)
Weather Update: ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଏକ ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଦିଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇନାହିଁ ।
ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ସମୂହର ଏକତ୍ରୀକରଣ ହୋଇଥିବା ପାଣିପାଗ ବିଜ୍ଞାନୀ ପ୍ରକାଶ କରିଛନ୍ତି । ଏଥିସହ କହିଛନ୍ତି ଯେ, କାଲି ଲଘୁଚାପ ସୃଷ୍ଟି ହେଲେ ନଭେମ୍ୱର ୨୫/୨୬ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ଦିଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୧ ନଭେମ୍ୱରରେ ଲଘୁଚାପର ରୂପ ନେଲେ ୨୪ ତାରିଖରେ ଅବପାତ ହୋଇ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ଚିନ୍ତା ବଢାଇଛି ବିଦେଶୀ ମଡେଲର ବାତ୍ୟା ଆକଳନ। ତେବେ ଆଇଏମଡି ପକ୍ଷରୁ ଏପର୍ଯ୍ୟନ୍ତ କେବଳ ଅବପାତ ଯାଏଁ ଆକଳନ କରାଯାଇଛି । ପାଣିପାଗ ବିଜ୍ଞାନୀଙ୍କ ମତ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହେବାର ସମ୍ଭାବନା ମଧ୍ୟ ରହିଛି ।
ଏସବୁ ଭିତରେ କିନ୍ତୁ ବର୍ଷା ଆଶଙ୍କାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଚାଷୀକୂଳ। ଯଦି ବର୍ଷା ହୁଏ ତେବେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନାକୁ ନେଇ ଚାଷୀଙ୍କ ଚିନ୍ତା ବଢିଛି । ଦୁଇ ଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ, ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢିଥିବା ଲକ୍ଷ କରାଯାଉଛି । ଜମ୍ମୁ କଶ୍ମିରର ବିଭିନ୍ନ ସ୍ଥାନରେ ତୁସାରପାତ ମଧ୍ୟ ହେଉଛି । କେତେକ ସ୍ଥାନରେ ଆଗକୁ ତୁସାରପାତ ହେବା ନେଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ଏନସିଆର ସମେତ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟରେ ଧିରେ ଧିରେ ପାରଦ ଖସିବାରେ ଲାଗିଛି । ଫଳରେ ଜନ ଜୀବନ ବାଧାପ୍ରାପ୍ତ ହେଉଛି । ପ୍ରଦୂଷଣକୁ ନେଇ ମଧ୍ୟ ଦିଲ୍ଲୀବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ବଢିଛି ।