ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଭାଇ ଭଉଣୀଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ସହିତ ସେମାନଙ୍କ ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ହୋଇ ସେହି ଯୋଜନାଗୁଡ଼ିକର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ। ଲୋକଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନା ସଫଳ ହେବ ବୋଲି ରାଷ୍ଟ୍ରପତି କହିଥିଲେ।
ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବୈଶିଷ୍ଟ୍ୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଦିବାସୀ ଭାଇ ଭଉଣୀମାନେ ଜଙ୍ଗଲ, ଗଛ ଇତ୍ୟାଦିକୁ ଦେବତା ଭାବରେ ପୂଜା କରନ୍ତି। ଆଦିବାସୀ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି। ଏହି ବିଶ୍ୱାସ ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର।
ଏହି ସ୍ଥାନ ଓ ଅଞ୍ଚଳର ବିକାଶ ରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ପୂର୍ଣ୍ଣ ରୂପ ଦେବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ସେ କହିଥିଲେ।
କାଳିଆପଲ୍ଲୀରେ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଥିଲେ। ପର୍ଯ୍ୟଟନର ବିକାଶ ହେଲେ ସେହି ଅଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ନୟାଗଡ଼ ଆସି ମହାପ୍ରଭୁ ନୀଳମାଧବ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପରେ ସେ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ।
ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟ ଜଗନ୍ନାଥ.. ଜୟ ନୀଳମାଧବ.. ଜୟ ବିଶ୍ୱାବସୁ କହି ନିଜର ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ।
ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ସହ ଯୋଗଦେଇଥିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ଅନେକ ଲୋକ ରାସ୍ତାରେ ଭିଡ ଜମାଇଥିଲେ । ରାଷ୍ଟ୍ରପତିଙ୍କୁ ଦେଖିବା ପରେ ସେମାନେ ଖୁବ ଖୁସି ପ୍ରକାଶ କରିଥିଲେ ।
ଆପଣଙ୍କୁ କହିରଖୁଛୁ ଯେ, ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଜଣାଇଥିଲେ।
ट्रेन्डिंग फोटोज़