6 Year Of Demonetization:କଳାଟଙ୍କା ଫେରିଲା କି ନାହିଁ?
Advertisement
Article Detail0/zeeodisha/odisha1431570

6 Year Of Demonetization:କଳାଟଙ୍କା ଫେରିଲା କି ନାହିଁ?

ବିମିଦ୍ରୀକରଣକୁ ୬ବର୍ଷ। କିନ୍ତୁ ଏବେ ବି କାହା ପାଖରେ ହିସାବ ନାହିଁ ଯେ, କେତେ କଲା ଟଙ୍କା ଫେରିଛି। ଏହି ପ୍ରଶ୍ନ ଏବେ ବି ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ଯେ, ବିମୁଦ୍ରୀକରଣରେ କ୍ଷତି ହେଲା ନା ଲାଭ। କାରଣ ଏହାର ପରିଣାମ ସମସ୍ତେ ଭୋଗୁଛନ୍ତି। ସରକାରୀ ଦଳ ଏହାକୁ ନେଇ ବାଃ ବାଃ ନେଉଥିବା ବେଳେ ଏବେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ। ପ୍ରସଙ୍ଗ ଆଜି ବି ବିବାଦୀୟ ହିଁ ହୋଇ ରହିଛି। 

6 Year Of Demonetization:କଳାଟଙ୍କା ଫେରିଲା କି ନାହିଁ?

ନୂଆଦିଲ୍ଲୀ: ନଭେମ୍ବର ୮  ଭାରତୀୟ ଅର୍ଥନୀତିକୁ ଲାଗିଥିଲା ବଡ଼ ଝଟକା। ଦେଶରୁ ସବୁଦିନ ପାଇଁ ହଟିଥିଲା ହଜାର ଟଙ୍କିଆ ନୋଟ୍। ଆଉ ୫୦୦ଟଙ୍କିଆ ପୁରୁଣା ନୋଟ୍ ବି ବ୍ୟାନ ହୋଇଥିଲା। ତେବେ କଳାଟଙ୍କା ବିରୋଧରେ ଏହା ଏକ ବଡ଼ ପଦକ୍ଷେପ ଭାବରେ ଭାରତ ସରକାର ଏହାକୁ ଲାଗୁକରିଥିଲେ। ପୂରା ଭାରତରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରି କହିଥିଲେ ଯେ, ଦେଶରେ ଚାଲୁଥିବା ୧୦୦୦ ଓ ୫୦୦ ଟଙ୍କିଆ ନୋଟ ଏବେଠାରୁ ମୂଲ୍ୟହୀନ ହେଲା। ଏହାପରିବର୍ତ୍ତେ ଏବେ ୨୦୦୦ ଟଙ୍କିଆ ନୋଟ୍ ଓ ନୂତନ ୫୦୦ ଟଙ୍କିଆ ହିଁ ଚଳିବ। ତେବେ ଅନେକ ଏହାକୁ ମୋଦି ସରକାରଙ୍କ ଏକ “ବୋଲ୍ଡ” ଷ୍ଟେପ କହିଥିବାବେଳେ ବିରୋଧୀ ବର୍ଷ ବର୍ଷ ଧରି ବିଜେପି ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ତେବେ ଏହି ବିମୁଦ୍ରୀକରଣକୁ ଆଜି ୬ବର୍ଷ ପୂରିଛି।  

ବିମୁଦ୍ରୀକରଣକୁ ୬ବର୍ଷ ପୂରିଛି, କିନ୍ତୁ କଣ ଏହା ନିଜର ଲକ୍ଷ୍ୟ ହାସଲ କରିପାରିଛି? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆଜି ବି ଆନ୍ଦୋଳିତ କରୁଛି। ଆରବିଆଇ ତଥ୍ୟ ଅନୁସାରେ ପ୍ରାୟ ୯୯% ଅର୍ଥ  ଅବୈଧ ହୋଇ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଥିଲା। ୧୫.୪୧ ଲକ୍ଷ କୋଟି ଟଙ୍କାର ନୋଟଗୁଡିକ ଅବୈଧ ହୋଇଥିବା ବେଳେ ୧୫.୩୧ ଲକ୍ଷ କୋଟି ଟଙ୍କାର ନୋଟ ଫେରି ଆସିଥିଲା। କିନ୍ତୁ ନୋଟ୍ ବନ୍ଦୀ ପରେ କେତେ କଳାଟଙ୍କା ଫେରିଛି ତାହାର ଏପର୍ଯ୍ୟନ୍ତ କୌଣସି ଆକଳନ କରାଯାଇନାହିଁ। ତେଣୁ ଏହାର ମୂଲ୍ୟାଙ୍କନ କରିବା ଅସମ୍ଭବ। ତେବେ ଫେବୃଆରୀ ୨୦୧୯ରେ ତତ୍କାଳୀନ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ କହିଥିଲେ ଯେ ୧.୩ ଲକ୍ଷ କୋଟି କଳାଟଙ୍କା ରିକଭର କରାଯାଇଛି। ଯେଉଁଥିରେ ଡିମୋନିଟାଇଜେସନ ବେଳେ ଆସିଥିବା କଳାଟଙ୍କା ମଧ୍ୟ ସାମିଲ ଅଛି। ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ତାଙ୍କ ପୁସ୍ତକ "I do what i do"ରେ ଲେଖିଛନ୍ତି ଯେ, ସେ ଏହି ନୋଟ୍ ବ୍ୟାନ କରାଯିବାର ଧାରଣାକୁ  କେବେ ବି ସମର୍ଥନ କରିନଥିଲେ। କାହିଁକି ନା ସେ ଅନୁଭବ କରିଥିଲେ ଯେ, ସ୍ୱଳ୍ପ ସମୟର ପ୍ରଭାବ ଦୀର୍ଘ ସମୟର ବିକାଶକୁ ପ୍ରଭାବିତ କରିପାରେ। 

ତେବେ ଅର୍ଥନୀତିଜ୍ଞଙ୍କ ଅନୁସାରେ ସରକାର ପ୍ରଥମେ ଆଶା କରିଥିଲେ ଯେ କେବଳ ବିମୁଦ୍ରୀକରଣ କାରଣରୁ ବ୍ୟାଙ୍କିଙ୍ଗ ସିଷ୍ଟମ ବାହାରେ ଅତି କମରେ 3-4 ଲକ୍ଷ କୋଟି କଳା ଟଙ୍କା  ନଷ୍ଟ ହେବ। କିନ୍ତୁ ଡାଟା କହୁଛି କଳାଟଙ୍କା ଖୋଜିବାରେ ବିମୁଦ୍ରୀକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଚଳିତ ବର୍ଷ ଅଗଷ୍ଟରେ ଆୟକର ବିଭାଗ କହିଛି ଯେ ହରିୟାଣା ଏବଂ ଦିଲ୍ଲୀ-ଏନସିଆରରେ ଡାକ୍ତରଖାନା ଚଳାଉଥିବା ଅନେକ ବ୍ୟବସାୟିକ ଗୋଷ୍ଠୀ ଉପରେ ରେଡ୍ କରି ୧୫୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ସେହିଭଳି ତାମିଲନାଡୁରେ ସାଢୀ କମ୍ପାନୀ ଓ ଚିଟ୍ ଫଣ୍ଡ ସହିତ ଜଡିତ ଦୁଇଟି ବ୍ୟବସାୟ ଗୋଷ୍ଠୀ ବିରୋଧରେ ଖୋଜାଖୋଜି ବେଳେ ବିଭାଗ ୨୫୦ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା।  ସମଗ୍ର ଦେଶରେ ଏପରି ଅନେକ ଉଦାହରଣ ଅଛି। 

ତେବେ ଡିମୋନିଟାଇଜେସନର ଯେଉଁ ଲକ୍ଷ ଥିଲା ତାହା ପୂରଣ ହୋଇପାରିନଥିଲା। ଅନ୍ୟାନ୍ୟ ମାଧ୍ୟମରେ ଦେଶରେ ଯେତିକି ବ୍ଲାକ୍ ମନି ରିକଭର ହୋଇଛି ତାହା ବିମୁଦ୍ରୀକରଣରେ ହୋଇପାରିନି। ତେଣୁ ଏତେସବୁ ବିଫଳତା କାରଣରୁ ମୋଦିଙ୍କ ଏହି ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣାକୁ ନେଇ ବହୁ ପିଟିସନ ମଧ୍ୟ ଦାଏର କରାଯାଇଥିଲା। ଯାହାର ଶୁଣାଣି ଚଳିତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ କରିଥିଲେ। ଏବଂ ୨୦୧୬ର ପୂରା ଡିମନିଟାଇଜେସନ ପ୍ରକ୍ରିୟାର ପଦକ୍ଷେପକୁ ଯାଞ୍ଚ କରିବାକୁ ପଡ଼ିବ ବୋଲି କହିଥିଲେ। 

ବିମୁଦ୍ରୀକରଣର ସବୁଠୁ ବଡ଼ ଲକ୍ଷ୍ୟ ଥିଲା ଦେଶରୁ କଳା ଟଙ୍କା ହଟାଇବା, ନକଲି ମୁଦ୍ରାକୁ ରୋକିବା ଏବଂ ନଗଦବିହୀନ ଅର୍ଥନୀତି ସୃଷ୍ଟି କରିବା ଯାହାକି ଏପର୍ଯ୍ୟନ୍ତ ହାସଲ ହୋଇପାରିଲାନି।  କାରଣ ଲୋକମାନେ ବହୁ ପରିମାଣରେ ନଗଦ କାରବାର କରିବାକୁ ପସନ୍ଦ କରନ୍ତି, ଯଦିଓ ଏବେ ଡିଜିଟାଲ୍ କାରବାର ବୃଦ୍ଧି ଘଟିଛି, କିନ୍ତୁ ଏହା ବି ପରବର୍ତ୍ତୀ ସମୟରେ COVID-19 ମହାମାରୀ ପାଇଁ ଏକପ୍ରକାର ବନ୍ଦ ହୋଇଥିଲା। ତେବେ ସେ ଯାହା ବି ହେଉ ଭାରତୀୟ ଅର୍ଥନୀତିରେ ନୋଟ ବନ୍ଦୀ ଏକ ସୁଦକ୍ଷ ପଦକ୍ଷେପ କି ନା ତାହା ଏବେ ବି ବିବାଦୀୟ। ଆଉ ଏହାକୁ ନେଇ ଆଜି ବି ଅନେକ ଆଲୋଚନା ସମାଲୋଚନା ଜାରି ରହିଛି।