)
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ। କିନ୍ତୁ ଏହିଦିନ ଓଡ଼ିଶା ଦେଇ ସେ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ୨୭ ତାରିଖରେ ଭୁବନେଶ୍ୱର ଆସି ରାଷ୍ଟ୍ରପତି ବିଧାନସଭାକୁ ସମ୍ବୋଧିତ କରିବେ। ଏହାସହ ରାଜଭବନରେ ନିର୍ମିତ କଳିଙ୍ଗ ଅତିଥିଭବନକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ପରେ ଅପରାହ୍ଣରେ ଓଡ଼ିଶା ବିଧାନ ସଭାରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ମଧ୍ୟ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ତରଫରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ସୂଚନା ଅନୁଯାୟୀ ସେଦିନ ମାନ୍ୟବର ରାଷ୍ଟ୍ରପତି ଛତିଶଗଡ଼ର ଅମ୍ବିକାପୁର ଠାରେ ‘ଜନ ଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ସେଦିନ ସକାଳ ୮ଟା ୨୫ ମି ସମୟରୁ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ସକାଳ ୧୦ଟା ୦୫ମି ରେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଇ ଛତିଶଗଡ଼ର ଅମ୍ବିକାପୁର ସ୍ଥିତ ଗାନ୍ଧି ଷ୍ଟାଡିୟମ ଠାରେ ଓହ୍ଲାଇ ସ୍ଥାନୀୟ ପି.ଜି କଲେଜ ପଡ଼ିଆଠାରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ବାହାରି ପୁନଶ୍ଚ ଝାରସୁଗୁଡ଼ା ଦେଇ ସେଦିନ ଅପରାହ୍ନ ୧ ଟା ୪୫ମି. ସୁଦ୍ଧା ଆନ୍ଧ୍ର ପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତିଙ୍କ ଝାରସୁଗୁଡାଠାରେ ଅବତରଣ ଏବଂ ସେଠାରେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ସାମୟିକ ରହଣି ନିମନ୍ତେ ଜିଲ୍ଲାପାଳ ଓ ଏସପି ଝାରସୁଗୁଡାଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ତତ୍ ସହିତ ସୁରକ୍ଷା ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା, ଚିକିତ୍ସା ଓ ସ୍ୱାସ୍ଥ୍ୟଯତ୍ନ ଆଦି ଆନୁଷ୍ଠାନିକ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ସେହିପରି ମାନ୍ୟବର ରାଷ୍ଟ୍ରପତିଙ୍କ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲେ । ସେଦିନ ମାନ୍ୟବର ରାଷ୍ଟ୍ରପତି ପୂର୍ବାହ୍ନ ୧୧ ଟା ୫୦ ମି. ସମୟରେ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣ ୨ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ରାଜଭବନରେ ପହଞ୍ଚିବେ । ମାନ୍ୟବର ରାଷ୍ଟପତି ମଧ୍ୟାନ୍ନ ବିରତି ପରେ ଅପରାହ୍ଣ ୪ ଟା ସମୟରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରିବେ । ଅପରାହ୍ଣ ୪.୨୦ ମି. ରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ଏବଂ ୪.୩୦ ରୁ ୫.୩୦ ପର୍ଯ୍ୟନ୍ତ ବିଧାନ ସଭାର ସଦସ୍ୟ ସଦସ୍ୟାମାନଙ୍କୁ ସମ୍ବୋଧନ କରିବେ । ପରେ ପରେ ସେଦିନ ମାନ୍ୟବର ରାଷ୍ଟ୍ରପତି ରାଜଭବନଠାରେ ମାନ୍ୟବର ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବେ ଓ ତହି ପରଦିନ ୨୮ ତାରିଖ ସକାଳୁ ୯ ଟା ୩୫ ମି. ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲକ୍ଷ୍ନୌ ବିମାନ ବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
୨୭ ତାରିଖରେ ରାଷ୍ଟ୍ରପତିଙ୍କ ଆଗମନ ଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରପତିଙ୍କର ସୁରକ୍ଷା, ରାଜଭବନରେ ରହଣି, କାରକେଡ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ବ୍ୟବସ୍ଥା ଆବଶ୍ୟକ ପାସ୍ ବ୍ୟବସ୍ଥା ଏବଂ ଗଣମାଧ୍ୟମରେ ପ୍ରଚାର ପ୍ରସାର ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଓ୍ୱାଇ.ବି.ଖୁରାନିଆ, ଅଗ୍ନିସେବା ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ, ବିଧାନସଭା ସଚିବ, ଭୁବନେଶ୍ୱର-କଟକ ପୋଲିସ୍ କମିଶନର, ଜିଲ୍ଲାପାଳ, ଖୋର୍ଦ୍ଧା ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।