)
ବିଶ୍ୱର ଶକ୍ତିଶାଳୀ ଦେଶ ଭାବେ ନିଜକୁ ପରିଚିତ କରାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ଡରି ଯାଇଛି କି? ଋଷ ଓ ଚୀନର ଶକ୍ତି ଆମେରିକାକୁ ଆଶଙ୍କିତ କରୁଛି କି? ୧୯୯୨ ମସିହାରୁ ବନ୍ଦ ଥିବର ଆଣବିକ କାର୍ଯ୍ୟକ୍ରମକୁ ୩୩ ବର୍ଷ ପରେ ପୁଣିଥରେ କାହିଁକି ଆରମ୍ଭ କରିବାକୁ ଯାଉଛି ଆମେରିକା?
ଏପରି ପ୍ରଶ୍ନ ଉଠିବାର କାରଣ ପଛରେ ରହିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ସଦସ୍ୟତମ ଆଦେଶ। ଏହି ଆଦେଶରେ ସେ ଋଷ ଓ ଚୀନର ପରମାଣୁ ଶକ୍ତିକୁ ତୁଳନା କରିଛନ୍ତି। ଆଉ କହିଛନ୍ତି ଆସନ୍ତା ୫ ବର୍ଷରେ ଏମାନେ ଆମେରିକାର ସମକକ୍ଷ ହୋଇପାରନ୍ତି। ସେଥିପାଇଁ ରାଷ୍ଟ୍ରପତି ଏହାର ପ୍ରତିରକ୍ଷା ବିଭାଗକୁ ତୁରନ୍ତ ଆଣବିକ ପରୀକ୍ଷଣ ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି।
ସୋଶାଲ୍ ମିଡିଆ ହ୍ୟାଣ୍ଡଲ ଟ୍ରୁଥ୍ ସୋଶାଲରେ ଟ୍ରମ୍ପ କହିଛନ୍ତି, ‘ବିଶ୍ୱର କୌଣସି ଦେଶ ଅପେକ୍ଷା ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ସର୍ବାଧିକ ଆଣବିକ କ୍ଷମତାପନ୍ନ ଅସ୍ତ୍ରଶସ୍ତ ରହିଛି। ତାଙ୍କର ପ୍ରଥମ ସରକାର ସମୟରେ ସେ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକର ନିରୀକ୍ଷଣ କରିଛନ୍ତି। ତଥାପି ପୁଣିଥରେ ସେ ପ୍ରତିରକ୍ଷା ବିଭାଗକୁ ଆଣବିକ ଅସ୍ତ୍ର ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୁଣି ତୁରନ୍ତ ଭିତ୍ତିରେ।
ସେ କହିଛନ୍ତି, ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ବିଧ୍ୱଂସ୍ତକାରୀ, ସେ ଏହାକୁ ଘୃଣା କରନ୍ତି। ତଥାପି ତାଙ୍କ ପାଖରେ ଆଉ କୌଣସି ଚାରା ନାହିଁ।
ଆଣବିକ ଶକ୍ତି କ୍ଷେତ୍ରରେ ଋଷ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଆଉ ଅନେକ ଦୂରରେ ଚୀନ ତୃତୀୟ ବୃହତ ଆଣବିକ ଶକ୍ତି ଭାବେ ରହିଛି। ହେଲେ ଏମାନେ ନିକଟରେ ଯେଉଁଭଳି ଆଣବିକ କାର୍ଯ୍ୟକ୍ରମ କରୁଛନ୍ତି ତାହା ଆସନ୍ତା ୫ ବର୍ଷରେ ସମକକ୍ଷ କରିପାରେ।
ନିକଟରେ ଋଷ ଆଣବିକ ଶକ୍ତି ସମ୍ପନ୍ନ ବରଭେଷ୍ଟନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଋଷର ସୂଚନା ଅନୁସାରେ ଏହି ଆଣବିକ କ୍ଷେପଣାସ୍ତ୍ର ବିଶ୍ୱର ଯେ କୌଣସି ପ୍ର୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିପାରେ। ଖାଲି ସେତିକି ନୁହେଁ, ୟୁକ୍ରେନ ଯୁଦ୍ଧ ଚାଲିଥିବା ସମୟରେ ଏପରି ପରୀକ୍ଷଣ କରି ସେ ନିଜର ଶକ୍ତି ଦେଖାଇଛି। ପୁଣି ଏହି କ୍ଷେପଣାସ୍ତ୍ରକୁ ଏବେ ମୁତ୍ତୟନ କରି ନିଜର ଆତ୍ମବିଶ୍ୱାସ ବି ଜାହିର କରିଛି।
ଆମେରିକା ବୋଧହୁଏ ଋଷର ଏହି ଆତ୍ମ ବିଶ୍ୱାସ ଆଗରେ ଡରି ଯାଇଥାଇପାରେ। ନିଜକୁ ଶକ୍ତିଶାଳୀ ଦେଶ ବୋଲି କହି ଅନ୍ୟ ଦେଶକୁ ଧମକାଉଥିବା ଆମେରିକା ବୋଧହୁଏ ଭୟଭୀତ ହୋଇପଡ଼ିଛି। ଏଣୁ ଋଷ ଉପରେ ଚାପ ପ୍ରୟୋଗ ଲାଗି ଏପରି ଅସ୍ତ୍ର ପରୀକ୍ଷା କରୁଥାଇପାରେ। ଅପରପକ୍ଷେ ଆମେରିକାର ରାଷ୍ଟ୍ରପତିଙ୍କ ବାଣିଜ୍ୟ ଯୁଦ୍ଧ ଏବେ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି। ଚୀନ ଉପରେ ଘୋଷଣା ହୋଇଥିବା ଟାରିଫ୍କୁ ନେଇ ଚୀନ ଅସନ୍ତୁଷ୍ଟ ବି ରହିଛି। ଏହିକ୍ରମରେ ଶକ୍ତି ପ୍ରଦର୍ଶନ ଲାଗି ହୁଏତ ଆମେରିକା ରାଷ୍ଟ୍ରପତି ଏପରି ଆଚରଣ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।