Advertisement
Article Detail0/zeeodisha/odisha3001349

ନୂଆପଡ଼ା ଗଣିବ କାହାର କେତେ ସମର୍ଥନ: ଘୋଷଣା କରିବ ନୂଆ ବିଧାୟକ

ଦୀର୍ଘ ଦିନର ଅପେକ୍ଷା ଅନ୍ତ ହେବ। ୮ ସେପ୍ଟେମ୍ବରରେ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜ୍ୟ ବିଧାନସଭାରେ ପ୍ରତିନିଧିଙ୍କୁ ହରାଇଥିଲା ନୂଆପଡ଼ା। ଆଜି ପୁଣିଥରେ ନୂଆ ପ୍ରତିନିଧିଙ୍କୁ ବାଛିବ। ଏହି ଦାୟିତ୍ୱ ପାଇଁ ଗତ ୧୧ ତାରିଖରେ ହୋଇଥିବା ନିର୍ବାଚନରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟର ସମସ୍ତଙ୍କ କଥା ଶୁଣି ନୂଆପଡ଼ା ଭବିଷ

ନୂଆପଡ଼ା ଗଣିବ କାହାର କେତେ ସମର୍ଥନ: ଘୋଷଣା କରିବ ନୂଆ ବିଧାୟକ

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ଅନ୍ତ ହେବ। ୮ ସେପ୍ଟେମ୍ବରରେ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜ୍ୟ ବିଧାନସଭାରେ ପ୍ରତିନିଧିଙ୍କୁ ହରାଇଥିଲା ନୂଆପଡ଼ା। ଆଜି ପୁଣିଥରେ ନୂଆ ପ୍ରତିନିଧିଙ୍କୁ ବାଛିବ। ଏହି ଦାୟିତ୍ୱ ପାଇଁ ଗତ ୧୧ ତାରିଖରେ ହୋଇଥିବା ନିର୍ବାଚନରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟର ସମସ୍ତଙ୍କ କଥା ଶୁଣି ନୂଆପଡ଼ା ଭବିଷ୍ୟତ ପାଇଁ ନିଜର ପସନ୍ଦିତ ପ୍ରାର୍ଥୀଙ୍କୁ ବାଛି ସାରିଛନ୍ତି। ଆଉ ସେଇ ପସନ୍ଦିତ ଭୋଟକୁ ଆଜି ଗଣତି କରାଯିବ। ଏଥିଲାଗି ନୂଆପଡ଼ା ପୂରା ଉତ୍କଣ୍ଠାର ସହ ଅପେକ୍ଷା କରିଛି।

 ଜିଲ୍ଲା ପ୍ରାଶାସନର ନିର୍ଦ୍ଧାରଣ ଅନୁସାରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ୍‍ ବ୍ୟାଲଟ ଖୋଲାଯାଇ ଗଣତି କରାଯିବ। ଏହାପରେ ଇଭିଏମ୍‍ ଖୋଲାଯିବ। ୩୫୮ଟି ବୁଥରେ ଭୋଟ ଗ୍ରହଣ ପାଇଁ ଲଗାଯାଇଥିବା ଇଭିଏମ୍‍କୁ ଷ୍ଟ୍ରଙ୍ଗରୁମ୍‍ରୁ ଗୋଟିକ ପରେ ଗୋଟିଏ ଅଣାଯାଇ ଗଣାଯିବ। ନୂଆପଡ଼ାର ନ୍ୟାସନାଲ୍‍ କଲେଜରେ ଏଥିଲାଗି ଗଣତି ଟେବଲ କରାଯାଇଛି। ୧୪ଟି ଟେବଲ ହୋଇଛି। ପ୍ରତି ଟେବଲ ଦାୟିତ୍ୱରେ ତିନିଜଣ ଅଧିକାରୀ ରହିଛନ୍ତି। ଏହା ସହ ରାଜନୀତିକ ଦଳ ବା ପ୍ରାର୍ଥୀଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ। ଏହାପରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଗଣତି କରାଯିବ।

ସକାଳ ସାଢ଼େ ଆଠଟାରୁ ଗଣତି ଆରମ୍ଭ ହେବାକୁ ଥିବାରୁ ପୁଲିସ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଣତି କେନ୍ଦ୍ର ବାହାରେ ଏକ ପ୍ଲାଟୁନ ପୁଲିସ ମୁତ୍ତୟନ କରାଯାଇଛି। ଇଭିଏମ୍‍ ଷ୍ଟ୍ରଙ୍ଗରୁମ୍‍କୁ ସଶସ୍ତ୍ର ବଳ ଘେରି ରହିଛନ୍ତି।

Add Zee News as a Preferred Source

ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ଉପ ନିର୍ବାଚନ। ଏହି ନିର୍ବାଚନରେ ସରକାରୀ ଦଳ ଜିତିବା ପାଇଁ ପୂରା ଦମ୍‍ ଲଗାଇଛି। ପୂର୍ବରୁ ବିଧାୟକ ଥିବା ରାଜେନ୍ଦ୍ର ଢୋଲକିଆ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏବେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ଓ ମହିଳା ପ୍ରାର୍ଥୀ ହୋଇଥିବାରୁ ବିଜେଡି ତାଙ୍କ ବିଜୟ ଆଶା କରିଛି। କଂଗ୍ରେସ ଏଥର ପୂର୍ବ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିବା ଘାସିରାମ ମାଝିଙ୍କୁ ପ୍ରାର୍ଥୀ କରିଛି। ଘାସିରାମ ଗତ ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିଲେ।

ଏଥର ନୂଆପଡ଼ା ସର୍ବାଧିକ ଭୋଟ ଦେଇଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ୮୩.୪୫% ପ୍ରତିଶତ ମତଦାନ ହୋଇଅଛି। ଏଠାରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୫୪ ହଜାର ୪୯୭  ରହିଥିବା ବେଳେ  ନିର୍ବାଚନରେ ୨ ଲକ୍ଷ ୧୨ ହଜାର ୪୮୫ ଜଣ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସେଥିମଧ୍ୟରୁ ଜିଲ୍ଲା ରେ  ପୁରୁଷ ଭୋଟର ୧ଲକ୍ଷ ୩ହଜାର ୮୧୭ ଭୋଟ ଦେଇଥିବା ବେଳେ ୧ ଲକ୍ଷ ୮ ହଜାର ୫୬୧୩ ଜଣ ମହିଳା ମାନେ ଭୋଟ ଦେଇଛନ୍ତି।  

ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କୁ ଟକ୍କର ଦେଇଥିଲେ ଘାସିରାମ ମାଝି। ସେ ମାତ୍ର ୧୦ ହଜାର ୮୮୧ ଭୋଟରେ ପଛୁଆ ରହିଥିଲେ।  

ବିଜେଡି ଓ କଂଗଅେସ ପକ୍ଷରୁ ନୂଆପଡ଼ା ଉପ ନିର୍ବାଚନରେ ଭୋଟ ଚୋରି ଅଭିଯୋଗ ହୋଇଛି। ୪୧ ନମ୍ବର ବୁଥରେ ବିଜେଡି ଭୋଟ ଚୋରି ଅଭିଯୋଗ କରିବା ସହ ନିର୍ବାଚନ ଅଧିକାରୀଙ୍କଠାରୁ ସିସିଟିଭି ଫୁଟେଜ ମାଗିଛି। ଠିକ୍‍ ସେହିପରି କଂଗ୍ରେସ ମଧ୍ୟ ହେଲିକପ୍ଟରରେ ଇଭିଏମ୍‍ କାହା ହେପାଜତରେ ଥିଲା ବୋଲି ପ୍ରଶ୍ନ ପଚାରିଛି।

About the Author