)
ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ତିନି ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେମାନେ ହେଲେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସୁଦର୍ଶନ ଚକ୍ରବର୍ତ୍ତି, ୨୦୧୪ ବ୍ୟାଚ୍ ଅଧିକାରୀ ମୋନିକା ପ୍ରିୟଦର୍ଶିନୀ ଏବଂ ୨୦୧୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ।
ଆଜି ପ୍ରକାଶିତ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡ଼ିଶା ରଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ଶ୍ରୀ ଚକ୍ରବର୍ତ୍ତିଙ୍କୁ ରାଜ୍ୟ ସରକାର କୃଷି ବିପଣନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ଓସାମ ବୋର୍ଡର ଏକ୍ସ ଅଫିସିଓ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।
ସେହିପରି ଓଡ଼ିଶା ଲାଇଭ୍ଲିହୁଡ୍ ମିଶନ ନିରଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସରକାର ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ସେ ମିଶନ ଶକ୍ତି ନିର୍ଦ୍ଦେଶିକା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।
ପୂର୍ବରୁ ଏକ ଆଦେଶରେ ରାଜ୍ୟ ସରକାର ଚକ୍ରବର୍ତ୍ତି ସିଂହ ରାଠୋରଙ୍କୁ ଓରମାସର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ। ଏହି ଆଦେଶକୁ ବାତିଲ କରାଯାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।
ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳଙ୍କୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର। ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ହେବ।