)
ଭୁବନେଶ୍ୱର: ଆସନ୍ନ ଘୂର୍ଣ୍ଣିଝଡ଼ ମୋନ୍ଥାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଖୋର୍ଦ୍ଧା କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଭୁବନେଶ୍ୱରର ସବୁ ସ୍କୁଲ୍ ଓ ଅଙ୍ଗନଓ୍ୱାଡ଼ି ଅନ୍ତର୍ଭୁକ୍ତ। ଏହାଙ୍କ ପୂର୍ବରୁ ୮ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଶୂନ୍ୟ ମୃତ୍ୟୁ ନିଶ୍ଛିତ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଚିଠି ଅନୁସାରେ, ଆସନ୍ନ ଘୂର୍ଣ୍ଣିଝଡ଼ "ମୋନ୍ଥା" ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି, ଜିଲ୍ସଲାର ମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ୨୮ ଏବଂ ୨୯ ଅକ୍ଟୋବର ୨୦୨୫ ରେ ବନ୍ଦ ରହିବ। ଖୋରଦ୍ଧା ଜିଲ୍ଲାପାଳଙ୍କ ଅଧୀନରେ ଭୁବନେଶ୍ୱର ଆସୁଥିବାରୁ ଭୁବନେଶ୍ୱରରେ ମଧ୍ୟ ସମସ୍ତ ସ୍କୁଲ୍ ବନ୍ଦ ରହିବ। ଏହା ପୂର୍ବରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ୍ ବନ୍ଦ ଘୋଷଣା କରିଯାଇଛି।
ଭାରତ ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ "ମୋନ୍ଥା" ଗତ ୬ ଘଣ୍ଟା ମଧ୍ୟରେ ୧୫ କିଲୋମିଟର ଘଣ୍ଟା ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି ଏବଂ ସେହି କ୍ଷେତ୍ର ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ଚେନ୍ନାଇ (ତାମିଲନାଡୁ) ରୁ ପ୍ରାୟ ୪୨୦ କିଲୋମିଟର ପୂର୍ବରେ, କାକିନାଡା (ଆନ୍ଧ୍ର ପ୍ରଦେଶ) ରୁ ୪୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ବିଶାଖାପାଟନମ୍ (ଆନ୍ଧ୍ର ପ୍ରଦେଶ) ରୁ ୫୦୦ କିଲୋମିଟର ଦକ୍ଷିଣ-ପୂର୍ବରେ, ଗୋପାଳପୁର (ଓଡିଶା) ରୁ ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଆହୁରି ଆଗକୁ ବଢ଼ିବା ଜାରି ରଖି, ଏହା ୨୮ ଅକ୍ଟୋବର ସନ୍ଧ୍ୟା/ରାତିରେ କାକିନାଡା ପାଖାପାଖି ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ, ଯାହାର ସର୍ବାଧିକ ନିରନ୍ତର ପବନ ବେଗ ୯୦-୧୦୦ କିଲୋମିଟର ଘଣ୍ଟା ପର୍ଯ୍ୟନ୍ତ ୧୧୦ କିଲୋମିଟର ଘଣ୍ଟା ପର୍ଯ୍ୟନ୍ତ ରହିବ।