)
ଜାନୁୟାରୀ ୧୪ ରାତିରେ ଯେତେବଳେ ଭାରତର ବିଭିନ୍ନ ସ୍ଥାନରେ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ନେଇ ଉତ୍ସବ ପାଳନ ହେଉଥିଲା ସେତେବଳେ କିଛି ସନ୍ଦିଗ୍ଧ ଆରବ ସାଗର ଦେଇ ଭାରତକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଭାରତୀୟ ଜଳସୀମା ମଧ୍ୟରେ ଏକ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଦେଖିବାକୁ ପାଇଥିଲା ତଟରକ୍ଷୀ ବାହିନୀର ଜାହାଜ। ତଟରକ୍ଷୀ ଜାହାଜ ପକ୍ଷରୁ ସତର୍କ କରାଯିବା ପରେ ଡଙ୍ଗାଟି ପାକିସ୍ତାନ ସୀମାକୁ ଖସିଯିବାକୁ ଚେଷ୍ଟା କରିଥିଲା। ମାତ୍ର ତଟରକ୍ଷୀ ବାହିନୀର ଯବାନମାନେ ଏକ ଦ୍ରୁତ ଅପରେସନ୍ କରି ଡଙ୍ଗାକୁ ମଝି ସମୁଦ୍ରରେ ଅଟକାଇବା ସହ ତାକୁ କବଜାକୁ ନେଇଥିଲେ। ଜବତ ହୋଇଥିବା ପାକିସ୍ତାନୀ ଡଙ୍ଗାର ନାମ 'ଅଲ-ମଦିନା' ଏବଂ ସେଥିରୁ ମୋଟ ୯ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ବର୍ତ୍ତମାନ ଉକ୍ତ ଡଙ୍ଗାଟିକୁ ପୋରବନ୍ଦର ଅଣାଯାଉଛି। ସେଠାରେ ବିଭିନ୍ନ ସୁରକ୍ଷା ଏଜେନ୍ସି ଏବଂ ଗୋଇନ୍ଦା ବିଭାଗ ପକ୍ଷରୁ ଡଙ୍ଗାର ଖାନତଲାସି କରାଯିବା ସହ ଗିରଫ କର୍ମଚାରୀମାନଙ୍କୁ ମିଳିତ ଭାବେ ପଚରାଉଚରା କରାଯିବ।
ସାମୁଦ୍ରିକ ପଥ ଦେଇ ପାକିସ୍ତାନରୁ ଅନୁପ୍ରବେଶ କିମ୍ବା ଚୋରା ଚାଲାଣର ଉଦ୍ୟମ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଏହି ରୁଟ୍ ଦେଇ ଅନେକ ବିପଦଜନକ ପ୍ରୟାସ କରାଯାଇଛି। ବିଗତ ବର୍ଷମାନଙ୍କରେ ଆରବ ସାଗର ଦେଇ ହଜାର ହଜାର କୋଟି ଟଙ୍କାର ହେରୋଇନ୍ ଏବଂ ନିଶାଦ୍ରବ୍ୟ ପଠାଇବା ବେଳେ ପାକିସ୍ତାନୀ ଡଙ୍ଗାଗୁଡ଼ିକୁ ଜବତ କରାଯାଇଛି। ବିଶେଷ କରି ଜାନୁଆରୀ ମାସରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମୁଦ୍ର ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥାଏ, କାରଣ ଏହି ସମୟରେ ଅନୁପ୍ରବେଶର ଆଶଙ୍କା ଅଧିକ ଥାଏ। ୨୦୦୮ ମସିହା ମୁମ୍ବାଇ ଆକ୍ରମଣ ପରଠାରୁ ଭାରତୀୟ ସୀମାରେ ପାକିସ୍ତାନୀ ଡଙ୍ଗା ପ୍ରବେଶକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଉଛି।
ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଦେଶର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ସର୍ବଦା ତତ୍ପର ଏବଂ ଯେକୌଣସି ଅନୁପ୍ରବେଶ ଉଦ୍ୟମର କଡ଼ା ଜବାବ ଦିଆଯିବ।