)
Padma Besha: ଆଜି ପଦ୍ମବେଶରେ ଦର୍ଶନ ଦେବେ କଳା ଠାକୁର। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ। ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ (ବୁଧବାର) ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ। ପଦ୍ମବେଶ କଥା ଆସିଲେ ମନେ ପଡନ୍ତି ଭକ୍ତ ମନୋହର । ମଥା ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ଚତୁର୍ଦ୍ଧାବିଗ୍ରହ ବିଭୂଷିତ ହେବେ।
ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୁପ ଏହି ପଦ୍ମବେଶ ଅନୁଷ୍ଠିତ ହେଉଥିବା ବେଳେ,ସୋଲ,ଜରି,କନା,କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। କୀରୀଟ,ଚୂଳ, ହୃଦପଦକ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିଥାନ୍ତି ମହାପ୍ରଭୁ। ତେବେ ପଣ୍ଡୁ ପୂର୍ଣ୍ଣିମା ଠାରୁ ବେଶ ଅନୁକୂଳ ଆରମ୍ଭ ହୋଇଥିବା ବେଳେ ଅତ୍ୟନ୍ତ ନିଷ୍ଠାର ସହ ମହାପ୍ରଭୁଙ୍କ ସେବାକରି ନିଜକୁ ଧନ୍ୟ ମନେ କରିଥାଆନ୍ତି ବେଶ କାରିଗର।
ପଦ୍ମବେଶ ପଛରେ କ'ଣ ରହିଛି କିମ୍ବଦନ୍ତୀ?
ତେବେ ଏହି ଦୁର୍ଲଭ ପଦ୍ମବେଶର ସ୍ୱତନ୍ତ୍ରତା ରହିଛି । ଅନେକ ତତ୍ୱ ଯୁକ୍ତ ଏହି ବେଶ ବୋଲି କହିଥାନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ। ଭକ୍ତ ମନୋହରର ଦାଶର ମନବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳଠାରୁ ଶହଶହ ମାଇଲ ଦୂରରେ ଥିଲେ ଜଣେ ହିନ୍ଦୀ ଭାଷୀ ସାଧୁ । ତାଙ୍କର ନାମ ଥିଲା ମନୋହର ଦାସ ।
ଏକଦା ମହାତ୍ମା ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘଦିନ ପାଦରେ ଚାଲିଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡ଼ା ସତ୍ତ୍ୱେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ପଥ ମଧ୍ୟରେ ରାତ୍ରି ହୋଇଗଲେ କୈଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି ।
ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟରେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ ।
ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ସେବାୟତ ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କରିଥିଲେ। ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ, ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର। ତେଣୁ ମନୋହର ଦାସଙ୍କ ସ୍ମୃତିରେ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି। ମହାପ୍ରଭୁ ଭକ୍ତର ଠାକୁର। ତେଣୁ ଭକ୍ତର ମନୋଭାବ କିପରି ଠାକୁର ବୁଝିପାରନ୍ତି ସେହି ଗାଥାକୁ ପାଥେୟ କରି ଶହଶହ ବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇ ଆସୁଥିବା ବେଳେ (ବୁଧବାର) ଆଜି ଏହି ଦୁର୍ଲଭ ବେଶକୁ ଦର୍ଶନ କରିବାର ସୁଯୋଗ ପାଇବେ ଅଗଣିତ ଭକ୍ତ।