Trending Photos
)
ଭୁବନେଶ୍ଵର: ରାଜ୍ୟରେ କଲବଲ କରୁଛି ଶୀତ। ଉତ୍ତରରୁ ଦକ୍ଷିଣ ଆଉ ପୂର୍ବରୁ ପଶ୍ଚିମ ଯାଏଁ ଜାଡ଼ରେ ଥରୁଛି ଓଡ଼ିଶା। ୧୨ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଶୀତ। ଏହା ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ। ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡ଼ ଛଟପଟ କରିବ। ପାଣିପାଗ ବିଭାଗ (ଆଇଏମ୍ଡି) ଏହି ଆକଳନ କରିଛି। ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।
୯ ତାରିଖ ମଙ୍ଗଳବାର ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଶୀତ ଲହରୀ ବହିପାରେ। ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ବି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଲଗାତର ଦ୍ଵିତୀୟ ଦିନ ପାଇଁ ଜି.ଉଦୟଗିରିର ରାତି ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ରବିବାର ରାତିରେ ଏଠାରେ ୪.୩ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ଵରରେ ୧୧.୯ ଓ କଟକରେ ରାତି ତାପମାତ୍ରା ୧୧.୮ ଡିଗ୍ରୀ ରହିଥିଲା।
ପାଣିପାଗ ବିଶେଷଜ୍ଞ କହିଛନ୍ତି କି ୨୦ ତାରିଖ ଯାଏ ଶୀତ ଜାରି ରହିବ। ଉତ୍ତର ଆଭ୍ୟନ୍ତର ଓଡ଼ିଶା ଯଥା ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏବଂ ପଶ୍ଚିମ ଓଡ଼ିଶା ସମ୍ବଲପୁରରୁ ନବରଙ୍ଗପୁର ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ରାତି ତାପମାତ୍ରା କିଛି ବଢ଼ିପାରେ। ବାଲେଶ୍ଵରରୁ ଗଞ୍ଜାମ ଯାଏ ଉପକୂଳ ଜିଲ୍ଲା ଓ ସଂଲଗ୍ନ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ଗଜପତି ଜିଲ୍ଲାରେ ୧୧ ତାରିଖ ରାତିରେ ଶୀତ ବଢ଼ିପାରେ।
ସେପଟେ ଆଜି ରାଜ୍ୟରେ ଆକାଶ ମେଘାଚ୍ଛନ ରହିଛି। ଫଳରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି। ଥୁଆମୂଳ ରାମପୁର, ରାଉରକେଲା, ଝାରସୁଗୁଡ଼ା ୧୦ ଡିଗ୍ରୀ ତଳେ ରହିଛି। କେନ୍ଦୁଝରରେ ୧୦.୮ ଡିଗ୍ରୀ, ସମ୍ବଲପୁର ୧୧.୦୬, ହୀରାକୁଦ ୧୨.୫ ଡିଗ୍ରୀ, ବାଲେଶ୍ୱର ୧୪.୭, ଚାନ୍ଦବାଲି ୧୫.୪ ଡିଗ୍ରୀ , ପୁରୀ ୧୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।