ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ, ସାଧାରଣ ଲୋକ କରିବେ ଅଭିଯୋଗ
Advertisement
Article Detail0/zeeodisha/odisha1873573

ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ, ସାଧାରଣ ଲୋକ କରିବେ ଅଭିଯୋଗ

ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଆପଣଙ୍କୁ କଷ୍ଟ ଦେଉଛନ୍ତି କି ?

ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ, ସାଧାରଣ ଲୋକ କରିବେ ଅଭିଯୋଗ

କଟକ: ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଆପଣଙ୍କୁ କଷ୍ଟ ଦେଉଛନ୍ତି କି ? ଓଡ଼ିଶାର ନାଗରିକମାନେ ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବାରେ ପରିବହନ ବିଭାଗକୁ ଏଣିକି ସାହାଯ୍ୟ କରିପାରିବେ | ସଡକ ସୁରକ୍ଷାରେ ସଚେତନ ନାଗରିକ ଭାଗିଦାର ହେବ ନିତାନ୍ତ ଆବଶ୍ୟକ | ନାଗରିକମାନେ ଏମ-ପରିବହନ ଆପରେ ଥିବା ସିଟିଜେନ ସେଣ୍ଟିନେଲ୍ସ (Citizen Sentinel) ବିକଳ୍ପକୁ ଯାଇ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ରିପୋର୍ଟ କରିପାରିବେ । ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ଦ୍ୱାରା ବିକଶିତ ସେଣ୍ଟିନେଲ ଆପ୍ଲିକେସନ ଜରିଆରେ ସଡକ ସୁରକ୍ଷାକୁ କାର୍ଯ୍ୟକାରୀ କରିବାରେ ସଡକ ସୁରକ୍ଷା ବିଭାଗ ନାଗରିକମାନଙ୍କର ସକ୍ରିୟ ଅଂଶଗ୍ରହଣ ଚାହୁଁଛି ।

ସଚେତନ ନାଗରିକମାନେ ଓଡିଶାର ସଡକକୁ ଅଧିକ ନିରାପଦ କରିବାରେ ସହଯୋଗ କରିପାରିବେ ଏବଂ ଏନଫୋର୍ସମେଣ୍ଟ ଟିମ (Enforcement Team)ର ସହାୟତା କରିପାରିବେ | ସିଟିଜେନ୍ ସେଣ୍ଟିନେଲ୍ ବିକଳ୍ପରେ ଲାଇଭ୍ ଭିଡିଓ ଏବଂ ଫୋଟୋ ଅପଲୋଡ୍ କରି ‘ବିନା ହେଲମେଟ୍ ଉଲ୍ଲଂଘନ’ରେ ପଞ୍ଜିକୃତ କରିପାରିବେ | ଜଣେ ନିଜ ସ୍ମାର୍ଟ ଫୋନରେ ବିନା ହେଲମେଟ ଡ୍ରାଇଭିଂ ଉଲ୍ଲଂଘନର ଫୋଟୋ ଓ ଭିଡିଓ ଉଭୟ ନେଇ ଅପଲୋଡ୍ କରିବା ଆବଶ୍ୟକ । ମିଳିଥିବା ସୂଚନା ଆଧାରରେ ଯାଞ୍ଚ ପରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଇ-ଚାଲାଣ ଜାରି କରାଯିବ।

ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ, ସଡକ ଦୁର୍ଘଟଣାରେ ୩୪% ମୃତ୍ୟୁ ଦୁଇ ଚକିଆ ଯାନ ସହିତ ଜଡିତ ଥିଲା ଯାହାକି ଓଡିଶାରେ ଏକ ସାଧାରଣ ପରିବହନର ଆଧାର ଅଟେ । ବିନା ହେଲମେଟରେ ଗାଡି ଚଳାଇବା କାରଣରୁ ସମୁଦାୟ ୧୬୯୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୬୧୫  ଜଣ ଆହତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ଲାଲମୋହନ ସେଠୀ (ଅତିରିକ୍ତ କମିଶନର ପରିବହନ, ସଡକ ସୁରକ୍ଷା ଏବଂ ଏନଫୋର୍ସମେଣ୍ଟ) କହିଛନ୍ତି, “ସଡକ ସୁରକ୍ଷା ଏକ ସହଭାଗୀର ଦାୟିତ୍ଵ । ଏହି ଦାୟିତ୍ଵ ନିମନ୍ତେ, ଯେଉଁମାନେ ବିନା ହେଲମେଟରେ ଗାଡି ଚଳାଉଛନ୍ତି ସେମାନଙ୍କ ଉପରେ ନଜର ରଖିବା ପାଇଁ ଆମେ ନାଗରିକଙ୍କ ସାହାଯ୍ୟ ଲୋଡିଛୁ । ଭବିଷ୍ୟତରେ ଅନ୍ୟାନ୍ୟ ଟ୍ରାଫିକ୍ ଉଲ୍ଲଂଘନ ମଧ୍ୟ ସିଟିଜେନ୍ ସେଣ୍ଟିନେଲ୍ ବିକଳ୍ପରେ ଯୋଡାଯିବ । ନିରନ୍ତର ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ହେତୁ ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ଗ୍ରାମାଞ୍ଚଳ ଏବଂ ରାଜପଥରେ ହେଲମେଟ ପିନ୍ଧିବା ଠାରୁ ଦୂରେଇ ରୁହନ୍ତି ଯେଉଁଠାରେ ସୁରକ୍ଷାର ଅଧିକ ଆବଶ୍ୟକ । ” ସେ ଆହୁରି କହିଛନ୍ତି, “ପିଲିଅନ୍ ଆରୋହୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ଅଥଚ ଦୁର୍ଘଟଣାର ଆଶଙ୍କା ସତ୍ତ୍ୱେ  ବହୁତ କମ୍ ଲୋକ ହେଲମେଟ ପିନ୍ଧୁଛନ୍ତି । ଯଦି ଆରୋହୀମାନେ ହେଲମେଟ ପିନ୍ଧି ନିଜର ସୁରକ୍ଷାର ଯତ୍ନ ନିଅନ୍ତି, ତେବେ ସେମାନେ ପିଲିଅନ୍ ଆରୋହୀଙ୍କୁ ମଧ୍ୟ ହେଲମେଟ ପିନ୍ଧିବାକୁ ଅନୁରୋଧ କରିବା ଉଚିତ । ”

ଶ୍ରୀ ସେଠୀ ଆହୁରି ସୂଚନା ଦେଇଛନ୍ତି, “ନାଗରିକମାନେ ହେଲମେଟ ବିନା ଗାଡି ଚଳାଉଥିବା, ଉଭୟ ଆରୋହୀଙ୍କ ଫଟୋ ଏବଂ ଭିଡିଓ ସିଟିଜେନ ସେଣ୍ଟିନେଲ୍ସ (Citizen Sentinel) ମାଧ୍ୟମରେ ଅପଲୋଡ୍ କରିପାରିବେ । ଫଟୋଗ୍ରାଫ୍ ଓ ଭିଡିଓଗୁଡିକ କ୍ଲିକ୍ କରିବାବେଳେ ଦୟାକରି ନିଶ୍ଚିତ କରନ୍ତୁ ଯେ ଫଟୋଗ୍ରାଫ୍ ଏବଂ ଭିଡିଓରେ ଉଲ୍ଲଂଘନ ସହିତ ଯାନ ନମ୍ବର ସ୍ପଷ୍ଟ ଭାବରେ କଏଦ ହୋଇଛି । ସ୍ଥାନ, ତାରିଖ ଏବଂ ଉଲ୍ଲଂଘନ ସମୟ ସ୍ୱୟଂଚାଳିତ ଭାବରେ ଅପଲୋଡ୍ ହୋଇଥିବା ଲାଇଭ୍ ଇମେଜ୍ ଏବଂ ଭିଡିଓରୁ କଏଦ ହେବ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରିପୋର୍ଟ କରୁଥିବା କୌଣସି ବ୍ୟକ୍ତିର ପରିଚୟ ପ୍ରକାଶ କରାଯିବ ନାହିଁ। ”

Also Read- ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ବାତିଲ ରହିବ ଏହିସବୁ ଟ୍ରେନ୍‍

Also Read- ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୦ ବିଭାଗର ୧୯ ପ୍ରସ୍ତାବକୁ ମଞ୍ଜୁରୀ, ପ୍ରମୁଖ ଆକର୍ଷଣ ‘ଲକ୍ଷ୍ମୀ’