Akshaya Tritiya 2023: ଜାଣନ୍ତୁ ଅକ୍ଷୟ ତୃତୀୟାକୁ ନେଇ କ’ଣ ରହିଛି ପୌରାଣିକ କଥା, କାହିଁକି କରାଯାଏ ପାଳନ
Advertisement
Article Detail0/zeeodisha/odisha1664270

Akshaya Tritiya 2023: ଜାଣନ୍ତୁ ଅକ୍ଷୟ ତୃତୀୟାକୁ ନେଇ କ’ଣ ରହିଛି ପୌରାଣିକ କଥା, କାହିଁକି କରାଯାଏ ପାଳନ

Akshaya Tritiya: ଅକ୍ଷୟ ତୃତୀୟାର ଅମୃତ ବେଳାରେ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । କୃଷକ ଭାଇମାନେ ବେଶ ଧୁମଧାମରେ ଏହି ପର୍ବକୁ ପାଳନ କରିଥାଆନ୍ତି । ଏଦିନ କୃଷକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ । ସେଠାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ସେହି ପ୍ରସାଦକୁ କିଆରୀର ଐଶାନ୍ୟ କୋଣରେ ପୋତି ହଳ ବୁଲାଇ ବିହନ ବୁଣିଥାଏ । ଏହାକୁ ଅକ୍ଷି ମୁଠି କୁହାଯାଏ । 

ସୌ(ସୋସିଆଲ ମିଡିଆ)

Akshaya Tritiya 2023: ଆଜି ହେଉଛି ଓଡ଼ିଶାର କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ । ଏହି ଦିନ ମାଟି ମାଆକୁ ପୂଜା କରି ଅକ୍ଷି ମୁଠି ଅନୁକୂଳ କରିଥାଏ ଚଷା ପୁଅ । କାହିଁ କେଉଁ କାଳରୁ ବିଶ୍ବାସ ରହିଛି ଯେ, ଏହି ଦିନ ଜମିରେ ବିହନ ମୁଠାଏ ପକାଇ ପୂଜା କରି ଚାଷବାସ କାମ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ତେଣୁ ଏହି ମାନ୍ୟତାକୁ ବିଶ୍ବାସ କରି ଅକ୍ଷୟ ତୃତୀୟାର ଅମୃତ ବେଳାରେ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । କୃଷକ ଭାଇମାନେ ବେଶ ଧୁମଧାମରେ ଏହି ପର୍ବକୁ ପାଳନ କରିଥାଆନ୍ତି । ଏଦିନ କୃଷକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ । ସେଠାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ସେହି ପ୍ରସାଦକୁ କିଆରୀର ଐଶାନ୍ୟ କୋଣରେ ପୋତି ହଳ ବୁଲାଇ ବିହନ ବୁଣିଥାଏ । ଏହାକୁ ଅକ୍ଷି ମୁଠି କୁହାଯାଏ । ସେପଟେ ଏହି ଦିନ ସରକାରୀ ସ୍ତରରେ କୃଷକ ଦିବସ ଭାବେ ମଧ୍ଯ ପରିଚିତ ।

ତେବେ ଅକ୍ଷୟ ତୃତୀୟାକୁ ନେଇ ଅନେକ ପୌରାଣିକ କଥା ମଧ୍ଯ ରହିଛି । କୁହାଯାଏ, ଅକ୍ଷୟ ତୃତୀୟା ମହାଭାରତ ସହ ଜଡି଼ତ । ଋଷି ବେଦବ୍ୟାସଙ୍କ କହିବା ଅନୁଯାୟୀ, ଭଗବାନ ଗଣେଷ ଏହିଦିନ ମହାଭାରତର କାହାଣୀ ଲେଖିବା ଆରମ୍ଭ କରିଥିଲେ । ଖାଲି ଏତିକି ନୁହେଁ,  ଗ୍ରନ୍ଥ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ଭଗବାନ ଶ୍ରୀକୃଷ୍ଣ ପାଣ୍ତବଙ୍କୁ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ, ଯାହା କେବେ ବି ଖାଲି ହୋଇନଥିଲା । ଏହି କାରଣରୁ ପାଣ୍ତବ ମାନେ କେବେ ଖାଦ୍ୟର ଅଭାବ ଅନୁଭବ କରିନଥିଲେ ।

ଅକ୍ଷୟ ତୃତୀୟାକୁ ନେଇ ଅନ୍ୟ ଏକ ପୌରଣିକ କାହାଣୀ ମଧ୍ଯ ରହିଛି ଯାହା କୃଷ୍ଣ ଓ ସୁଦାମାଙ୍କ ସହ ଜଡି଼ତ। ପ୍ରାୟ ସମସ୍ତେ ଜାଣିଥିବେ ଯେ, ଶ୍ରୀକୃଷ୍ଣ ଓ ସୁଦାମା ବାଲ୍ୟ ବନ୍ଧୁ ଅଟନ୍ତି । ସୁଦାମା ଅତ୍ୟନ୍ତ ଗରିବ ହୋଇଥିବାରୁ ଦିନେ ସେ ବନ୍ଧୁ ଶ୍ରୀକୃଷ୍ଣଙ୍କ ନିକଟକୁ ସାହାଯ୍ୟ ଲାଗି ଯାଇଥିଲେ । ସେ ସମୟରେ ଶ୍ରୀକୃଷ୍ଣ ନିକଟରେ କିଛି ନଥିବାରୁ ସେ ହାତରେ ମୁଠାଇ ଖୁଦ ଧରି ଦରବାରରେ ପହଁଞ୍ଚିଥିଲେ । ସୁଦାମାଙ୍କୁ ବେଶ ରାଜକୀୟ ଢଙ୍ଗରେ ସେ ସ୍ବାଗତ କରିଥିଲେ । ତେବେ ଏହା ଦେଖିବା ପରେ ସୁଦାମା ଲାଜରେ ଶ୍ରୀକୃଷ୍ଣଙ୍କୁ ସାହାଯ୍ୟ ନମାଗି ଫେରିଯାଇଥିଲେ । କିନ୍ତୁ ଫେରିବା ପରେ ସେ ଦେଖିବାକୁ ପାଇଥିଲେ ଯେ, ତାଙ୍କର ଛୋଟ କୁଟୀରଟି ଏକ ପ୍ରସାଦରେ ପରିଣତ ହୋଇଛି ।

କୁହାଯାଏ, ମନୁଷ୍ୟକୁ ପାପରୁ ମୁକ୍ତ କରିବା ଲାଗି ମାତା ଗଙ୍ଗା ଅକ୍ଷୟ ତୃତୀୟା ଦିନ ସ୍ବର୍ଗରୁ ଧରାପୃଷ୍ଠରେ ଧରାବତରଣ କରିଥିଲେ । ତେବେ ଏହାକୁ ନେଇ ଅନ୍ୟ ଏକ ପୌରାଣିକ କଥା ଧନର ଦେବ କୁବେରଙ୍କ ସହ ଜଡ଼ିତ । କୁହାଯାଏ, କୁବେରଙ୍କ ଧନ କେବେ ବି ଶେଷ ହୁଏନାହିଁ ଏଥିଲାଗି ତାଙ୍କୁ ସ୍ବର୍ଗ ଲୋକର ମାଲିକ ଭାବରେ ବିବେଚନା କରାଯାଇଥାଏ । ଶିବପୁରୀ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରିବା ପରେ କୁବେର ଏହିଦିନ ସମସ୍ତ କୁବେର ସମ୍ପତ୍ତି ପ୍ରାପ୍ତ କରିଥିଲେ । ଖାଲି ଏତିକି ନୁହେଁ, ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଓ କୁବେରଙ୍କୁ ଧନର ରକ୍ଷକ କରାଯାଇଥିଲା ।

ଅକ୍ଷୟ ତୃତୀୟା ସହ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ନେଇ ମଧ୍ୟ ଏକ କାହାଣୀ ରହିଛି । ବିଶ୍ବାସ ରହିଛି ଯେ, ଏହି ଦିନ ଦେବୀ ଅନ୍ନପୂର୍ଣ୍ଣା ଜନ୍ମଗ୍ରହଣ କରିଥିଲେ । ଦେବୀ ଅନ୍ନପୂର୍ଣ୍ଣାଙ୍କୁ ମାତା ପାର୍ବତୀଙ୍କ ଅବତାର ଭାବରେ ବିବେଚନା କରାଯାଇଥାଏ । କୁହାଯାଏ, ଯେବେ ଦେବ ଦେବ ମହାଦେବ ଭିକାରୀ ରୂପରେ ତାଙ୍କ ନିକଟକୁ ଯାଇଥିଲେ, ,ସେ ସମୟରେ ଦେବୀ ଅନ୍ନପୂର୍ଣ୍ଣା ନିଜେ ଭଗବାନ ଶିବଙ୍କୁ ଖାଦ୍ୟ ଖାଇବାକୁ ଦେଇଥିଲେ । ତେବେ ପବିତ୍ର ଅକ୍ଷୟ ତୃତୀୟା ସହ ଜଡ଼ିତ ଏହି କାହାଣୀ ଏହି ଦିନର ମହତ୍ତ୍ବକୁ ଦ୍ବିଗୁଣିତ କରିଥାଏ ।

fallback

ସେପଟେ ଆଜି ପରି ପବିତ୍ର ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ରଥ ନିର୍ମାଣ ପାଇଁ କାଠ ଅନୁକୂଳ କରାଯାଇଥାଏ। ବିଦ୍ଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢୀ ସାହାଯ୍ୟରେ ବଡ଼ ଦେଉଳର ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାଆନ୍ତି। ତିନିରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରି କାର୍ଯ୍ୟ ଆରମ୍ଭ ହୁଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥ ଖଳାକୁ ଆସିଥାଏ। ଏହାକୁ ତିନି ଜଣ ବଡ଼ ପଣ୍ଡା ଆଣିଥାନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ରଥଖଳାରେ ଶ୍ରୀ ମନ୍ଦିରର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା କରିବାର ବିଧି ରହିଛି।

ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଓ ଓଡ଼ିଶାର ଅନ୍ୟ ସ୍ଥାନରେ ଚନ୍ଦନ ଯାତ୍ରା ପାଳନ କରାଯାଏ । ଏହା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଜ୍ୟେଷ୍ଠ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଓ ପରବର୍ତ୍ତୀ ୨୧ ଦିନ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଭିତର ଚନ୍ଦନ ରୂପେ ପାଳନ କରାଯାଇ ଥାଏ। ବାହାର ଚନ୍ଦନ ଯାତ୍ରା ସମୟରେ ରାମ, କୃଷ୍ଣ, ମଦନମୋହନ ଓ ଶ୍ରୀଦେବୀ, ଭୂଦେବୀ ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ଶ୍ରୀ ଜଗନ୍ନାଥଙ୍କର ଏହି ମାସର ନାମ ‘ମଧୁସୂଦନ’ ବୋଲି କୁହାଯାଏ। କଥାରେ ଅଛି ଯେ, ଚାପରେ ଶ୍ରୀ ମଧୁସୂଦନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ।

ସେହିପରି ଅକ୍ଷୟ ତୃତୀୟା ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଏହିଦିନ କାହାକୁ ଟଙ୍କା ଉଧାର ଦେବା ଠିକ୍ ନୁହେଁ । ଏହା ସହିତ ଏହି ଦିନ ଖାଦ୍ୟ ସମାଗ୍ରୀ ନଷ୍ଟ କରିବା ଠିକ୍ ହୋଇନଥାଏ । ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ। ଏହି ପବିତ୍ର ଦିନରେ ମଦ୍ୟପାନ, ଜୁଆ ଖେଳିବା, ଚୋରି କରିବା ପରି କାର୍ଯ୍ୟ କରିବା ଉଚିତ୍ ନୁହେଁ । ଏହା ଫଳରେ ଜୀବନରେ ସୁଖ ସମୃଦ୍ଧି କମି ଯାଇଥାଏ। ଅକ୍ଷୟ ତୃତୀୟା ଦିନ ସୁନା, ଝାଡୁ, ରୁପା ଆଦି କିଣିବା ଦ୍ୱାରା ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।  ଅପର ପକ୍ଷରେ ସୋରିଷ ତେଲ, କଳା କପଡା, କୋଇଲା ଆଦି କିଣିବା ଉଚିତ୍ ନୁହେଁ।  ଏପରିକି ଲୁହା, ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟ ଘରକୁ ଆଣିବା ଉଚିତ୍ ନୁହେଁ ।

ଏହା ବି ପଢନ୍ତୁ-Sunday Remedy: ରବିବାର ଦିନ କରନ୍ତୁ ଏହିସବୁ ଉପାୟ ଚମକି ଉଠିବ ଭାଗ୍ୟ, ହେବ ଧନ ବର୍ଷା!