)
ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଏହା ଏକ ଲମ୍ବା ସମୟ ଧରି ଚାଲିବାକୁ ଥିବା ନୀତି। ଏହି ସମୟରେ ମହାପ୍ରଭୁଙ୍କ ଶରୀରରେ ରଙ୍ଗ ଲାଗି ହୋଇଥାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ନିର୍ଦ୍ଧାରିତ ସେବକଙ୍କ ଛଡ଼ା ଆଉ କାହାର ଦର୍ଶନ ଅନୁମତି ନାହିଁ।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି କାର୍ଯ୍ୟ ଆରମ୍ଭ ହେବ। ପ୍ରାୟ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ୫ ଘଣ୍ଟା ସମୟ ଚାଲିବ। ଅର୍ଥାତ୍ ଏହି ୫ ଘଣ୍ଟା ସମୟରେ ଶ୍ରୀଜିଉଙ୍କ ଦର୍ଶନ ଲାଭ କରି ହେବ ନାହିଁ। ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ପାର୍ଶ୍ୱଦେବ ଦେବୀଙ୍କୁ ଦର୍ଶନ କରିପାରିବେ। ଏହା ସହ ମହାପ୍ରସାଦ ସେବନ କରି ପାରିବେ। ନୀତି ସମାପନ ହେବା ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ ବୋଲି ସୂଚପନା ମିଳିଛି।
ଏବେ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଚାଲୁଥିବାରୁ ଶ୍ରୀମନ୍ଦିରରେ ରାତି ୨ଟାରେ ଦ୍ୱାର ଫିଟା ହେଉଛି। ରାତି ୧୧ଟାରେ ମହାପ୍ରଭୁଙ୍କୁ ପହୁଡ଼ କରାଯାଉଛି। ଏଣୁ ଯେଉଁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବା ଲାଗି ଆସନ୍ତାକାଲି ଶ୍ରୀମନ୍ଦିର ଗସ୍ତ କରୁଛନ୍ତି ସେମାନେ ସେମାନଙ୍କ ସମୟକୁ ଏହି ଅନୁସାରେ ନିର୍ଘଣ୍ଟ କରିବାର ଆବଶ୍ୟକତା ରହିଛି। ରାତି ୧୦ଟା ପରେ ଦର୍ଶନ ପାଇଁ ଅପେକ୍ଷା କରିଲେ ହୁଏତ ଅତ୍ୟଧିକ ଭିଡ଼ ଯୋଗୁ ତାହା ସମ୍ଭବ ହୋଇ ନପାରେ।