Rath Yatra 2023: ରତ୍ନବେଦୀରୁ ଦର୍ଶନ ଦେବେ ଶ୍ରୀଜିଉ, ଆଜିଠାରୁ ମିଳିବ ନୀଳାଚଳ ଅବଢା
Advertisement

Rath Yatra 2023: ରତ୍ନବେଦୀରୁ ଦର୍ଶନ ଦେବେ ଶ୍ରୀଜିଉ, ଆଜିଠାରୁ ମିଳିବ ନୀଳାଚଳ ଅବଢା

Puri Jagannath Temple: ଶ୍ରୀ ଗୁଣ୍ତିଚା ଯାତ୍ରା ସାରି ସିଂହଦ୍ବାରକୁ ଫେରିବା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଶନିବାର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ଗୋଟି ପହଣ୍ତିରେ ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ସେପଟେ ନୀଳାଦ୍ରି ବିଜେ ଅବସରରେ ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ତ ।

ସୌ(ସୋସିଆଲ ମିଡିଆ)

Rath Yatra 2023: ନବଦିନାତ୍ମକ ଯାତ୍ରା ଓ ମାନବୀୟ ଲୀଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ମହାବାହୁ । ସେପଟେ ରଥଯାତ୍ରାରେ (Rath Yatra 2023) ସାଙ୍ଗରେ ନେଇନଥିବାକୁ ମହାଲକ୍ଷ୍ମୀକୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ । ଲକ୍ଷ୍ମୀ ସାଆନ୍ତାଣିଙ୍କ ମାନଭଞ୍ଜନ ପରେ ଅଗଣିତ ଭକ୍ତଙ୍କ ଗ୍ରହଣରେ ରତ୍ନବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ଶ୍ରୀ ଗୁଣ୍ତିଚା ଯାତ୍ରା ସାରି ସିଂହଦ୍ବାରକୁ ଫେରିବା ପରେ ରଥ ଉପରେ ସୁନାବେଶ (Suna Besha 2023) ଓ ଅଧରପଣା ନୀତି ସାରି ଶନିବାର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ଗୋଟି ପହଣ୍ତିରେ ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ସେପଟେ ନୀଳାଦ୍ରି ବିଜେ (Niladri Bije 2023) ଅବସରରେ ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ତ ।

ସୂଚନାଯୋଗ୍ୟ, ରବିବାର ଦିନଠାରୁ ପୁଣି ଥରେ ରତ୍ନବେଦୀରୁ ଦର୍ଶନ ଦେବେ ଶ୍ରୀଜିଉ । ଏଥିଲାଗି ଚଳଞ୍ଚଚଳ ହୋଇଉଠିଛି ଶ୍ରୀମନ୍ଦିର (Puri Jagannath Temple) । ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଷାଠିଏ ପଉଟି ଭୋଗ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ଆଜିଠାରୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢା (Nilachala Abadha Mahaprasad) । ନୀଳାଚଳ ଅବଢା ପ୍ରସ୍ତୁତ ଲାଗି ୧୨ ଦିନରୁ ଖାଲି ପଡ଼ିଥିବା ଶ୍ରୀମନ୍ଦିରର ରୋଷଘର ମଧ୍ଯ ଚଳଞ୍ଚଚଳ ହୋଇଉଠିଛି । ସୁପକାରମାନେ ଆଜିଠାରୁ ମହାପ୍ରସାଦ (Mahaprasad) ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ତେବେ ଚଳିତ ବର୍ଷ ନୀଳାଦ୍ରି ବିଜେରେ ଶ୍ରୀଜିଉଙ୍କ ସଅଳ ପହଣ୍ତି ଶେଷ ହୋଇଥିଲା । ରାତି ୧୦ଟାରେ ରତ୍ନବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧାବିଗ୍ରହ । ବିଜେ ନୀତି ସମ୍ପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଏହା ବି ପଢନ୍ତୁ-Horoscope Today 02 July 2023: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

ନୀଳାଦ୍ରି ବିଜେ ଉପଲକ୍ଷେ, ଶନିବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ।  ଏହି ନୀତି ନିର୍ଘଣ୍ଟ ଅନୁଯାୟୀ, ତିନି ରଥ ଉପରେ ମଙ୍ଗଳ ଆଳତି ପରେ, ମଇଲମ, ତଡ଼ପଲାଗି, ଅବକାଶ ନୀତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ, ସକାଳ ସାଢେ ୬ଟାରେ ଗୋପଳବଲ୍ଲଭ ନୀତି ସରିଥିଲା । ୭ଟାରୁ ୮ଟା ସକାଳଧୂପ, ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ଯାହ୍ନଧୂପ, ପୂର୍ବାହ୍ନ ୧୧ଟା ୪୫ରୁ ୧୨ ମଧ୍ଯରେ ମଇଲମ ଓ ବେଶ, ୧୨ଟା ୧୫ରେ ସଂଧ୍ୟାଆଳତି, ଅପରାହ୍ନ ସାଢେ ୧୨ଟାରୁ ଗୋଟାଏ ମଧ୍ଯ ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଅପରାହ୍ନ ଗୋଟାଏରୁ ୪ଟା ୩୫ ମିନିଟ୍ ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସିଂହାସନ ମାଜଣା କରାଯାଇଥିଲା । ପୁଷ୍ପାଞ୍ଜଳି ପରେ ଅପରାହ୍ନ ୫ଟା ୧୫ ମିନିଟ୍ ରେ ଶ୍ରୀଜିଉଙ୍କ ପହଣ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ନୀଳାଦ୍ରି ବିଜେ କରିଥିଲେ ପରେ ୫ଟା ୪୫ ମିନିଟ୍ ରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ତି ପରେ ସନ୍ଧ୍ୟା ୬ଟା ୨୦ ମିନିଟ୍ ରେ ଶ୍ରୀ ବଳଭଦ୍ରଙ୍କ ପହଣ୍ତି ଆରମ୍ଭ ହୋଇଥିଲା । ବଡ଼ଠାକୁର ରତ୍ନବେଦୀରେ ବିଜେ କରିବା ପରେ ସନ୍ଧ୍ୟ ୭ଟା ୫୦ ମିନିଟ୍ ରେ ଦେବୀ ସୁଭଦ୍ରାଙ୍କ ପହଣ୍ତି ହୋଇଥିଲା । ଶେଷରେ ରାତି ୮ଟା ୨୦ ମିନିଟ୍ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ତି ଆରମ୍ଭ ହୋଇଥିଲା । ଏହାପରେ ଶ୍ରୀମନ୍ଦିର ଭେଟ ମଣ୍ତପରୁ ଲକ୍ଷ୍ମୀ ନାରାୟଣ ଭେଟ ଓ ବଚନିକା ପାଠ ପରେ ମହାପ୍ରଭୁ ରତ୍ନବେଦୀକୁ ବିଜେ କରିଥିଲେ ।