)
ଭୁବନେଶ୍ୱର: ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଦ୍ୱାରା ପରିଚାଳିତ ‘ବଣିକ’ କୋଚିଂ ପ୍ରତିଷ୍ଠାନରେ ରାଜ୍ୟ ପୁଲିସ କ୍ରାଇମ୍ ବ୍ରାଞ୍ଚ ଚଢ଼ଉ କରିଛି। ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ସ୍କାମରେ ଏହି ଅନୁଷ୍ଠାନ ଜଡ଼ିତ ଥିବା ପୁଲିସ ସନ୍ଦେହ କରିଛି। ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କ ପାଖରୁ ସୁରାକ ପାଇ ପୁଲିସ ଏହି ଚଢ଼ଉ କରିବା ସହ ବଣିକର ସମସ୍ତ ଡେଟାବେସ୍କୁ ଯାଞ୍ଚ କରୁଛି।
ଅକ୍ଟୋର ୫ ଏବଂ ୬ ତାରିଖରେ ରାଜ୍ୟ ପୁଲିସର ଏସ୍ଆଇ ପରୀକ୍ଷା ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ପୁଲିସ ନିଯୁକ୍ତି ବୋର୍ଡଠାରୁ ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିକାଲ୍ ସହାୟତା ପାଇଁ ଦାୟିତ୍ୱ ପାଇଥିବା କିଛି ଏଜେନ୍ସୀର କର୍ମକର୍ତ୍ତା ଏହି ନିଯୁକ୍ତିରେ ଚାକିରି ଫିକ୍ସିଂ କାରବାରରେ ଲାଗିଥିବା ଅଭିଯୋଗ ହୋଇଥିଲା। ଫଳରେ ଓଡ଼ିଶା ପୁଲିସ ଏହି ମାସ ଆରମ୍ଭରୁ ୧୧୪ ଜଣ ପ୍ରାର୍ଥୀ ଓ ୩ ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲେ। ଏହା ପରବର୍ତ୍ତୀ ସମୟରେ ୩ ଜଣ ମଧ୍ୟସ୍ଥିଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମାଧ୍ୟମରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଅଧିକ ଶକ୍ତି ଯୋଗାଇଥିଲା।
ଏହି ଯାଞ୍ଚ ସମୟରେ ପୁଲିସ ଆଗରେ କିଛି ପ୍ରାର୍ଥୀ ବଣିକ ପ୍ରତିଷ୍ଠାନରେ ପଢ଼ୁଥିବା ନେଇ କହିଥିଲେ। ଏହା ସହ ଦଲାଲ ମାନଙ୍କ ସହାୟତାରେ ଏଠାରେ ଛାତ୍ରଛାତ୍ରୀଙ୍କୁ ପ୍ରାୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଅଭିଯୋଗର ତଦନ୍ତ କରିବା ପାଇଁ ଗଲା ୫ ବର୍ଷର ରେକର୍ଡ ଯାଞ୍ଚ କରୁଛି।
ଅପରାହ୍ଣରେ କ୍ରାଇମ ବ୍ରାଞ୍ଚର ଟିମ୍ ଭୁବନେଶ୍ୱର ସିଆର୍ପି ଛକରେ ଥିବା ବଣିକ ଅନୁଷ୍ଠାନରେ ପହଞ୍ଚିଥିଲ।। ଏହାପରେ କର୍ମଚାରୀଙ୍କ ସହାୟତାରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ବାଣିକ ପକ୍ଷରୁ କୁହାଯାଇଛି ଯେ; ପ୍ରତିଷ୍ଠାନର କୌଣସି ସମ୍ପର୍କ ନାହିଁ ଏବଂ ସେମାନେ ପୁଲିସର ତଦନ୍ତ ପ୍ରକ୍ରିୟାରେ ସହାୟକ ହୋଇଛନ୍ତି।
ଏଠାରେ ସୂଚନା ଦିଆଯାଇପାରେ ଯେ, ସୁବ୍ରତ ଛାଟୋଇଙ୍କ ସହ ବିଜେଡି ନେତା ଓ ନବୀନଙ୍କ ମୁଖ୍ୟ ସହଯୋଗୀ ଭିକେ ପାଣ୍ଡିଆନ୍ଙ୍କ ସହ ଭଲ ସମ୍ପର୍କ ରହି ଆସିଛି। ଏହାଙ୍କ ଅନେକ ଫଟୋ ପାଣ୍ଡିଆନ୍ଙ୍କ ସହ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବାଣିକ ସହ ଶ୍ରୀ ଛାଟୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ଜାତୀୟସ୍ତରର କୋଚିଂ ସେଣ୍ଟର ବ୍ରାଞ୍ଚକୁ ମଧ୍ୟ ପରିଚାଳନା କରୁଛନ୍ତି। ଖାଲି ସେତିକି ନୁହେଁ, କ୍ରାଇମ ବ୍ରାଞ୍ଚ ତଦନ୍ତ ସମୟରେ ଗିରଫ ହୋଇଥିବା ନେତାମାନଙ୍କ ସହ ତାଙ୍କର ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି।