)
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ବିହାର ଆଜି ଭୋଟ ଦେଉଛି। ସଘନ ଭୋଟର ତାଲିକା ସଂଶୋଧନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ପୁଣି ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ଭାବେ ଭୋଟରଙ୍କ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା ଏଥର ବି ତାହା ଜାରି ରହିବ ବୋଲି ଆଶା କରାଯାଉଛି।
ନିର୍ବାଚନ କମିଶନଙ୍କ ପୂର୍ବ ସୂଚନା ଅନୁସାରେ ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପୂର୍ବରୁ ସମସ୍ତ ବୁଥରେ ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଉପସ୍ଥିତିରେ ମକ୍ ଭୋଟିଂ କରାଯାଇ ଭୋଟିଂ ମେସିନ୍ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଏହାପରେ ବୁଥ ବାହାରେ ଅପେକ୍ଷା କରିଥିବା ଭୋଟରମାନେ ଭୋଟ ଦେଇଥିଲେ।
ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏଥିରେ ୧୩୦୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୨୦ଟି ଜିଲ୍ଲାରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବିଜେପି ପକ୍ଷରୁ ୫୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଏନ୍ଡିଏର ଅନ୍ୟତମ ଅଂଶୀଦାର ଜନତା ଦଳ ୟୁନାଇଟେଡ୍ ପକ୍ଷରୁ ୪୪, ଜନଶକ୍ତି ପାର୍ଟିର ୧୫, ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚାର ୬ ଏବଂ ରାଷ୍ଟ୍ରୀୟ ଲୋକମଞ୍ଚର ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।
ସେହିପରି ଇଣ୍ଡିଆ ବ୍ଲକ୍ ପକ୍ଷରୁ ଏହି ୧୨୨ ଆସନ ଲାଗି ଆରଜେଡି ୭୨ ପ୍ରାର୍ଥୀ ଦେଇଛି। କଂଗ୍ରେସର ୩୭, ବିକାଶଶୀଳ ଇନ୍ସାନ ପାର୍ଟିରରୁ ୮, ସିପିଆଇ (ମାର୍କସବାଦୀ-ଲେନିନବାଦୀ) ରୁ ୬, ସିପିଆଇରୁ ୪ ଏବଂ ସିପିଏମ୍ରୁ ଜଣେ ପ୍ରାର୍ଥୀ ହୋଇଛନ୍ତି।
ଭୋଟିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ୧୬୨୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମୁତ୍ତୟନ କରାଯାଇଛି। ୨୦୨୦ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ୧୨୨ ଆସନ ଭିତରୁ ଆର୍ଜେଡି-କଂଗ୍ରେସ ମହାଗଠବନ୍ଧନ ୪୯ ଆସନ ଜିତିଥିଲା। ସେହିପରି ଏନ୍ଡିଏ ଏହି ଆସନଗୁଡ଼ିକ ଭିତରୁ ୬୬ଟିରେ ବିଜୟଲାଭ କରିଥିଲା। ଏବେ ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଏନ୍ଡିଏ ୭୫ରୁ ୮୦ ଆସନରେ ବିଜୟ ଲାଭକରିବାକୁ ଆଶାବାଦୀ ରହିଛି। ସେହିପରି ମହାଗଠବନ୍ଧନ ୯୦ ଆସନରେବ ବିଜୟୀ ହେବ ବୋଲି ପ୍ରକାଶ କରିଛି।