)
ଭୁବନେଶ୍ୱର: ରାଜ୍ୟ ପୁଲିସରେ ସବ୍ଇନସ୍ପେକ୍ଟର ପଦବୀରେ ନିଯୁକ୍ତି ଲାଗି ହେବାକୁ ଥିବା ପରୀକ୍ଷାରେ ଜବରଦସ୍ତ ସ୍କାମ ପଦାକୁ ଆସିଛି। ଏହି ପରୀକ୍ଷାରେ ଏବେ ପୁଲିସ ୧୧୪ ଜଣ ଟଙ୍କା ଦେଇ ପଦବୀ କିଣିବାକୁ ଯୋଜନା ରଖିଥିବା ପ୍ରାର୍ଥୀଙ୍କୁ ଗିରଫ କରିଛି। ସେମାନେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦଲାଲଙ୍କୁ ପ୍ରଶ୍ନପତ୍ର ପାଇବାକୁ ଦେଇଥିଲେ। ଏମାନଙ୍କ ସହ ୩ ଜଣ ଏଜେଣ୍ଟ ବା ଦଲାଲ ଗିରଫ ହୋଇଥିବା ପୁଲିସ କହିଛି। ହେଲେ ବାସ୍ତବରେ ବଡ଼ ଦଲାଲ ବା ରାକେଟ ମୁଖ୍ୟଙ୍କୁ ପୁଲିସ ଦୁଇଦିନ ହେଲା ଖୋଜି ପାଉନି।
ପୁଲିସ ସୂଚନା ଅନୁସାରେ ଏହି ୧୧୪ ଜଣ ପ୍ରାର୍ଥୀ ଏବଂ ୩ ଜଣ ଏଜେଣ୍ଟଙ୍କୁ ବ୍ରହ୍ମପୁର ପୁଲିସ ଆନ୍ଧ୍ର ସୀମାରୁ ଗିରଫ କରିଛି। ସେମାନେ ତିନୋଟି ଭିନ୍ନ ଭିନ୍ନ ବସରେ ଯାଉଥିଲେ। ବସ୍ଟି ବରମୁଣ୍ଡାରୁ ବାହାରିଥିଲା ଏବଂ ଏହା ବିଜୟନଗରମ ଯାଉଥିଲା। କେଉଁଠିକୁ ଯାଉଥିଲା ତାହା ବି ପୁଲିସ ଗଲା ତିନିଦିନ ଭିତରେ ଜାଣି ପାରି ନାହିଁ। ଅପରପକ୍ଷେ କେବଳ ବସରେ ବସିଥିବା ତିନିଜଣ କୁଜି ଦଲାଲଙ୍କୁ ଗିରଫ କରି ପୁଲିସ ପୂଜା ଛୁଟି କାଟୁଛି।
ଯେଉଁ ପୁଲିସବଳରେ ନିଯୁକ୍ତି ପାଇଁ ଏହି କାରବାର ହୋଇଥିଲା ଏବେ ସେହି ପୁଲିସ ମୁଖ୍ୟ ଦଲାଲଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଛି। କାରଣ ଏହି ମୁଖ୍ୟ ଦଲାଲ ଆଉ କିଏ ନୁହଁନ୍ତି ବରଂ ପରୀକ୍ଷା କରାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଏଜେନ୍ସୀ। ଏହି ଏଜେନ୍ସୀ ପୁଣି ବେଆଇନ ଭାବେ ଆହୁରି ଦୁଇଟି ଏଜେନ୍ସୀଙ୍କୁ ପରୀକ୍ଷା ପରିଚାଳନା, ପ୍ରଶ୍ନପତ୍ର ତିଆରି, ପିଲାଙ୍କ ଖାତା ଦେଖା ସବୁ ଦାୟିତ୍ୱରେ ନିଯୁକ୍ତ କରିଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସରକାରଙ୍କ ସହ ହୋଇଥିବା ବୁଝାଳମଣାର ବିରୋଧୀ ବୋଲି ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁସାରେ ଏହି ଦଲାଲମାନେ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ସେମାନଙ୍କ ସହ ପଦବୀ ଲାଗି ୨୫ ଲକ୍ଷ ଟଙ୍କା ଦେବାକୁ ଚୁକ୍ତି କରାଇଥିଲା। ଏ ଚୁକ୍ତି ଅଲିଖିତ ଥିଲା। ପ୍ରଥମେ ପ୍ରିଲିମ ପୂର୍ବରୁ ୧୦ ଲକ୍ଷ ଆଉ ଚାକିରି ନିଶ୍ଚିତ ହେବା ପରେ ଆଉ ୧୫ ଲକ୍ଷ ଦେବା ପାଇଁ ବ୍ୟବସ୍ଥା ରହିଥିଲା। ଯେହେତୁ ପ୍ରଶ୍ନପତ୍ର ସିଧାସଳଖ ଦେଲେ ତାହା ଅତ୍ୟଧିକ ପ୍ରଘଟ ହେବାର ଆଶଙ୍କା ଥିଲା ସେଥିଲାଗି ପୂର୍ବ ନିର୍ଦ୍ଧାରିତ ପ୍ରାର୍ଥୀଙ୍କୁ ଏକ ଅଜଣା ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା ହୋଇଥିଲା। ଏହି ବ୍ୟବସ୍ଥାରେ ତିନୋଟି ବସ୍ ଭୁବନେଶ୍ୱରରରୁ ଯାଇଥିଲା। ଆଉ କିଛି ଅନ୍ୟ ଅଞ୍ଚଳରୁ ସ୍ଥିର ହୋଇଥିଲା। ସେମାନଙ୍କୁ କେହି ନଜାଣିଲା ଭଳି ଏକ ସ୍ଥାନରେ ରଖି ବାହାର ଦୁନିଆଠୁ ସମ୍ପର୍କ ଛିନ୍ନ କରିବାର ବ୍ୟବସ୍ଥା ହୋଇଥିଲା। ତାହା ହିଁ ହୋଇଥିଲା। ବସ୍ ଭୁବନେଶ୍ୱରରୁ ଆନ୍ଧ୍ର ପଳାଇଲା କିନ୍ତୁ ଓଡ଼ିଶା ପୁଲିସ ତାହାର ଟେର୍ ପାଇଲା ନାହିଁ।
ଅପରପକ୍ଷେ ଗଣମାଧ୍ୟମରେ ଏ ଖବର ବାରମ୍ବାର ପ୍ରକାଶ ପରେ ହିଁ ପରୀକ୍ଷାର୍ଥୀଙ୍କୁ ପୁଲିସ ଗିରଫ କରିଛି।ସେମାନଙ୍କ ନାଁରେ ଓଡ଼ିଶା ସରକାରୀ ପରୀକ୍ଷା ( ବେଆଇନ ପ୍ରକ୍ରିୟା ନିରୋଧ) ଆଇନ ୨୦୨୪ରୁ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।
ହେଲେ ବାସ୍ତବରେ ଯେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଯେଉଁ ଏଜେନ୍ସୀକୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦାୟିତ୍ୱ ଦେଇଛି ତାହାକୁ ଉତ୍ତରଦାୟୀ କରାଯାଇ ନାହିଁ। ପୁଣି ଯେଉଁ ଏଜେନ୍ସୀକୁ ସରକାର ଦାୟିତ୍ୱ ଦେଇଛନ୍ତି ସେ ପୁଣିଥରେ ଅନ୍ୟ ଦୁଇ ଏଜେନ୍ସୀକୁ ଦାୟିତ୍ୱ ବାଣ୍ଟିଛି। ଅର୍ଥାତ୍ ଏହା ପ୍ରମାଣିତ କରୁଛି ଯେ, ସରକାରଙ୍କଠାରୁ ଟେଣ୍ଡର ପାଇଥିବା ଏଜେନ୍ସୀ ପାଖରେ ମାନବ ସମ୍ବଳ, ଟେକ୍ନୋଲୋଜି ବା ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ପୁଣି ଏ ଏଜେନ୍ସୀ ଯାହାଙ୍କୁ ଦାୟିତ୍ୱ ଦେଇଚଇ ସେମାନେ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜଡ଼ିତ ଥିବା ଅଭିଯୋଗ ରହିଛି। ଏଭଳି ଏକ ପ୍ରସଙ୍ଗରେ ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସମ୍ପୃକ୍ତ ଏଜେନ୍ସୀଙ୍କୁ କାହିଁକି ଭର୍ତ୍ତି କରାଯାଉ ନାହିଁ। ଏହା ପୁଲିସର ଆଳସ୍ୟ ତଥା ଉପର ଚାପ ବୋଲି ଆଳଷାଚନା ହେଉଛି।