)
ଭୁବନେଶ୍ୱର: ପୁଲିସ ଏସ୍ଆଇ ନିଯୁକ୍ତିରେ ଅନିୟମିତତା କିଛି ନୁଆ କଥା ନୁହେଁ। ରାଜ୍ୟରେ ଏମିତି ଘଟଣା ଲାଗି ଅନେକଙ୍କ କ୍ୟାରିୟର ନଷ୍ଟ ହୋଇଛି। ୩୩ ବର୍ଷ ପରେ ଏହିପରି ୩ ଜଣଙ୍କ ଆବେଦନକୁ ଯୁକ୍ତିଯୁକ୍ତ ଦର୍ଶାଇ ରାଜ୍ୟ ସରକାରଙ୍କୁ ଦଣ୍ଡିତ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଖାଲି ସେତିକି ନୁହେଁ ସେମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
୧୯୯୨ ମସିହାରେ ଏହି ପରୀକ୍ଷା ହୋଇଥିଲା। ସେତେବେଳେ ଓଡ଼ିଶା ପୁଲିସରେ ସବ୍ଇନ୍ସପେକ୍ଟର ପଦ ଲାଗି ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଥିବାରୁ ତିନି ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇଥିଲେ। ନିଯୁକ୍ତି ପ୍ରକ୍ରିୟାରେ ଭୁଲ୍ ଯୋଗୁ ସେମାନଙ୍କ କ୍ୟାରିୟର ବରବାଦ ହୋଇଯାଇଥିବା କହିଥିଲେ।
ଏନେଇ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ମାମଲା ଚାଲିଥିଲା। ଓଡ଼ିଶାରେ ପୁଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି ଏକ ସାମାନ୍ୟ ଘଟଣା ଦର୍ଶାଇ ଚଳିତ ସପ୍ତାହରେ ଲୋକଲୋଚନକୁ ଆସିଥିବା ସବ୍ଇନ୍ସପେକ୍ଟର ନିଯୁକ୍ତି ଘୋଟାଲା ବିଷୟରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତିନି ପରୀକ୍ଷାର୍ଥୀଙ୍କ କ୍ୟାରିଅର ପ୍ରଭାବିତ ହୋଇଥିବାରୁ ଓଡ଼ିଶା ସରକାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଉଲ୍ଲେଖ କରିଥିଲେ। ଆବେଦନକାରୀଙ୍କ ଯୁକ୍ତିରେ ସହମତି ପ୍ରକାଶ କରି ଖଣ୍ଡପୀଠ ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।
ଆଦେଶ ଅନୁସାରେ ଦୁଇ ମାସ ମଧ୍ୟରେ ଏହି କ୍ଷତିପୂରଣ ଦେବେ ସରକାର। ନିଯୁକ୍ତି ସୁଯୋଗରୁ ବାଦ୍ ପଡ଼ିଥିବା ଜୟ କିଶୋର ମିଶ୍ର, ଭୁବନାନନ୍ଦ ପଟ୍ଟନାୟକ ଓ ପ୍ରଶାନ୍ତ କୁମାର ସାହାଣୀଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ରାଶି ପ୍ରଦାନ କରିବେ। ବୁଧବାର ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଓ ବିଚାରପତି ଏନ ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ସୁରେଶ ଚନ୍ଦ୍ର ତ୍ରିପାଠୀ ଦର୍ଶାଇଥିଲେ ଯେ ସାମାନ୍ୟ କାରଣରୁ ତିନି ଜଣଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ୧୩ ବର୍ଷ ପରେ ୨ ଅଗଷ୍ଟ ୨୦୦୫ରେ ଅନୁଷ୍ଠିତ ଶାରୀରିକ ପରୀକ୍ଷା ଲୋ ହର୍ଡଲ୍ସ ଶ୍ରେଣୀରେ ୧୨୦ ମିଟର ଦୌଡ଼ ପରୀକ୍ଷାକୁ ୨୫ ସେକେଣ୍ଡ ବଦଳରେ ତିନି ପରୀକ୍ଷାର୍ଥୀ ୨୭ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ ଯାହାକି ମାତ୍ର ୨ ସେକେଣ୍ଡ ଅଧିକ ଥିଲା।