)
ଆଉ ଅଳ୍ପ କିଛି ଦିନରେ ନୂଆପଡ଼ାରେ ଉପ ନିର୍ବାଚନ। ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି। ବିଜେଡିକୁ ଛାଡ଼ିଦେଲେ ଅନ୍ୟ ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାୟ ସ୍ଥିର। ପ୍ରାର୍ଥୀଙ୍କ ଭଳି ରଣନୀତି ବି ରିପିଟ ହୋଇପାରେ। କିନ୍ତୁ ବିଜୁ ଜନତା ଦଳ କ’ଣ କରିବ? ଅବଶ୍ୟ ବିଜେଡି ଅନୁକମ୍ପାମୂଳକ ଭୋଟ ପାଇଁ ତାଙ୍କ ପୁଅ ବା ପରିବାରର କାହାକୁ ପ୍ରାର୍ଥୀ କରିପାରେ ହେଲେ ପ୍ରଚାର କିଏ କରିବେ? ନବୀନ ନା ପାଣ୍ଡିଆନ୍? ନା ବିନା କୌଣସି ମଙ୍ଗୁଆଳରେ ଦଳ ମାଗିବ ଭୋଟ?
ବିଜେଡିରେ ବଢ଼ୁଥିବା ଆଭ୍ୟନ୍ତରୀଣ ବିଦ୍ରୋହ, ମୁଖିଆଙ୍କ ଅସୁସ୍ଥତା ଏବଂ ଅସ୍ଥିର ନୀତି ଏଭଳି ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣୁଛି। ୨୦୨୪ରେ ଏଠାରେ ଉଭୟ ନବୀନ ଓ ପାଣ୍ଡିଆନ୍ ପ୍ରଚାର କରିଥିଲେ। ଆଉ ମେ’ ମାସ ୧୩ ତାରିଖ ଭୋଟରେ ଅଧିକ ଭୋଟ ବିଜେଡି ପ୍ରାର୍ଥୀଙ୍କ ନାମରେ ପଡ଼ିଥିଲା। ସଂକ୍ଷେପରେ କହିଲେ ୨୦୨୪ ନିର୍ବାଚନରେ ବିଜେଡି ନୂଆପଡ଼ା ଜିତିଥିଲା। ରାଜେନ୍ଦ୍ର ସିଂହ ଢୋଲକିଆ କଂଗ୍ରେସର ଘାସିରାମ ମାଝିଙ୍କୁ ୧୦୮୮୧ ଭୋଟରେ ହରାଇଥିଲେ। ରାଜେନ୍ଦ୍ର ପାଇଥିବା ସମୁଦାୟ ଭୋଟ ପରିମାଣ ଥିଲା ୬୧ହଜାର ୮୨୨। ଆଉ ଘାସିରାମ ପାଇଥିଲେ ୫୦ ହଜାର ୯୪୧। ଏହି ରଣାଙ୍ଗନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। ଏହାର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୧୭ ହଜାର ୮ଖଣ୍ଡ ଭୋଟରେ ରାଜେନ୍ଦ୍ରଙ୍କଠାରୁ ପଛରେ ଥିଲେ।
ଏହାର ଅର୍ଥ ନୁହେଁ ଯେ, ନୂଆପଡ଼ାରେ ବିଜେପି ଦୁର୍ବଳ। ୨୦୦୦ ମସିହାରୁ ଏଠାରେ ବିଧାନସଭାକୁ ବିଜେପି- ବିଜେଡିକୁ ଲୋକେ ବରାବର ସୁଯୋଗ ଦେଇ ଆସୁଛନ୍ତି। ହେଲେ ୨୦୨୪ ବେଳକୁ ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ ହେତୁ ଟିକଟ ବଣ୍ଟାରେ ଗଡ଼ବଡ଼ି ଦେଖିବାକୁ ମିଳିଥିଲା। ଅବଶ୍ୟ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନଙ୍କୁ ଟିକଟ ମିଳିଥିଲା କିନ୍ତୁ ଏହା ବିଜେପିର କର୍ମୀ ଓ ସଂଗଠନକୁ ଏକାଠି କରିବାରେ ବିଫଳ ହୋଇଥିଲା। ବିଜେପିର କୌଣସି କେନ୍ଦ୍ରୀୟ ନେତା ବା ବଡ଼ ନେତା ନୂଆପଡ଼ା ପ୍ରଚାରରେ ଯାଇ ନଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେ ୫ ତାରିଖରେ ପ୍ରଚାର କରିଥିଲେ। ମେ’ ୨ ତାରିଖରେ ତାଙ୍କ ପ୍ରମୁଖ ସହଯୋଗୀ ନୂଆପଡ଼ା ଗସ୍ତରେ ଯାଇଥିଲେ। ସେଠାରେ ଜନତାଙ୍କ ଭୋଟ ମାଗିଥିଲେ।
ବିଜେପିର ଦୁର୍ବଳତା ସେତେବେଳେ କଂଗ୍ରେସ ପାଇଁ ସହାୟକ ହୋଇଥିଲା। କଂଗ୍ରେସ ଦ୍ୱିତୀୟ ପ୍ରାର୍ଥୀ ଭାବେ ନିର୍ବାଚନରେ ରନର୍ସଅପ ହୋଇଥିଲା। ଏବେ କଂଗ୍ରେସ ସେଇ ସ୍ଥିତିରେ ରହିଛି। ବିଜେପି ସରକାରରେ ଅଛି। ହେଲେ ବିଜେଡିରେ ବହୁତ କିଛି ବଦଳିଛି। କାରଣ ନବୀନ ଓଡ଼ିଶାରେ ନାହାନ୍ତି। ଗଲା କିଛିଦିନ ହେଲା ଓଡ଼ିଶା ରାଜନୀତିରେ ଭାଗ ନେଉ ନାହାନ୍ତି। ଏପରିକି ଦୁର୍ଗାପୂଜାରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ କି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ବି କଂଗ୍ରେସ ବିଧାୟକମାନେ ଯେତେ ଖୋଜିଲେ ବି ତାଙ୍କୁ ପାଇ ପାରି ନଥିଲେ। ଅର୍ଥାତ୍ ଓଡ଼ିଶା ରାଜନୀତିରେ ତାଙ୍କ ଅମନଯୋଗୀତା ସ୍ପଷ୍ଟ ବାରି ହୋଇପଡ଼ୁଥିବା ଆଲୋଚନା ହେଉଛି। ଅପରପକ୍ଷେ ତାଙ୍କ ମୁଖ୍ୟ ସହଯୋଗୀ ଯିଏ ୨୦୨୪ ପ୍ରଚାର ଅଭିଯାନର ମୁଖ୍ୟ ସାରଥି ଥିଲେ ସିଏ ବି ଆଉ ସକ୍ରିୟ ରାଜନୀତିରେ ନାହାନ୍ତି ବୋଲି ଏକ ଛାପ ଗଣମାଧ୍ୟମରେ ଛାଡ଼ିଛନ୍ତି। ଏଣୁ ସେ ବି ପ୍ରଚାରରେ ଯୋଗଦେଲେ ପ୍ରଚାର ଅପେକ୍ଷା ଅପପ୍ରଚାର ଅଧିକ ହେବ ବୋଲି ଆଶଙ୍କା ହୋଇଛି। ଠିକ୍ ସେହିପରି ନିର୍ବାଚନ ପରିସ୍ଥିତି ସମ୍ଭାଳିବାକୁ ବିଜେଡି ପକ୍ଷରୁ ପଠାଯାଇଥିବା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ବି ଦଳରେ ଏକମତ ନାହିଁ। ଏଣୁ ବିଜେଡି ଆଗରେ କେବଳ ସମ୍ପତ୍ତି କହିଲେ ରାଜେନ୍ଦ୍ରଙ୍କ ପରିବାର ପ୍ରତି ନୂଆପଡ଼ାବାସୀଙ୍କ ଅନୁକମ୍ପା ବା ସମବେଦନା।
ଅବଶ୍ୟ ଏହି ସମବେଦନା ଅନେକ ସମୟରେ ବିଜୟର ମୁଖ୍ୟ କାରଣ ପାଲଟିଛି। ହେଲେ ନୂଆପଡ଼ାର ଇତିହାସ କିଛି ଅଲଗା। ଏଠାରେ ଯେତେବେଳେ ଉପ ନିର୍ବାଚନ ହୋଇଛି ସେଠାରେ ସମବେଦନା ଏକ ଗୌଣ କାରକ ହୋଇଛି। ଅର୍ଥାତ୍ ମୃତ ବିଧାୟକଙ୍କ ପୁଅ ନିର୍ବାଚନ ଜିତିପାରି ନାହାନ୍ତି। ୧୯୯୭ ଉପ ନିର୍ବାଚନ ଏହି କାହାଣୀ ବର୍ଣ୍ଣନା କରେ। ୨୮ ବର୍ଷ ତଳର ଏହି କାହାଣୀରେ ତତ୍କାଳୀନ ଜନତା ଦଳର ନେତା ଘାସିରାମ ମାଝିଙ୍କ ଦେହାନ୍ତ ଯୋଗୁ ଉପ ନିର୍ବାଚନ ହୋଇଥିଲା। ସେତେବେଳେ ବିଜୁ ବାବୁ ବି ବିରୋଧୀ ଦଳରେ ଥିଲେ। ଶାସନରୁ ଯାଇ ବିରୋଧୀରେ ବସିଥିବା ବିଜୁଙ୍କୁ ଓଡ଼ିଶା ଭଲ ଲାଗୁ ନଥିଲା। ସେ ପ୍ରଣବ ପ୍ରକାଶଙ୍କ ବାପା ଅଶୋକ ଦାସଙ୍କୁ- ବିଧାନସଭାରେ ବିରୋଧୀ ଦଳ ଦାୟିତ୍ୱ ଦେଇ ଦିଲ୍ଲୀରେ ରହୁଥିଲେ। ଉପ ନିର୍ବାଚନ ପ୍ରଚାରରେ ଆସି ନଥିଲେ। ଆଉ ତାଙ୍କ ଦଳ ସେତେବେଳେ ପରାଜୟ ଦେଖିଥିଲା।
ଆଜି ନବୀନ ଦୀର୍ଘକାଳ ନିରଙ୍କୁଶ କ୍ଷମତା ଉପଭୋଗ କରିବା ପରେ ବିରୋଧୀ ଦଳ ନେତା ଭୂମିକାରେ ରହିଛନ୍ତି। ତାଙ୍କର ବି ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। କେତେବେଳେ ଦିଲ୍ଲୀ ଓ କେତେବେଳେ ଭୁବନେଶ୍ୱର ହେଉଛନ୍ତି ନବୀନ। ପୁଣି ସେ ସଭାପତି ଥିବା ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଛି। ଏଭଳି କ୍ଷେତ୍ରରେ ନୂଆପଡ଼ା ଦ୍ୱିତୀୟ ଉପ ନିର୍ବାଚନ ଦେଖୁଛି। ଏହା ସଂଯୋଗ ହୋଇପାରେ। କିନ୍ତୁ ଏ ସଂଯୋଗ ଯଦି ପୁଣିଥରେ ବାସ୍ତବ ଫଳାଫଳ ଦିଏ ତେବେ ବିଜେଡି ୫୧ ଆସନରୁ ୫୦ରେ ପହଞ୍ଚି ପାରେ। ଆଉ ଯଦି ଏହି ସଂଯୋଗକୁ ବିଜେଡି ନିଜ ବଳରେ ଅଲଗା କରିବାକୁ ଚାହେଁ ତେବେ ଦୃଢ ନେତୃତ୍ୱ ଫେରାଇ ଆଣିବାକୁ ହେବ।