ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତରେ କୋରୋନା ରୋଗୀଙ୍କ ଗ୍ରାଫ୍ କ୍ରମାଗତ ଭାବେ ହ୍ରାସ ପାଉଛି । ସେପ୍ଟେମ୍ବର ଠାରୁ ଦେଶରେ ନୂତନ ମାମଲା ହ୍ରାସ ହେବା ସହିତ ପଜିଟିଭ ହାର ମଧ୍ୟ ହ୍ରାସ ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ମହାମାରୀକୁ ମାତ୍ ଦେଇ ୯୨ ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ଭାରତରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର ୯୪.୫୯ ପ୍ରତିଶତରେ ପହଞ୍ଚିଛି । କୋଭିଡ-19ରୁ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି । ଭାରତରେ କୋରୋନା ସକ୍ରିୟ ମାମଲା ବର୍ତ୍ତମାନ ୪ ଲକ୍ଷରୁ କମ୍ ରହିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗୁରୁବାର ଭାରତରେ ୩୨,୦୮୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୪୦୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୬,୬୩୫ କୋରୋନା ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।
ଏହା ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ କୋରୋନା ତଥ୍ୟ...
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ରୋଗୀଙ୍କ ସଂଖ୍ୟା ହେଉଛି ୯୭,୩୫,୮୫୦
ଭାରତରେ କୋରୋନାରୁ ମୃତ୍ୟୁ ସଂଖ୍ୟା ୧,୪୧,୩୬୦
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୯୨,୧୫,୫୮୧
ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ମାମଲା ୩,୭୮,୯୦୯
ସେପଟେ ଦିଲ୍ଲୀରେ ଗତ ତିନି ଦିନ ଧରି କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର ୯୪ ପ୍ରତିଶତରୁ ଅଧିକ ରେକର୍ଡ କରାଯାଇଛି । ଦିଲ୍ଲୀରେ ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ୫୭ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହାକି ନଭେମ୍ବର ୫ ପରେ ରେକର୍ଡ ହୋଇଥିବା ସର୍ବନିମ୍ନ ସଂଖ୍ୟା । ଏଥି ସହିତ ସଂକ୍ରମଣ ହାର ୪.୨୩ ପ୍ରତିଶତ ଥିଲା । କୋରୋନା ସଂକ୍ରମଣର ୩,୧୮୮ ନୂଆ ମାମଲା ରିପୋର୍ଟ ହୋଇଥିଲା । ଦିଲ୍ଲୀରେ ସଂକ୍ରମଣ ହାର ଗୁରୁବାର ୪.୯୬ ପ୍ରତିଶତ ଥିବାବେଳେ ଶୁକ୍ରବାର ୪.୭୮ ପ୍ରତିଶତ ଥିଲା । ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସକ୍ରିୟ ମାମଲା ସଂଖ୍ୟା ୨୨,୩୧୦କୁ ହ୍ରାସ ପାଇଛି ।