)
ଭୁବନେଶ୍ୱର: ସୋଶାଲ୍ ମିଡିଆର ପୋଷ୍ଟ ଉତ୍ତେଜନା ସୃଷ୍ଟି କରିପାରେ। ମିଛ ଓ ମନଗଢ଼ା କାହାଣୀକୁ କେହି ପୋଷ୍ଟ କରି ଆପଣଙ୍କୁ ଉସ୍କାଉଥାଇପାରେ। ଏଣୁ ଏଗୁଡ଼ିକ ପ୍ରତି ସାବଧାନ ରହିବା ଆବଶ୍ୟକ। ନହେଲେ ପୁଲିସ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏମିତି ଚେତାବନୀ ଦେଇଛି ଓଡ଼ିଶା ପୁଲିସ।
ରାଜ୍ୟ ପୁଲିସର ଏକ୍ସ ହ୍ୟାଣ୍ଡଲରେ ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡ଼ିଆରେ କୌଣସି ଖବର ପୋଷ୍ଟ କରିବା ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ। ଏହା ସହ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ କରିବାରୁ ବିରତ ରହନ୍ତୁ। ଯେଉଁମାନେ ମିଥ୍ୟା କିମ୍ବା ଭ୍ରାନ୍ତି ସୂଚନା ପ୍ରଚାର ଓ ପ୍ରସାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ବ୍ୟକ୍ତି ବିଶେଷ ମିଥ୍ୟା ଖବର ପ୍ରସ୍ତୁତ ଓ ପ୍ରଚାର କରି ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ନାଗରିକମାନେ ସଚେତନ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ମିଛ ଭିଡିଓ କିମ୍ବା ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ବିଶ୍ୱାସ କରନ୍ତୁ ନାହିଁ’।
କଟକରେ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ଶାନ୍ତି ଶୃଙ୍ଖଳା ଲାଗି ସହରରେ ୬୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ତେବେ ଅସାମାଜିକ ବ୍ୟକ୍ତି ମାନଙ୍କୁ ଡିଜିପି ଓ୍ବାଇ ବି ଖୁରାନିଆ କଡା ଚେତାବନୀ ଦେଇଛନ୍ତି। ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ୍ ଡିଜି ଅପିଲ୍ କରିଛନ୍ତି। କଟକ ଭାଇଚାରାର ସହର , ଏଠି ସବୁ ପର୍ବ ସମସ୍ତେ ମିଳିମିଶି ପାଳନ କରନ୍ତି। ସବୁ କଟକବାସୀଙ୍କୁ ଆଇନ୍ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଓଡିଶା ପୁଲିସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। ପୁଲିସ୍ ଓ୍ବେବସାଇଟରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ଵାସ କରନ୍ତୁ ବୋଲି କହିଛନ୍ତି।