ ନିଶ୍ଚିତ କରାଯାଇଛି।
ନିର୍ବାଚନ ସମୟରେ ଗୋଟିଏ ଭିଭିପ୍ୟାଟ ମସିନ୍ ତ୍ରୁଟିଯୁକ୍ତ ଥିବାରୁ ଏହାକୁ ବଦଳାଯାଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ। ବୁଥ ସଂଖ୍ୟା ୮୦ରେ ବ୍ୟାଲଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଏବଂ ଭିଭିପାଟ୍ ମସିନକୁ ବଦଳା ଯାଇଛି। ସେହିପରି ୪୬ ନମ୍ବର ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସମସ୍ତ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଭୋଟିଂକୁ ଅନୁଧ୍ୟାନ କରାଯାଉଛି। କୌଣସି କ୍ଷେତ୍ରରେ ତ୍ରୁଟି ଆସିଲେ ତାହାକୁ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରାଯାଉଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।
ସନ୍ଧ୍ୟା ୬ଟାରେ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ୧୬୫ଟି ବୁଥରେ ଭୋଟ ଶେଷ ହୋଇଥିଲା। ୮ଟି ସମ୍ବେଦନଶୀଳ ବୁଥରୁ ପୁଲିଂ ପାର୍ଟିକୁ ହେଲିକପ୍ଟର ସହାୟତାରେ ଫେରାଇ ଅଣାଯାଇଥିଲା।