Trending Photos
)
ଭୁବନେଶ୍ବର: ପାନୀୟଜଳ ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର। ଏହି ଫ୍ଲାଗଶିପ୍ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚୁକ୍ତିବଦ୍ଧ ଠିକାଦାରଙ୍କୁ ଏଥିନେଇ ଚେତାବନୀ ଦେଇଛନ୍ତି। ଯେଉଁ ଠିକାଦାରମାନେ ନିୟମ ଓ ସମୟ ନିର୍ଦ୍ଧାରଣକୁ ମାନୁ ନାହାନ୍ତିଳ ଅହେତୁକ ବିଳମ୍ବ କରୁଛନ୍ତି ସେମାନଙ୍କ ଉପରେ ଏଣିକି ବିଭାଗ କଠୋର ହେବ ବୋଲି କହିଛନ୍ତି। ଏପରିକି ଏଭଳି ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ଧମକ ଦେଇଛନ୍ତି ମନ୍ତ୍ରୀ ରବିନାରାୟଣ ନାୟକ।
ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମନରେଗା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ନାଏକ ଏହିପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନିଦିନିଆ ସମୀକ୍ଷା କାର୍ଯ୍ୟକ୍ରମରେ ରାଜ୍ୟର ୩୫ଟି ପାନୀୟ ଜଳ ଡିଭିଜନର ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳଯୋଗାଣ ବାବଦରେ ସମୀକ୍ଷା କରାଯାଇଥିଲା।
ତିନିଦିଆ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୧୨ଟି ପାନୀୟ ଜଳ ଡିଭିଜନ ଯଥା : ଆଠଗଡ଼, ବାଲେଶ୍ବର, ବାରିପଦା, ଭଦ୍ରକ, ଭୁବନେଶ୍ବର, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ରାଇରଙ୍ଗପୁରର ୬୮ ଗୋଟି ବୃହତ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସବିସ୍ତୃତ ସମୀକ୍ଷା ହୋଇଥିଲା l ଏହା ମଧ୍ୟରୁ ୮ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ଅବଶିଷ୍ଟ ୬୦ ଗୋଟି ନିର୍ମାଣଧୀନ ପ୍ରକଳ୍ପର ସବିଶେଷ ସମୀକ୍ଷା ହୋଇଥିଲା l ଦ୍ବିତୀୟ ଦିନରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୧୪ଟି ପାନୀୟ ଜଳ ଡିଭିଜନ ଯଥା : ଆନନ୍ଦପୁର, ଅନୁଗୁଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ରାଉରକେଲା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ର ୭୭ ଗୋଟି ବୃହତ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସବିସ୍ତୃତ ସମୀକ୍ଷା ହୋଇଥିଲା l ଏହା ମଧ୍ୟରୁ ୧୪ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ଅବଶିଷ୍ଟ ୬୩ ଗୋଟି ନିର୍ମାଣଧୀନ ପ୍ରକଳ୍ପର ସବିଶେଷ ସମୀକ୍ଷା ହୋଇଥିଲା l ତୃତୀୟ ଦିନରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୯ ଟି ପାନୀୟ ଜଳ ଡିଭିଜନ ଯଥା : ଗଜପତି, ବ୍ରହ୍ମପୁର, ଭଞ୍ଜନଗର, କଳାହାଣ୍ଡି, ଫୁଲବାଣୀ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାର ୬୨ ଗୋଟି ବୃହତ ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ସବିସ୍ତୃତ ସମୀକ୍ଷା ହୋଇଥିଲା l ଏହା ମଧ୍ୟରୁ ୩ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ଅବଶିଷ୍ଟ ୫୯ ଗୋଟି ନିର୍ମାଣଧୀନ ପ୍ରକଳ୍ପର ସବିଶେଷ ସମୀକ୍ଷା ହୋଇଥିଲା l
ଏହି ୨୦୭ ଗୋଟି ପ୍ରକଳ୍ପର ନିର୍ମାଣକାରୀ ସଂସ୍ଥା ଓ ସଙ୍କ୍ରାନ୍ତୀୟ ବିଭାଗୀୟ ଅଧିକାରୀଙ୍କ ଠାରୁ ମନ୍ତ୍ରୀ ଶ୍ରୀ ନାଏକ ପ୍ରତିଟି ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ ଅନ୍ୟ ଆନୁଷଙ୍ଗିକ ଦିଗର ତଥ୍ୟ ବିଷୟରେ ଅବଗତ ହୋଇଥିଲେ l ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଓ ଜଳଯୋଗାଣର ସ୍ଥିରୀକୃତ ଉତ୍ତରଦାୟିତ୍ଵ ଅନୁସାରେ ପ୍ରତିଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା l ମାନ୍ୟବର ମନ୍ତ୍ରୀ ସମସ୍ତ ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକଳ୍ପ ନିର୍ମାଣର ସ୍ଥିତି ଓ ନିର୍ଦ୍ଦିଷ୍ଟ ସ୍ଥଳରେ ବିଳମ୍ବର କାରଣ ଓ ନିରାକରଣ ବିଷୟରେ ପ୍ରଶ୍ନ କରିଥିଲେ l
ଏହି ସମୀକ୍ଷାରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ‘ହର୍ ଘର୍ ଜଲ୍ ’ ପ୍ରମାଣପତ୍ର ଦାଖଲ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ରାଜ୍ୟର ଗ୍ରାମାଞ୍ଚଳର ପ୍ରତିଟି ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧପରିକର ଅଛନ୍ତି ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ l ସୂଚନା ଯୋଗ୍ଯ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ବରେ ସରକାର ପାନୀୟଜଳ ଯୋଗାଣକୁ ଗ୍ରାମୀଣ ବିକାଶର ଏକ ପ୍ରମୁଖ ଉପାଦାନ ରୂପେ ଗ୍ରହଣ କରି କାର୍ଯ୍ୟ କରୁଛନ୍ତି l ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ତୃଣମୂଳ ସ୍ତରରୁ ଉକ୍ତ ପ୍ରକ୍ରିୟାକୁ ସାକାର ରୂପ ଦେବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଲୋକଭିମୁଖୀ ଶାସନର ଓ ଗ୍ରାମୀଣ ବିକାଶର ମୂଳସ୍ତମ୍ଭ ରୂପେ ବିବେଚନା କରୁଛନ୍ତି l