)
ଭୁବନେଶ୍ୱର: ଓଡ଼ିଶା ପୁଲିସରେ ଏସ୍ଆଇ ନିଯୁକ୍ତି ପାଇଁ ହୋଇଥିବା କଳେଙ୍କାରୀରେ ଜଡ଼ିତ ଥିବା ଅଭିଯୋଗରେ ଆଉ ୨ ଜଣଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହାଦ୍ୱାରା ଗିରଫ ସଂଖ୍ୟା ୧୧୯ରେ ପହଞ୍ଚିଛି। ଅପରପକ୍ଷେ ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଆଜି ଏକ ଜରୁରୀ ବୈଠକ ଡାକି ଘଟଣାର ସମୀକ୍ଷା କରିଛନ୍ତି। କ୍ରାଇମ ବ୍ରାଞ୍ଚକୁ ଆବଶ୍ୟକ ସୂଚନା ପ୍ରଦାନ କରିଥିବା କହିଛନ୍ତି। ମାମଲାର ତଦନ୍ତ ରିପୋର୍ଟ ଆସିବା ପରେ ପୁଣିଥରେ ପରୀକ୍ଷା କରାଯିବ ବୋଲି କହିଛନ୍ତି ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ।
ପ୍ରଶ୍ନପତ୍ର ଲିକ୍ଠାରୁ ଅଧିକ ଭୟଙ୍କର ଏହି ଘଟଣା ଏବେ ଅନ୍ୟ ନିଯୁକ୍ତି ପରୀକ୍ଷାଗୁଡ଼ିକୁ ମଧ୍ୟ ସନ୍ଦେହ ଭିତରକୁ ଆଣିଛି। ଯେଉଁ ଏଜେନ୍ସୀ ପୁଲିସ ଏସ୍ଆଇ ପରୀକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲା, ସେହି ଏଜେନ୍ସୀ ହାଇକୋର୍ଟଙ୍କ ଏଏସ୍ଓ ନିଯୁକ୍ତି ପାଇଁ ମଧ୍ୟ ଚୁକ୍ତିବଦ୍ଧ ହୋଇଥିଲା। ଜୁଲାଇ ମାସରେ ପରୀକ୍ଷା ଶେଷ ହୋଇଛି। ପ୍ରଶ୍ନ ଉଠୁଛି ସେହି ପରୀକ୍ଷାରେ ଆଉ ଫିକ୍ସିଂ ହୋଇ ନାହିଁତ? ଏ ପରୀକ୍ଷାର ଫଳାଫଳ ଘୋଷଣା ପୂର୍ବରୁ ତଦନ୍ତ ହେବା ଆବଶ୍ୟକ।
ପୁଲିସ ଏସ୍ଆଇ ପରୀକ୍ଷା ଫିକ୍ସିଂ ଏବେ ରାଜ୍ୟରେ ଏକ ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥାକୁ ପଦାରେ ପକାଇଛି। ଅବଶ୍ୟ ଏହା ଦିନକର ଘଟଣା ନୁହେଁ। ବର୍ଷ ବର୍ଷଧରି ଏ ବ୍ୟବସ୍ଥା ଚାଲି ଆସୁଛି। ଯେଉଁ ବ୍ୟବସ୍ଥାଗୁଡ଼ିକ ସରକାରଙ୍କ ଦ୍ୱାରା ତିଆରି ହୋଇଛି ତାହା କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସ୍ୱାର୍ଥ ହାସଲ ପାଇଁ ଉଦ୍ଦିଷ୍ଟ ଥିବା ସ୍ପଷ୍ଟ ବୋଲି ଏଥିରୁ ଜଣାପଡ଼ୁଛି। ଏଣୁ ବିଭିନ୍ନ ସରକାରୀ ପରୀକ୍ଷା ପାଇଁ ଗଠନ ହୋଇଥିବା ନିଯୁକ୍ତି ବୋର୍ଡଗୁଡ଼ିକ ସହ ଚୁକ୍ତିବଦ୍ଧ ସଂସ୍ଥାର ଯାଞ୍ଚ ହେବା ଆବଶ୍ୟକ।
ଯେହେତୁ ରାଜ୍ୟରେ ନିଯୁକ୍ତି ପାଇଁ ଫିକ୍ସିଂ କିଛି ନୂଆ କଥା ନୁହେଁ, ବିଭିନ୍ନ କ୍ଷେତ୍ରରେ ଅଧିକାରୀଙ୍କୁ ଆପ୍ୟାୟିତ କରି ଦଲାଲ ନୂଆ ନୂଆ ପ୍ରକ୍ରିୟାରେ ଚାକିରି ଫିକ୍ସିଂ କରିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ଲିକ୍ ପରେ ଏବେ ସମ୍ପୂର୍ଣ୍ଣ ଭାବେ ପଦବୀ ଫିକ୍ସିଂ କରୁଛନ୍ତି ଦଲାଲ। ଅର୍ଥାତ୍ ଦଲାଲଙ୍କ ଭିତରେ ଥିବା ଆତ୍ମବିଶ୍ୱାସ ଗୋଟିଏ ଦିନରେ ଗଢ଼ି ଉଠି ନାହିଁ। ବରଂ ଅନେକ ଦିନ ଧରି ଏପରି ଫିକ୍ସିଂ ଧରା ନପଡ଼ିବାରୁ ସେମାନେ ନୂଆ ନୂଆ ଉପାୟ ଧରିଛନ୍ତି। ପଟିଆସ୍ଥିତ ଏହି ଏଜେନ୍ସୀ ପାଖରେ ୫ଟି ସରକାରୀ ନିଯୁକ୍ତି ପରୀକ୍ଷା ରହିଥିବା ଜଣାପଡ଼ିଛି। ଏଣୁ ପୂର୍ବ ପରୀକ୍ଷା ଗୁଡ଼ିକର ଯାଞ୍ଚ କରାଗଲେ ବାସ୍ତବରେ ସେଥିରେ ପ୍ରତିଭାଙ୍କୁ ଚାପି ଦେବାର ପ୍ରୟାସ ହୋଇଛି କି ନା ତାହା ସ୍ପଷ୍ଟ ହେବ ଓ ତା ପରେ ଅନ୍ୟ ପରୀକ୍ଷା ପାଇଁ ସୁଯୋଗ ଦେବା ଆବଶ୍ୟକ।