Trending Photos
)
ଭୁବନେଶ୍ୱର: ଜଗତସିଂହପୁରରୁ ୧୮ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ ଏବଂ ପୁଳାପୁଳା ନକଲି ଆଧାର କାର୍ଡ ଜବତ ପରେ ଏବେ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ସମାନ ଅଭିଯାନ। ଆଗକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏକ ବଡ଼ ଧରଣର ମିଶନ ପାଇଁ ପ୍ରସ୍ତୁତ ହେଉଥିବାବେଳେ କେନ୍ଦୁଝରରେ ମଧ୍ୟ ସମାନ ସମସ୍ୟା ନେଇ ତାତିଛନ୍ତି ସାଧାରଣ ଜନତା । ଏହି ଜିଲ୍ଲାରେ ବାଂଲାଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ ତଡ଼ିବା ଲାଗି ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ। ଏପରିକି ଆସନ୍ତା କାଲି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।
ରାଜ୍ୟରେ କେତେ ସଂଖ୍ୟକ ବେଆଇନ ବାଂଲାଦେଶୀ ଅନୁପ୍ରବେଶ କରି ରହିଛନ୍ତି ତାହାର କୌଣସି ସଟିକ ତଥ୍ୟ ନାହିଁ। ବିଭିନ୍ନ ସମୟରେ ଉପକୂଳ ଜିଲ୍ଲାଗୁଡ଼ିକୁ ସମୁଦ୍ର ବାଟ ଦେଇ ବାଂଲାଦେଶୀ ଆସୁଥିବା ଅଭିଯୋଗ ହୋଇଛି। ଏମାନେ ନକଲି ଆଧାର କାର୍ଡ଼ ଏବଂ ପରିଚୟପତ୍ର ଦେଖାଇ ସୀମାରେ ପ୍ରବେଶ କରୁଛନ୍ତି। ଏପରିକି ବିଭିନ୍ନ ବେଆଇନ ବସ୍ତିରେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସି ବସତିସ୍ଥାପନ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ବିଧାନସଭାରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ ରାଜ୍ୟର ୭ ଜିଲ୍ଲାରେ ପ୍ରାୟ ୩୭୪୦ ଜଣ ବେଆଇନ ବାଂଲାଦେଶ ଅନୁପ୍ରବେଶକାରୀ ରହୁଛନ୍ତି। ଏଥିରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ ଜଣ ଥିବା ବେଳେ ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫ ଏବଂ ନବରଙ୍ଗପୁରରେ ୧୦୬ ଜଣଙ୍କୁ ଠାବ କରାଯାଇଥିଲା। କିନ୍ତୁ ସାରା ରାଜ୍ୟରେ ଦେଢ଼ଲକ୍ଷରୁ ଅଧିକ ବାଂଲାଦେଶୀ ବେଆଇନ ଭାବେ ରହୁଥିବା ଅଭିଯୋଗ ହୋଇଛି।
ଜଗତସିଂହପୁରରେ ଗତ ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ଚଢ଼ଉ କରାଯାଇଥିଲା। ବେହରାମପୁରଠାରେ ବେଆଇନ ବସ୍ତିରେ ସେମାନେ ରହୁଥିବା ନେଇ ଖବର ପାଇଥିବଲା ପୁଲିସ। ଏହିକ୍ରମରେ ଚଢ଼ଉ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଆସାମୀ ସିକନ୍ଦର ଆଲାମ ଯିଏ ଏହି ବେଆଇ ବାସିନ୍ଦାଙ୍କୁ ବିଭିନ୍ନ କାଗଜପତ୍ର ଯୋଗାଉଥିଲେ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏହି ସମୟରେ ପୁଲିସ ଓ ଅନୁପ୍ରବେଶକାରୀଙ୍କ ଭିତରେ ହାତାହାତି ଦେଖିବାକୁ ମିଳିଥିଲା। ପୁଲିସକୁ ଆକ୍ରମଣ କରିବାରୁ ଅତିରିକ୍ତ ଏସ୍ପି ଓ ୨ ଜଣ କନଷ୍ଟେବଳ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ପୁଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ କ୍ରମେ ବେଆଇନ ବସ୍ତିକୁ ଭାଙ୍ଗି ଦିଆଯାଇଛି।
ଏହାପରେ ଏବେ କେନ୍ଦୁଝରରେ ବାଂଲାଦେଶୀଙ୍କୁ ହଟାଇବା ଲାଗି ଦାବି ହୋଇଛି। ଏହି ଜିଲ୍ଲା ଆଭ୍ୟନ୍ତରୀଣ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ବଂଲାଦେଶୀଙ୍କୁ ହଟାଇବା ଲାଗି ଦାବି ହୋଇଛି। ଛଦ୍ମ ବେଶରେ ବାଂଲାଦେଶୀ ରହୁଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଯାଞ୍ଚ ପାଇଁ ଦାବି କରି ଆସନ୍ତାକାଲା କେନ୍ଦୁଝରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲା ସକାଳ ୬ଟାରୁ ଏହା ଆରମ୍ଭ ହେବ।
କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଭାବେ ପରିଚିତ। ୨୦୧୧ ଜନଗଣନା ଅନୁସାରେ ଏଠାରେ ଜନ ସଂଖ୍ୟା ହେଉଛି ୧୮ ଲକ୍ଷ। ଏହାର ୪୫% ଆଦିବାସୀ ଜନସଂଖ୍ୟା ବୋଲି କୁହାଯାଇଛି।