Suna Besha 2023: ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ଏହି ସମୟରୁ ଆରମ୍ଭ ହେବ ଦର୍ଶନ
Advertisement

Suna Besha 2023: ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ଏହି ସମୟରୁ ଆରମ୍ଭ ହେବ ଦର୍ଶନ

Suna Besha 2023: ସୁନାର କିରିଟ, କୁଣ୍ତଳ, ବାହାଡ଼, ମାଳି, ତାବିଜ, ବାଘନଖୀ ମାଳି, ହଳମୁଷଳ, ଆଡ଼କାନି, ଓଡ଼ିଆଣୀ, ଚନ୍ଦ୍ରିକା, ସେବତୀ ମାଳି, ଚକ୍ର, ତାବିଜ ମାଳି, ଅଳକା ଆଦି ଆଭୂଷଣରେ ଆଭୂଷିତ ହେବେ ବିଶ୍ବନିୟନ୍ତା । ସୁନାବେଶ ନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

ସୌ(ସୋସିଆଲ ମିଡିଆ)

Suna Besha 2023: ସରିଛି ବାହୁଡ଼ା ଯାତ୍ରା (Bahuda yatra 2023) । ଜନ୍ମବେଦୀରୁ ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି କାଳିଆ ସାଆନ୍ତ । ବାହୁଡ଼ା ଯାତ୍ରାରୁ ଫେରିବା ପରେ ଆଜି ରଥ ଉପରେ ଅଗଣିତ ଭକ୍ତଙ୍କୁ ସୁନାବେଶରେ (Suna Besha 2023) ଦର୍ଶନ ଦେବେ ମହାପ୍ରଭୁ । ସୁନାର କିରିଟ, କୁଣ୍ତଳ, ବାହାଡ଼, ମାଳି, ତାବିଜ, ବାଘନଖୀ ମାଳି, ହଳମୁଷଳ, ଆଡ଼କାନି, ଓଡ଼ିଆଣୀ, ଚନ୍ଦ୍ରିକା, ସେବତୀ ମାଳି, ଚକ୍ର, ତାବିଜ ମାଳି, ଅଳକା ଆଦି ଆଭୂଷଣରେ ଆଭୂଷିତ ହେବେ ବିଶ୍ବନିୟନ୍ତା । ସୁନାବେଶ ନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

ସୁନାବେଶ ନେଇ ନିର୍ଘଣ୍ଟ ନୀତି ଅନୁଯାୟୀ, ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହୋଇ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦର୍ଶନ ପରେ ବେଶ ଓଲାଗି ହେବ । ସେପଟେ ଯଦି କୌଣସି ନୀତିକାନ୍ତିରେ ବିଳମ୍ବ ନ ହୁଏ ତାହାଲେ ଅପରାହ୍ନ ୩ଟାରୁ ସୁନାବେଶ ଆରମ୍ଭ ହୋଇପାରେ । ନିର୍ଘଣ୍ଟ ନୀତି ଅନୁଯାୟୀ, ଗୁରୁବାର ଦିନ ଭୋର ୬ଟାରୁ ସାଢେ ୬ଟାରେ ତିନି ରଥରେ ମଙ୍ଗଳ ଆଳତି ଶେଷ ହୋଇଛି । ପୂର୍ବାହ୍ନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ଗୋପାଳବଲ୍ଲଭ, ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ସକାଳଧୂପ, ଅପରାହ୍ନ ୨ଟାରୁ ୩ଟାରେ ମଧ୍ଯାହ୍ନଧୂପ, ଅପରାହ୍ନ ସାଢେ ୩ଟାରେ ମଇଲମ ଲାଗି, ଅପରାହ୍ନ ୪ଟାରେ ମେକାପ ସର୍ବାଙ୍ଗ ନୀତିକାନ୍ତି ସଂପନ୍ନ ହେବା ପରେ ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢେ ୬ଟାରେ ଶେଷ ହେବ। ରାତି ୧୦ଟାରୁ ୧୧ଟା ସୁନାବେଶ ମଇଲମ ପରେ ରାତି ସାଢେ ୧୧ଟାରେ ଚନ୍ଦନ ଲାଗି, ୧୨ଟାରେ ବଡ଼ ସିଂହାର ବେଶ ଓ ରାତି ସାଢେ ୧୨ଟାରେ ବଡ଼ ସିଂହାର ଭୋଗ ଲାଗି ପରେ ରାତି ଗୋଟାଏରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ସେପଟେ ସୁନାବେଶ ଲାଗି ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶକୁ ଲକ୍ଷ୍ୟରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ କରାଯାଇଛି । ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ମାକେର୍ଟ ଛକରୁ ବଡ଼ଦାଣ୍ତରେ ବାରିକେଡ଼ ବ୍ୟବସ୍ଥା କରାଯିବ। ବଡ଼ଦାଣ୍ତରେ ବାମପାର୍ଶ୍ବରୁ ରଥ ଆଗ ଦେଇ ଦର୍ଶନ ପାଇଁ ଛାଡ଼ି ଡ଼ାହାଣ ପାର୍ଶ୍ବରେ ପ୍ରସ୍ଥାନ ବ୍ୟବସ୍ଥା କରାଯିବା ନେଇ ଜଣାପଡ଼ିଛି । ସେପଟେ ଭିଡ଼ ନିୟନ୍ତ୍ରଣ ଓ ଅନୁପ୍ରବେଶ ରୋକିବା ଲାଗି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ସିଲ୍ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏହା ବି ପଢନ୍ତୁ-Horoscope Today 29 June 2023: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ୨ ରାଶିଙ୍କ ଲାଗି ବଢିପାରେ ସମସ୍ୟା!

ପ୍ରକାଶ ଥାଉ କି, ଜନ୍ମବେଦୀରୁ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି କାଳିଆ ଠାକୁର । ବାହୁଡ଼ା ଯାତ୍ରା ଲାଗି ଜନ୍ମ ସମୁଦ୍ର ପାଲଟିଥିଲା ଶରଧାବାଲିରୁ ସିଂହଦ୍ବାର। ନିର୍ଦ୍ଧାରିତ ସମୟର ପ୍ରାୟ ୪ ଘଣ୍ଟା ପୂର୍ବରୁ ପହଣ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ପରେ ବଡ଼ଭାଇ ବଳଭଦ୍ର, ତାପରେ ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ନନ୍ଦିଘୋଷରେ ବିଜେ କରିଥିଲେ ଭାବ ବିନୋଦିଆ । ସମସ୍ତ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥ ଆଦ୍ୟ ସେବକ ମହାରାଜା ଦିବ୍ୟସିଂହ ଦେବ । ଏହାପରେ ଛେରାପହଁରା ଆରମ୍ଭ ହୋଇଥିଲା । ସମସ୍ତ ରୀତିନୀତି ପରେ ୧୨ଟା ୪୫ ମିନିଟ୍ ରେ ଆରମ୍ଭ ହୋଇଥିଲା ରଥଟଣା । ମଝିରେ କିଛି ସମୟ ପାଇଁ ମାଉସୀ ମାଆଙ୍କ ମନ୍ଦିର ଆଗରେ ରଥ ଅଟକିଥିଲା । ସେଠାରେ ମାଉସୀଙ୍କ ହାତରୁ ପୋଡ଼ପିଠା ଖାଇ ସିଂହଦ୍ବାର ଅଭିମୁଖେ ବାହାରିଥିଲେ ଶ୍ରୀଜିଉ । ଏହାପରେ ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜା କରାଇଥିଲେ ଲକ୍ଷ୍ମୀ ନାରାୟଣ ଭେଟ ।