)
ଭୁବନେଶ୍ୱର: ମହାକାର୍ତ୍ତିକ ମାସ ହୋଇ ମଧ୍ୟ ଲିଙ୍ଗରାଜ ମନ୍ଦିରରେ ବିଭ୍ରାଟ ଦେଖା ଦେଇଛି। ସେବକମାନେ ଏଥିଲାଗି ମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି। ଯେଉଁ ସେବାୟତଙ୍କ ଉତ୍ତରାଧିକାରୀ ନାହାନ୍ତି ତାଙ୍କ ସେବା କିଏ କରିବ ତାହାକୁ ପ୍ରଶାସନ ସ୍ଥିର କରିପାରୁ ନଥିବାରୁ ଏହି ଅଚଳାବସ୍ଥା ଦେଖା ଦେଇଛି। ଫଳରେ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ଆଜି ସକାଳ ୧୦ଟା ପରେ କୌଣସି ନୀତିକାନ୍ତି ହୋଇପାରି ନଥିବା ସୂଚନା ମିଳିଛି।
ଆଜି ସକାଳେ ସ୍ୱଭାବିକ ଭାବେ ଶ୍ରୀ ଲିଙ୍ଗରାଜଙ୍କ ଦୁଆରଫିଟା, ସୂର୍ଯ୍ୟପୂଜା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସମଥା ସେବାୟତ ବର୍ଗରେ ଯାହାଙ୍କ ପାଳି ଥିଲା ତାଙ୍କ ପରିବାରର କେହି ପାଳି ଖଟିବାକୁ ରହି ନଥିବାରୁ ତାଙ୍କ ଉତ୍ତରାଧିକାରୀ କିଏ ହେବେ ଏବଂ ପାଳି କିଏ ଖଟିବ ସେ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦେବାତ୍ତର ବିଭାଗ ଏ ନେଇ କୌଣସି ନୀତି ନିର୍ଦ୍ଧାରଣ କରି ନଥିବାରୁ ଏହି ବ୍ୟବସ୍ଥା ଅନିଶ୍ଚିତତା ଆଡ଼କୁ ଗତି କରିଥିଲା। ଏ ବାବଦରେ ଅନେକ ଥର ସେବାୟତ ବର୍ଗ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଥିବା କହିଛନ୍ତି।
ଏହାଫଳରେ ସମତା ସେବାୟତମାନେ ନୀତି ପାଳନ କରି ନଥିବାରୁ ମନ୍ଦିରର ଅନ୍ୟ ନୀତି ହୋଇପାରି ନଥିଲ। ଭକ୍ତମାନେ କେବଳ ଦର୍ଶନ କରିଥିଲେ ମଧ୍ୟ ପ୍ରସାଦ ପାଇପାରି ନଥିଲେ।