Rath Yatra 2023: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଏହି ସମୟରୁ ହେବ ଆରମ୍ଭ...
Advertisement

Rath Yatra 2023: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଏହି ସମୟରୁ ହେବ ଆରମ୍ଭ...

Nabajouban Darshan 2023: ଶ୍ରୀଜିଉ ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ରବିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇ ଦିନିଆ ବନକଲାଗି ନୀତି (Banaka Lagi Rituals) ସମ୍ପନ୍ନ ହୋଇଛି । ଏହାପରେ ନବଯୌବନ ପ୍ରାପ୍ତ ହୋଇଛନ୍ତି ଶ୍ରୀଜିଉ । ୧୫ ଦିନର ଅଣସର ଶେଷ କରି ସୋମବାର ଦିନ ଅଣସର ପିଣ୍ତିରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ ମହାବାହୁ। 

ସୌ(ସୋସିଆଲ ମିଡିଆ)

Rath Yatra 2023: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା (Rath Yatra 2023) । ସେପଟେ ଅଣସର ଘରେ ଗୋପନ ନୀତି ପରେ ଜୂରରେ ପଡି଼ଥିବା ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଶ୍ରୀଜିଉ ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ରବିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇ ଦିନିଆ ବନକଲାଗି ନୀତି (Banaka Lagi Rituals) ସମ୍ପନ୍ନ ହୋଇଛି । ଏହାପରେ ନବଯୌବନ ପ୍ରାପ୍ତ ହୋଇଛନ୍ତି ଶ୍ରୀଜିଉ । ୧୫ ଦିନର ଅଣସର ଶେଷ କରି ସୋମବାର ଦିନ ଅଣସର ପିଣ୍ତିରେ ଭକ୍ତଙ୍କୁ ନବଯୌବନ ଦର୍ଶନ (Nabajouban Darshan) ଦେବେ ମହାବାହୁ। ଏନେଇ ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ। ପାରମାଣିକ ଟିକେଟଧାରୀ ମାନେ ସକାଳ ୮ଟାରୁ ୯ଟା ଯାଏଁ ଦର୍ଶନ କରିପାରିବେ । ପାରମାଣିକ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ଦକ୍ଷିଣ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କରିବେ । ଏହାପରେ ସକାଳ ୯ଟାରୁ ୧୧ଟା ଯାଏଁ ସାହାଣ ମେଲା ଦର୍ଶନ କରିବେ ଭକ୍ତ । ଦିନ ୧୧ଟା ପରେ ଦର୍ଶନ ବନ୍ଦ ରହିବ । ନବଯୌବନ ଦର୍ଶନର ପର ଦିନ ଶ୍ରୀଜିଉ ରଥାରୂଢ ହେବେ । ଏହା ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ଅନୁଷ୍ଠିତ ହେବେ ରଥାଯାତ୍ରା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସୂଚନା ଥାଉ କି, ନବଯୌବନ ଦର୍ଶନ (Nabajouban Darshan) ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଅନ୍ୟପଟେ ଆଜି ପ୍ରବଳ ଭକ୍ତଙ୍କ ଜନସମାଗମ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଶ୍ରୀମନ୍ଦିର ବାହାରେ ଓ ଭିତର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ଲାଗି ୭୦ ପ୍ଲାଟୁନ୍ ଓ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏମିତିକି ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ବ୍ୟାରିକେଡ଼ ବ୍ୟବସ୍ଥା ମଧ୍ଯ କରାଯାଇଛି । ପ୍ରକାଶଥାଉ କି, ଚକା ବିଜେ କରିଥିବା ମହାପ୍ରଭୁ ଚକା ଅପସର ନୀତି ସୋମବାର ଦିନ ସକାଳ ୬ଟାରେ ଅନୁଷ୍ଠିତ ହୋଇଛି । ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ । ପରେ ଭୋର ୬: ୧୦ ମିନିଟ୍ ରେ ମଙ୍ଗଳ ଆଳତି, ୬: ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଏହାର ପରେ ସାଢେ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଛି । ଏହାର ପରେ ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

Also Read-Rath Yatra 2023: ରଥଯାତ୍ରାକୁ ନେଇ ‘ମନ୍ କି ବାତ୍’ରେ କିଛି ଏଭଳି କହିଲେ ମୋଦି..

ସୂଚନାଯୋଗ୍ୟ, ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଓ କୋଣାର୍କ ଆଡୁ଼ ଆସୁଥିବା ସମସ୍ତ ଗାଡ଼ି ଲାଗି ଏଠାରେ ପାର୍କିଂ ବ୍ୟବସ୍ଥା ହୋଇଛି । ତାଳବଣିଆ ପଡ଼ିଆରେ ବାରିକେଡ଼ିଂ ବ୍ୟବସ୍ଥା ସହ ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି । ସେହିଭଳି ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ି ମଙ୍ଗଳା ଘାଟ ଛକ ନିକଟରେ ପାର୍କିଂ କରାଯିବ । ଅନ୍ୟପଟେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହୀ ବସ୍ ମାଲତୀପାଟପୁର ବସଷ୍ଟାଣ୍ତରେ ପାର୍କିଂ ହେବ । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଥି ଅସ୍ଥାୟୀ ବିଶ୍ରାମସ୍ଥଳୀ ସାଙ୍ଗକୁ ଶୌଚାଳୟ ଓ ମୋବାଇଲ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ପୁରୀକୁ ଯାତାୟତ କରୁଥିବା ଦୈନିକ ବସକୁ ଛାଡ଼ି ଦେଲେ ଚଳିତ ବର୍ଷ ଘୋଷଯାତ୍ରା ଲାଗି ବିଭିନ୍ନ ରୁଟ୍ ରେ ୨୫୦ଟି ସ୍ବତନ୍ତ୍ର ବସ ଚାଲିବା ନେଇ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଭଡ଼ା ଓ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ଼ଙ୍କୁ ନିୟୋଜିତ କରାଯିବ। ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଲାଗି ଅସ୍ଥାୟୀ ପୋଲିସ ପୋଷ୍ଟ କରାଯାଇଛି। ସେହିପରି ଡା଼କବାଜି ଯନ୍ତ୍ର ସାହାଯ୍ୟରେ ବସର ଗମନାଗମନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।