Odisha Politics: ବିଜେଡି ହରାଇବ କି ଜଗତସିଂହପୁର ଦୁର୍ଗ!
Advertisement
Article Detail0/zeeodisha/odisha2257160

Odisha Politics: ବିଜେଡି ହରାଇବ କି ଜଗତସିଂହପୁର ଦୁର୍ଗ!

ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବାକୁ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଅତି ଦ୍ରୁତ ଗତିରେ ବଦଳୁଥିବା ରାଜନୀତି ଅଙ୍କ ଦୀର୍ଘଦିନର ବିଜେଡି ଗଡ଼କୁ ଆଘାତ ଦେବ କି? ଏମିତି ପ୍ରଶ୍ନରେ ଏବେ ତିନି ଜିଲ୍ଲାର ସୀମାନ୍ତ ଭୋଟରଙ୍କ ଭିତରେ ଚର୍ଚ୍ଚା।

Odisha Politics: ବିଜେଡି ହରାଇବ କି ଜଗତସିଂହପୁର ଦୁର୍ଗ!

Odisha Politics:  ଜଗତସିଂହପୁରରେ କ’ଣ ହେବ? ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବାକୁ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଅତି ଦ୍ରୁତ ଗତିରେ ବଦଳୁଥିବା ରାଜନୀତି ଅଙ୍କ ଦୀର୍ଘଦିନର ବିଜେଡି ଗଡ଼କୁ ଆଘାତ ଦେବ କି? ଏମିତି ପ୍ରଶ୍ନରେ ଏବେ ତିନି ଜିଲ୍ଲାର ସୀମାନ୍ତ ଭୋଟରଙ୍କ ଭିତରେ ଚର୍ଚ୍ଚା। ୧୯୭୭ ମସିହାରେ ପ୍ରଦ୍ୟୁମ୍ନ ବଳ ଏଠାରୁ ଜନତା ପାର୍ଟି ଟିକଟରେ ବିଜୟୀ ହୋଇଥିଲେ। କିନ୍ତୁ ଯେତେବଳେ ତିନି ବର୍ଷ ପରେ ପୁଣିଥରେ ନିର୍ବାଚନ ହେଲା ସେତେବଳେ ସଚେତନ ଭୋଟର ତାଙ୍କୁ ବଦଳାଇ ଲଗାତାର ଦୁଇଥର କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇଲେ। ଏହାପରେ ପୁଣି ଦୁଇବର୍ଷ କମ୍ୟୁନିଷ୍ଟ ନେତା ଲୋକନାଥ ଚୌଧୁରୀଙ୍କୁ ସାଂସଦ ଭାବେ ଦିଲ୍ଲୀ ପଠାଇଥିଲେ। ଯେଉଁ ଝୁଲା ସରକାରର ସମୟ ଚାଲିଥିଲା ଅର୍ଥାତ୍‍ ୧୯୯୬ ଏବଂ ୧୯୯୮ ଲୋକସଭା ନିର୍ବାଚନରେ ଏଠାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପୁଅ ରଞ୍ଜିବ ବିଶ୍ୱାଳଙ୍କୁ ଲୋକେ ଲୋକସଭା ପଠାଇଥିଲେ। ହେଲେ ୨୦୦୪ ମସିହାରୁ ବିଜେଡି ଏଠାରୁ କ୍ରମାଗତ ଜିତି ଆସୁଛି। ୨୦୦୯ ମସିହାରେ ବିଜେଡି ସମର୍ଥିତ କମ୍ୟୁନିଷ୍ଟ ଦଳ ପ୍ରାର୍ଥୀ ବିଭୁ ତରାଇ ନିର୍ବାଚନ ଜିତିଥିଲେ। କିନ୍ତୁ ୨୦୦୪, ୨୦୧୪, ୨୦୧୯ରେ ପ୍ରାର୍ଥୀ ବଦଳାଇ ବିଜେଡି ଗଡ଼ ରକ୍ଷା କରି ଆସିଛି। 

ଏଥର ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ପୁଣିଥରେ ସୁଯୋଗ ଦେଇଛି। ସେପଟେ ବିଜେଡିର ବଡ଼ ବଡ଼ ନେତାସବୁ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଲେଣି। ଏଣୁ ଆଶଙ୍କା ଉଠିବା ସ୍ୱଭାବିକ। ଏଥର ଫଳାଫଳ କଣ ହେବ?  ଜଗତସିଂହପୁର ଲୋକସଭା ଜଗତସିଂହପୁର, ତିର୍ତ୍ତୋଲ, ପାରାଦୀପ, ବାଲିକୁଦା-ଏରସମା, କଟକ ଜିଲ୍ଲାର ନିଆଳୀ, ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବିଧାନସଭାକୁ ନେଇଗଠିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୀ ଗସ୍ତର ଦିନକ ପୂର୍ବରୁ ଜଗତସିଂହପୁର ଲୋକସଭା ଅନ୍ତର୍ଗତ ପୁରୀ ଜିଲ୍ଲାର ନିମାପଡ଼ା ବିଧାୟକ ସମୀର ଦାଶ ଓ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଏହି ଦୁଇ ନେତା ଯୋଗଦେବା ପରେ ଜଗତସିଂହପୁର ଲୋକସଭାର ନିର୍ବାଚନୀ ଗଣିତ ଓଲଟ ପାଲଟ ହୋଇଯାଇଛି।

ନିମାପଡ଼ାର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ଓ କାକଟପୁର ପ୍ରାର୍ଥୀ ବିଧାୟକ ତୁଷାରକାନ୍ତି ବେହେରା ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀମାନଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି । ସମୀର ଦାଶ ଓ ସୁରେନ୍ଦ୍ର ସେଠୀ ଦଳ ଛାଡ଼ି ବିଜେପିରେ ଯୋଗ ଦେବାପରେ ବିଜେଡି ଦୁର୍ବଳ ହୋଇପଡ଼ିଛି । ଯାହାଫଳରେ ଏହି ଅଞ୍ଚଳରୁ ବିଜେଡି ଲୋକସଭା ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକ ଜନସମର୍ଥନ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ଦୁଇ ନିର୍ବାଚନମଣ୍ଡଳୀରେ ଏବେ ଭୋଟ ଭାଜପା ସପକ୍ଷରେ ଏକତରଫା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

କେବଳ ନିମାପଡ଼ା ଓ କାକଟପୁର ନୁହେଁ କଟକ ଜିଲ୍ଲାର ନିଆଳୀ ନିର୍ବାଚନ ମଣ୍ଡଳୀର ବିଧାୟକ ଡା. ପ୍ରମୋଦ ମଲ୍ଲିକ ମଧ୍ୟ ଲୋକପ୍ରିୟତା ହରାଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ତାଙ୍କୁ ବିଜେଡିର ସ୍ଥାନୀୟ ନେତାମାନେ ବିରୋଧ କରୁଥିବାରୁ ସେ ଅଞ୍ଚଳରେ ପ୍ରଚାର ମଧ୍ୟ କରିପାରୁ ନାହାନ୍ତି । ପ୍ରଚାର ସମୟରେ କର୍ମୀ କିମ୍ବା ଲୋକ ମିଳୁନଥିବାରୁ ବିଧାୟକ ପ୍ରାର୍ଥୀ ଡା. ମଲ୍ଲିକ ନିଜେ ନିଜର ଜିନ୍ଦାବାଦ ସ୍ଲୋଗାନ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଥିବାର ଦେଖିବାକୁ ମିଳୁଛି । ତେଣୁ ନିଆଳୀରୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଅଧିକ ଭୋଟ ପାଇବାର ସମ୍ଭାବନା ନାହିଁ ।

ଜଗତସିଂହପୁର ବିଧାନସଭା ଆସନର ବିଧାନସଭାର ଦଳର ପୁରୁଣା ନେତା ଅମରେନ୍ଦ୍ର ଦାଶଙ୍କୁ ବିଜେଡି ଅଣଦେଖା କରି ବାଲିକୁଦା ଅଞ୍ଚଳର ନେତା ପ୍ରଶାନ୍ତ ମୁଦୁଲିଙ୍କୁ ବାରମ୍ବାର ପ୍ରାର୍ଥୀ କରିବା ପରେ ସେ ଦଳଛାଡ଼ି ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ୁଛନ୍ତି । ଜଗତସିଂହପୁର ଅଞ୍ଚଳରେ ଅମରେନ୍ଦ୍ରଙ୍କର ସଂଗଠନ ଥିବାବେଳେ ପ୍ରଶାନ୍ତ ବାହାରର ନେତା ହୋଇଥିବାରୁ ତାଙ୍କୁ ବିରୋଧ କରାଯାଉଛି । ତେଣୁ ଜଗତସିଂହପୁରରୁ ବିଜଦ ପରିବର୍ତ୍ତେ ଭାଜପା ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଲିଡ୍ କରିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଜଗତସିଂହପୁରର ପାରାଦୀପ ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟଙ୍କୁ ଦଳୀୟ ସମର୍ଥନ ମିଳୁନାହିଁ । ଦଳ ଆଶା କରୁଥିଲା ଯେ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ତଥା ଦଳର ପୂର୍ବତନ ନେତା ଦାମୋଦର ରାଉତଙ୍କ ବୋହୂ ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରି ସଂଗଠନରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଯେଉଁ ପ୍ରୟାସ କରିଛି ତାହା ସଫଳ ହେଉନଥିବା ଦେଖିବାକୁ ମିଳୁଛି । ପାରାଦୀପର ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ପ୍ରତି ଜନସମର୍ଥନ ବଢ଼ିବାରେ ଲାଗିଛି । ଏଥିବାରୁ ଭାଜପା ସାଂସଦ ପ୍ରାର୍ଥୀ ଶ୍ରୀ ତରାଇ ଲାଭବାନ ହେବାର ସମ୍ଭାବନା ବଢ଼ିବାରେ ଲାଗିଛି । 

ବାଲିକୁଦା-ଏରସମା ବିଧାନସଭା ଆସନରେ ବିଧାୟକ ରଘୁନନ୍ଦନ ଦାଶଙ୍କ ଟିକଟ କାଟି ଶାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ କରିଥିଛି । ଫଳରେ ରଘୁନନ୍ଦନଙ୍କ  ସମର୍ଥକମାନେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରୁନାହାନ୍ତି । ଫଳରେ ଲୋକସଭା ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକଙ୍କ ଚିନ୍ତା ବଢ଼ିଯାଇଛି ।

ଆଉ ଏଗାର ଦିନ ପରେ ଜଗତସିଂହପୁର ଲୋକସଭା ପାଇଁ ଭୋଟ ଗ୍ରହଣ ହେବ । ଦୁଇ ଦିନ ମଧ୍ୟରେ ଯେପରି ରାଜନୈତିକ ସମୀକରଣ ଦ୍ରୁତ ପରବର୍ତ୍ତନ ହୋଇଛି ଆଗାମୀ ଦିନରେ ଏହି ପରିବର୍ତ୍ତନର ହାୱା ସମଗ୍ର ନିର୍ବାଚନ ମଣ୍ଡଳୀରେ  ସୁନାମୀରେ ପରିଣତ ହେବ ବୋଲି କୁହାଯାଉଛି । ଯେଉଁ ଅଞ୍ଚଳରେ ବିଜେପି ଖାତା ଖୋଲିପାରୁନଥିଲା ଚଳିତ ନିର୍ବାଚନରେ ସଫଳତା ପାଇବ ବୋଲି ସାଧାରଣରେ ଆଲୋଚନା ହେଉଛି ।