)
ଭୁବନେଶ୍ୱର: ରାଜ୍ୟର ୯ଟି ମହାବିଦ୍ୟାଳୟ ଏବଂ ୨ଟି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ତିନିକୋଟି ୪୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ‘ଆମ ଗୌରବ ଆମ କଲେଜ’ ଯୋଜନା ଅଧିକରେ ଏହି ଅର୍ଥ ଖର୍ଚ୍ଚହେବ। ଏହି ପାଣ୍ଠି ପାଠାଗାରକୁ ସୁଦୃଢ଼ କରିବା, କ୍ରୀଡା ଏବଂ ଶୈକ୍ଷିକ କମ୍ପ୍ଲେକ୍ସ ନିର୍ମାଣ, ୱାଇ-ଫାଇ ସଂଯୋଗ ସ୍ଥାପନ, ସିସିଟିଭି ନିରୀକ୍ଷଣ ଇତ୍ୟାଦି ସମେତ ବହୁବିଧ ବିକାଶ ପ୍ରକଳ୍ପ ପାଇଁ ବ୍ୟବହାର କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଏହି ପଦକ୍ଷେପରେ ସାମିଲ୍ ହୋଇଥିବା ଦୁଇ ବିଶ୍ୱବିଦ୍ୟାଳୟ ହେଲେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ କଟକର ରେଭେନଶା ବିଶ୍ୱବିଦ୍ୟାଳୟ। ସେହିପରି ୯ କଲେଜ ହେଉଛନ୍ତି, ଅନୁଗୁଳ ସ୍ଥିତ ପଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱରର ଜଗନ୍ନାଥ ଡିଗ୍ରୀ କଲେଜ, ଜଳେଶ୍ୱର, କଟକର ମହାନଦୀ ବିହାର ମହିଳା (ଡିଗ୍ରୀ) କଲେଜ, ନିଆଳି ଡିଗ୍ରୀ କଲେଜ, ଗଞ୍ଜାମର ଅଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ଝାରସୁଗୁଡ଼ାର ପଞ୍ଚାୟତ ଅଞ୍ଚଳିକା ଡିଗ୍ରୀ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ତୁଳସୀ ମହିଳା ଡିଗ୍ରୀ କଲେଜ, ମୟୁରଭଞ୍ଜଜିଲ୍ଲାର ଜଶୀପୁର ଡିଗ୍ରୀ କଲେଜ ଏବଂ ନୟାଗଡ଼ର ଶୁକ୍ରା ବେହେରା ଡିଗ୍ରୀ କଲେଜ।