ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବାରୁ ବିଜେପିକୁ ହେବ ଏସବୁ ଲାଭ, ବିରୋଧୀଙ୍କ ବଢ଼ିବ ସମସ୍ୟା!
Advertisement

ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବାରୁ ବିଜେପିକୁ ହେବ ଏସବୁ ଲାଭ, ବିରୋଧୀଙ୍କ ବଢ଼ିବ ସମସ୍ୟା!

Presidential Election 2022: ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ସହ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ଜନତା ପାର୍ଟି (BJP) ଆଦିବାସୀ ମହିଳା ନେତାଙ୍କ ନାମ ଆଗକୁ କରି ବଡ଼ ରାଜନୈତିକ ଗୋଟି ଚଳାଇଛି । ମୁର୍ମୁଙ୍କୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି କରି ବିଜେପି ଦେଶର ପ୍ରାୟ ୯ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟକୁ ସିଧାସଳଖ ବାର୍ତ୍ତା ଦେବାକୁ ଚାହୁଁଛି ।

ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବାରୁ ବିଜେପିକୁ ହେବ ଏସବୁ ଲାଭ, ବିରୋଧୀଙ୍କ ବଢ଼ିବ ସମସ୍ୟା!

ନୂଆଦିଲ୍ଲୀ: Presidential Election 2022: ଦ୍ରୌପଦୀ ମୁର୍ମୁ (Draupadi Murmu) ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସାମାଜିକ ସମୀକରଣ ଉପରେ ବ୍ୟାପକ ପ୍ରଭାବ ପଡ଼ିବ । ଏହାସହ ଏଥିରୁ ବିଜେପି (BJP) କୁ ମଧ୍ୟ ରାଜନୈକ ଲାଭ ମିଳିବ । ବିଜେପି ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦରେ ପହଞ୍ଚାଇ ସବୁଠାରୁ ପଛୁଆ ବର୍ଗରେ ଆସୁଥିବା ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡ଼କୁ କରିନେଇଛି ବୋଲି ଅନୁମାନ କରିଯାଉଛି । ଏହା ସହିତ ଦେଶର ଅଧା ଜନସଂଖ୍ୟା ଅର୍ଥାତ୍ ମହିଳାମାନଙ୍କୁ ମଧ୍ୟ ଏକ ବଡ଼ ବାର୍ତ୍ତା ଦିଆଯାଇଛି । ବାର୍ତ୍ତା ସ୍ପଷ୍ଟ ଯେ ମହିଳା ସଶକ୍ତିକରଣ କେବଳ ଦଳର ପ୍ରତିଶୃତି ନୁହେଁ, ଏହା ମଧ୍ୟ ଏକ ଦୃଢ଼ ଉଦ୍ଦେଶ୍ୟ । ତେବେ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ସହ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ଜନତା ପାର୍ଟି (BJP) ଆଦିବାସୀ ମହିଳା ନେତାଙ୍କ ନାମ ଆଗକୁ କରି ବଡ଼ ରାଜନୈତିକ ଗୋଟି ଚଳାଇଛି । ମୁର୍ମୁଙ୍କୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି କରି ବିଜେପି ଦେଶର ପ୍ରାୟ ୯ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟକୁ ସିଧାସଳଖ ବାର୍ତ୍ତା ଦେବାକୁ ଚାହୁଁଛି ।

ସାରା ଦେଶରେ ଅନୁସୂଚିତ ଜନଜାତି ବା ଆଦିବାସୀମାନଙ୍କ ପାଇଁ ଲୋକସଭାରେ ୪୭ଟି ଆସନ ଓ ବିଭିନ୍ନ ରାଜ୍ୟର ବିଧାନସଭାରେ ୪୮୭ଟି ଆସନ ସଂରକ୍ଷିତ କରାଯାଇଛି । ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିବାର ଲାଭ ଭାରତୀୟ ଜନତା ପାର୍ଟିକୁ ୨୦୨୪ ଲୋକସଭା ନିର୍ବାଚନରେ ମିଳିପାରେ । ଏହା ବ୍ୟତୀତ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ​​ମଧ୍ୟ ଭାରତୀୟ ଜନତା ପାର୍ଟି ଆଦିବାସୀ ସମ୍ପ୍ରଦାୟର ସମର୍ଥନ ପାଇପାରେ ।

ବିରୋଧୀଙ୍କ ସମସ୍ୟା ବଢ଼ିବ

ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ପୂର୍ବରୁ ବିରୋଧୀଙ୍କ ସମସ୍ୟା ବଢ଼ାଇ ଦେଇଥିଲା । ଏହି କାରଣରୁ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପରେ ସେ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା, ଶିବସେନା ଏବଂ ଶିରୋମନି ଅକାଳୀ ଦଳ ପରି ବିରୋଧୀ ଦଳର ସମର୍ଥନ ମଧ୍ୟ ପାଇଥିଲେ । ଏହା ପରେ ଭୋଟ୍ ସମୟରେ ଅନେକ ରାଜ୍ୟରେ ମୁର୍ମୁଙ୍କ ସପକ୍ଷରେ କ୍ରସ୍ ଭୋଟିଂ ମଧ୍ୟ ହୋଇଛି । ଏହାପୂର୍ବରୁ ଗତଥର ରାମ ନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିବାକୁ ନିଷ୍ପତ୍ତି ନେଇ ବିଜେପି ଦଳିତ ସମ୍ପ୍ରଦାୟକୁ ଏକ ବାର୍ତ୍ତା ଦେଇଥିଲା । ଯାହାର ଲାଭ ବିଜେପିକୁ ନିର୍ବାଚନରେ ମଧ୍ୟ ମିଳିଛି ଓ ​ଦଳିତ ସମ୍ପ୍ରଦାୟରେ ଦଳର ସ୍ଥିତି ମଜବୁତ କରିବାରେ ବିଜେପି ସଫଳ ହୋଇପାରିଛି ।

ଦେଶର ନିର୍ବାଚନୀ ରାଜନୀତିରେ ଜାତି ଓ ସାମାଜିକ ସମୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଭଳି ପରିସ୍ଥିତିରେ କୌଣସି ବଡ଼ ପଦରେ ନିଯୁକ୍ତି ଏହି ସମସ୍ତ ସମୀକରଣକୁ ନିଜ ସପକ୍ଷରେ କରିବା ପାଇଁ ଦଳଗୁଡ଼ିକ ପାଇଁ ଆବଶ୍ୟକ ହୋଇଥାଏ । ବିଜେପି ନିଜ ରାଜନୈତିକ ଏଜେଣ୍ଡାରେ ଏହି ସମୀକରଣଗୁଡ଼ିକୁ ନେଇ ଆଗକୁ ଲଗାତର ବଢ଼ିବାରେ ଲାଗିଛି ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା କେତେ ପ୍ରତିଶତ ଭୋଟ, ବିରୋଧୀ ଦଳର କେତେ ସାଂସଦ ଓ ବିଧାୟକ ତାଙ୍କ ସମର୍ଥନରେ କରିଛନ୍ତି ମତଦାନ

ଏହା ବି ପଢ଼ନ୍ତୁ:-ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ

ଏହା ବି ପଢ଼ନ୍ତୁ:-କମଲ ନାଥଙ୍କ ଖୁସିର କାରଣ ପାଲଟିଲା ଶିବରାଜଙ୍କ ନିଷ୍ପତ୍ତି, ବିଜେପିକୁ ହିଁ ପଡ଼ିଲା ଭାରି

 

ଦ୍ରୌପଦୀ ମୁର୍ମୁ କିଏ?

ମୟୂରଭଞ୍ଜ ଜିଲ୍ଲାର ଗର୍ବ ଦ୍ରୋପଦୀ ମୁର୍ମୁ ରାଇରଙ୍ଗପୁରରେ ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ପାଠ ପଢା ପରେ ରାଜନୀତିରେ ପାଦ ଦେଇଥିଲେ । ପରେ ପରେ ରାଇରଙ୍ଗପୁର ବିଧାୟକ ଭାବେ ୨୦୦୦ ମସିହାଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ଏଥି ସହିତ ୨୦୧୫ ଠାରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟରେ ମହାମହିମ ରାଜ୍ୟପାଳ ଭାବରେ କାର୍ଯ୍ୟ ଭାର ସମ୍ଭାଳି ଥିଲେ ।

ଦ୍ରୌପଦୀ ମୁର୍ମୁ ୧୯୭୯ରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ ଓ ପରେ ଓଡ଼ିଶା ସରକାରଙ୍କ ଜଳସେଚନ ଏବଂ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜଣେ ଶିକ୍ଷକ ଭାବରେ ନିଜର ପରିଚୟ ମଧ୍ୟ ବନାଇଥିଲେ । ଏହି ସମୟରେ ସେ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦୋ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସମ୍ମାନିତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ଦ୍ରୌପଦୀ ମୁର୍ମୁ ଭାରତ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ମେଣ୍ଟ ସରକାରରେ ୨୦୦୦–୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରଭାର ଓ ୬ ଅଗଷ୍ଟ ୨୦୦୨ରୁ ମେ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ସେ କାଉନସିଲର ଭାବରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ରାଇରଙ୍ଗପୁର ଜାତୀୟ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୩ରେ ସେ ଦଳର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରେ ପହଞ୍ଚିଥିଲେ ।

ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ଗୌରବ ହାସଲ କରିବା ସହ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିଛନ୍ତି ।