)
Odisha News: ପୁଣି ଶ୍ରୀମନ୍ଦିର ଭିତରେ ସ୍ପାଏ କ୍ୟାମେରା। ଶ୍ରୀମନ୍ଦିରକୁ ଜଣେ ଶ୍ରଦ୍ଧାଳୁ ଚଷମାରେ ସ୍ପାଏ କ୍ୟାମେରା ନେଇ ପୁଲିସ ହାତରେ ଧରାପଡ଼ିଛନ୍ତି। ସିଂହଦ୍ଵାର ଥାନା ପୁଲିସ ଏହି ଭକ୍ତଙ୍କୁ ଅଟକ ରଖି ପଚରା ଉଚରା କରିଛି। ତେବେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୁଲିସ କୌଣସି ସ୍ଥାୟୀ ବ୍ୟବସ୍ଥା ନକରିବା ପୁଲିସର ଭୂମିକା ପ୍ରତି ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିରର ସୁରକ୍ଷାରେ ଘଳିଆ ରହିଥିବା ବେଳେ ପୁଲିସ କାହିଁକି ସ୍ଥାୟୀ ପ୍ରତିକାର କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
୧୯ ତାରିଖ ରାତି ପ୍ରାୟ ୯ଟାରେ ଜଣେ ଭକ୍ତ ନିଜ ଚଷମାରେ ଖଞ୍ଜାଯାଇଥିବା ସ୍ପାଏ କ୍ୟାମେରାକୁ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଏହି ଭକ୍ତ ଜଣକ ସିଂହଦ୍ବାର ଦେଇ ପ୍ରବେଶ କରିବା ସମୟରେ ପତିତପାବନଙ୍କ ସମ୍ମୁଖରେ ପହଞ୍ଚି ସ୍ପାଏ କ୍ୟାମେରାକୁ ଅନ୍ କରାଇଥିଲେ । ସେ ଏହି କ୍ୟାମେରାରେ ରେକର୍ଡିଂ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ସେବାୟତମାନେ ତା ତାକୁ ଧରି ପୁଲିସ ଜିମାରେ ଦେଇଥିଲେ। ତେବେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୁଲିସ କେବଳ ଏକ ମାମଲା ରୁଜୁ କରିଦେଇ ସେମାନଙ୍କୁ ନୋଟିସରେ ଛାଡ଼ିଦେଉଛି।