ଖୁବ ଶୀଘ୍ର ଭୁବନେଶ୍ୱରରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ
Advertisement

ଖୁବ ଶୀଘ୍ର ଭୁବନେଶ୍ୱରରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ପୁରୀ, ଗଂଜାମ ପରେ ବଡମ୍ବା ନରସିଂପୁର ଅଂଚଳର ସରିଲା ସେରୋ ସର୍ଭେ... 

ଖୁବ ଶୀଘ୍ର ଭୁବନେଶ୍ୱରରେ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ସରୋଜ କୁମାର ବେହେରା, ଭୁବନେଶ୍ୱର:-ଓଡିଶାରେ ପ୍ରଥମ ପର୍ଯ୍ୟାୟ ସେରୋଲଜିକାଲ ସର୍ଭେ ଜୋରଦାର କରାଯାଉଛି । ଲୋକଙ୍କ ମଧ୍ୟରେ କେତେ ପ୍ରତିଶତ ଆଣ୍ଟିବଡି ବୃଦ୍ଧି ହୋଇଛି ତାହାକୁ ନେଇ ରିପୋର୍ଟ ଦିଆଯାଉଛି । ପୁରୀ, ଗଂଜାମ, ଭୁବନେଶ୍ୱର ପରେ ବଡମ୍ବା ନରସିଂପୁରରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଶେଷ ହୋଇଛି । ଗଂଜାମରେ ୩୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ବୃଦ୍ଧି ହୋଇଥିବା ବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ମଧ୍ୟରେ ୧.୪ ପ୍ରତିଶତ ଆଣ୍ଟିବଡି ଥିବା ଜଣାପଡିଛି । ବଡମ୍ବା ନରସିଂପୁର ଅଂଚଳର ସେରୋ ସର୍ଭେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ ବୋଲି ଜଣାପଡିଛି ।  

କୋରୋନା ନେଇ ରାଜ୍ୟ ସରକାର ଜୋରଦାର ଆରମ୍ଭ କରିଛନ୍ତି ଟେଷ୍ଟିଂ । ୫୦ ହଜାର ଟେଷ୍ଟ ପାଇଁ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ଟାର୍ଗେଟ ପୂରଣ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ଶନିବାର ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫ ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ଆଣ୍ଟିଜେନରେ ୪୨ ହଜାର ୪୧୪, RT-PCRରେ ୧୦ ହଜାର ୨୪୦ ଓ ଟ୍ରୁ ନାଟ୍ ଯୋଗେ ୧୪୧ ଜଣଙ୍କ ପରୀକ୍ଷା କରାଯାଇଛି । ଗୋଟାଏ ପଟେ ରାଜ୍ୟରେ କୋରୋନା ଚିହ୍ନଟ ପାଇଁ ପରୀକ୍ଷା ଜୋରଦାର ଚାଲିଥିବା ବେଳେ ଏହାକୁ ବିରୋଧରେ ଲଢେଇରେ ଲୋକଙ୍କ ଭିତରେ ଆଣ୍ଟିବଡି କେତେ ବୃଦ୍ଧି ପାଇଛି ତାହାକୁ ନେଇ ଚେଷ୍ଟା ମଧ୍ୟ କରାଯାଉଛି । ପୁରୀ, ଗଂଜାମ, କଟକ ଓ ଭୁବନେଶ୍ବର ପରେ ଏବେ ବଡମ୍ବା ଓ ନରସିଂପୁରରେ ସରିଛି ସେରୋ ସର୍ଭେ । ରାଜ୍ୟ ସରକାରଙ୍କୁ ବଡମ୍ବା ନରସିଂପୁର ସେରୋ ସର୍ଭେ ରିପୋର୍ଟ ପ୍ରଦାନ କରାଯାଇଛି । ଆସନ୍ତା ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲଟି ସହ ଯୋଗେଯୋଗ କରି ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ ବୋଲି କହିଛନ୍ତି ଆରଏସଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।

ସେରୋ ସର୍ଭେ ଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ସେଭଳି ସୁଫଳ ସିଧାସଳଖ ନ ମିଳିଲେ ମଧ୍ୟ କୋରୋନା ବିରୋଧରେ ଲଢେଇ ଜାରି ରଖିଥିବା ସଂସ୍ଥା ଓ ସରକାରଙ୍କୁ ବେଶ ସହାୟକ ହେବ । ସେରୋ ସର୍ଭେ ହେବା ପରେ କୋରୋନା ବିରୋଧରେ ଲଢେଇରେ ଲୋକଙ୍କ ଭିତରେ କେତେ ଆଣ୍ଟିବଡି ବୃଦ୍ଧି ପାଇଛି ତାହା ସ୍ପଷ୍ଟ ହୋଇପାରିବ । କେବଳ କୋରୋନା ନୁହଁ ଅନ୍ୟାନ୍ୟ ଫ୍ଲୁ ଜନିତ ରୋଗ ବିରୋଧରେ ଲଢେଇରେ ଏହା ସହାୟକ ହେବ ବୋଲି କମ୍ୟୁନିଟି ମେଡିସିନ ସ୍ପେଶାଲିଷ୍ଟ ପ୍ରଫେସର ଡାକ୍ତର ଭେଙ୍କଟେସ୍ ଆଶା ପ୍ରକାଶ କରିଛନ୍ତି । ପ୍ରତ୍ୟେକ ସ୍ଥାନରେ ବୁଲିବୁଲି ପରୀକ୍ଷା କରିବା ଦ୍ୱାରା ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ମଧ୍ୟ ଜଣାପଡିବ । ଆଗକୁ ରାଉରକେଲା ଓ ଗଜପତି ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ କରାଯିବ । ଗତ ୩ ମାସ ପୂର୍ବେ ପୁରୀରୁ ଆରମ୍ଭ ହୋଇଥିବା ସେରୋ ସର୍ଭେ ବର୍ତ୍ତମାନ ଗଂଜାମ, କଟକ ଓ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟ ଟେଷ୍ଟ ସରିସାରିଛି । ଆସନ୍ତା କିଛି ଦିନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରେ ଲୋକଙ୍କ ମଧ୍ୟରେ କେତେ ଆଣ୍ଟିବଡି ଜାଗୃତ ହୋଇଛି ତାହା ସଠିକ କହିହେବ ।