Top 10 News Headlines: ଭୋଟ ଦେଉଛି ଓଡ଼ିଶା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2245591

Top 10 News Headlines: ଭୋଟ ଦେଉଛି ଓଡ଼ିଶା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ଭୋଟ ଦେଉଛି ଓଡ଼ିଶା, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1.First Phase Voting Begins in Odisha : ଭୋଟ ଦେଉଛି ଓଡ଼ିଶା
ଚଳିତ ନିର୍ବାଚନ ଋତୁରେ ପ୍ରଥମ ଥର ଲାଗି ଓଡ଼ିଶା ଆଜି ଭୋଟ୍‍ ଦେଉଛି। ଏଥିଲାଗି ରାଜ୍ୟର ୪ଟି ଲୋକସଭା ଆସନ ଚିହ୍ନିତ ହୋଇଛି।  ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଏହାଛଡ଼ା ରାଜ୍ୟରେ ବିଧାନସଭା ଗଠନ ଲାଗି ମଧ୍ୟ  ସମାନ ସମୟରେ ଭୋଟ୍‍ ଗ୍ରହଣ କରାଯାଉଛି। ସମୁଦାୟ  ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୬୨ଲକ୍ଷ ୮୭ ହଜାର ଭୋଟର। ନିରପେକ୍ଷ ଭୋଟିଂ ତଥା ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୫୩ ହଜାର ପୁଲିଂ କର୍ମଚାରୀ ଓ  ୧୦୦ରୁ ଅଧିକ ସଶସ୍ତ୍ର ପୁଲିସବଳ ନିୟୋଜିତ କରାଯାଇଛି। 

H2. PM Wishes Voters to make the Voice stronger through Voting: ଶୁଭେଚ୍ଛା ଜଣାଇଲେ ମୋଦୀ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ତା ତାଙ୍କ ଏକ୍ସ ହ୍ୟାଣ୍ଡଲରେ ‘ଆଜି ଓଡ଼ିଶାରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ମୁଁ ରାଜ୍ୟବାସୀଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରୁଛି । ଆପଣଙ୍କ ଭୋଟ୍ ଆପଣଙ୍କ ସ୍ଵର- ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବେ ଉତ୍ତୋଳନ କରନ୍ତୁ’ ବୋଲି କହିଛନ୍ତି। 

 

H3. India Votes in 96 PCs: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ
ଏହା ଦେଶର ଚତୁର୍ଥ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ। ୯୬ଟି ଲୋକସଭା ଆସନ ଲାଗି ଦେଶରେ ଭୋଟ୍‍ ଗ୍ରହଣ କରାଯାଉଛି। ୧୦ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଭୋଟ୍‍ ଗ୍ରହଣ କରାଯାଉଛି। ସମୁଦାୟ ୧୭୧୭ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଏହି ୯୬ ଆସନ ଭିତରୁ ଆନ୍ଧ୍ର ପ୍ରଦେଶରେ ୨୫ଟି, ତେଲେଙ୍ଗାନାରେ ୧୭, ବିହାରରେ ୫, ଓଡ଼ିଶାରେ ୪,  ଝାଡ଼ଖଣ୍ଡରେ ୪, ଜମ୍ମୁ କଶ୍ମୀରରେ ୧, ମହାରାଷ୍ଟ୍ରରେ ୧୧, ଉତ୍ତର ପ୍ରଦେଶରେ ୧୩, ମଧ୍ୟପ୍ରଦେଶରେ ୮, ପଶ୍ଚିମବଙ୍ଗରେ ୮ ଆସନ ଅନ୍ତର୍ଭୁକ୍ତ। ଓଡ଼ିଶାର ୨୮ ବିଧାନସଭା ମଣ୍ଡଳୀ ଓ ଆନ୍ଧ୍ର ପ୍ରଦେଶର ସମସ୍ତ ୧୭୫ ବିଧାନସଭା ମଣ୍ଡଳୀ ଲାଗି ଆଜି ଭୋଟଗ୍ରହଣ କରାଯାଉଛି। 

H4. 28 Assembly constituency started Voting: ୪ଟି ଲୋକସଭା ଆସନରେ ହେଉଛି ଭୋଟ
ରାଜ୍ୟର ଯେଉଁ ୨୮ ବିଧାନସଭା ମଣ୍ଡଳୀ ଲାଗି ଭୋଟ ଗ୍ରହଣ କରାଯାଉଛି ସେଗୁଡ଼ିକ ହେଲା: କୋରାପୁଟ, ପଟ୍ଟାଙ୍ଗୀ, ଜୟପୁର, ଲକ୍ଷ୍ମୀପୁର, ରାୟଗଡ଼, ବିଷମ କଟକ, ଡାବୁଗାଁ, ଗୁଣୁପୁର, ନବରଙ୍ଗପୁର, ଉମରକୋଟ, ଝରିଗାଁ, ମାଲକାନଗିରି, ଚିତ୍ରକୋଣ୍ଡା, କୋଟପାଡ଼, ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼, ନର୍ଲା, ଲାଞ୍ଜିଗଡ଼, ନୂଆପଡ଼ା, ଖରିଆର, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ଚିକିଟି, ପାରଳା ଖେମୁଣ୍ଡି ଏବଂ ମୋହନା।

H5. More Female Voters: ମହିଳାଙ୍କ ଭୋଟର ଗୁରୁତ୍ତ୍ୱପୂର୍ଣ୍ଣ
ସମୁଦାୟ ଭୋଟରଙ୍କ ଭିତରୁ ୩୦ ଲକ୍ଷ ୯୭ହଜାର, ୫୨୭ଜଣ ହେଉଛନ୍ତି ପୁରୁଷ ଭୋଟର। ମହିଳା ଭୋଟରଙ୍କ ସଂଖ୍ୟା, ୩୧ ଲକ୍ଷ ୮୯ ହଜାର ୬୦ ହୋଇଥିବା ବେଳେ ୬୩୫ଜଣ ହେଉଛନ୍ତି ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଅର୍ଥାତ୍‍ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ମତ ଏଠି ଅଧିକ ଗୁରୁତ୍ୱପୂର୍ଣ୍ଣ।

H6. PM to Campaign in Puri: ପୁରୀ ଆସିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ନିର୍ବାଚନ ପ୍ରଚାର ଲାଗି ଉଭୟ ବିଜେପି ଓ କଂଗ୍ରେସର ହେବି ଓ୍ୱେଟ୍‍ ତଥା ଷ୍ଟାର ପ୍ରଚାରକମାନେ ରାଜ୍ୟ ଗସ୍ତରେ ଆସୁଛନ୍ତି। ୧୫ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତ ସ୍ଥିର ହୋଇଥିବା ବେଳେ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହିଦିନ ରାଜ୍ୟ ଗସ୍ତ କରିବେ। ୧୪ ତାରିଖରେ ହିମନ୍ତ ବିଶ୍ୱଶର୍ମା ଏବଂ ୧୫ରେ ଦଳର ସଭାପତି ଜେପି ନଡ୍ଡା ରାଜ୍ୟ ଗସ୍ତରେ ଆସିବେ। ୨୦ ତାରିଖ ଦିନ ପୁରୀରେ ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୨୦ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫କୁ ହେବା ଲାଗି ସ୍ଥିର ହୋଇଛି। 

H7. Prafulla Majhi suspended: ନିଲମ୍ବିତ ହେଲେ ବିଜେଡ଼ି ବିଧାୟକ
ବିଜେଡିରୁ ନିଲମ୍ବିତ ହୋଇଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।

H8. Now DSPs to Head Cyber Police stations: ସାଇବର୍ ଥାନା ଦାୟିତ୍ବରେ ରହିବେ ଡିଏସ୍‌ପି ପାହ୍ୟାର ଅଧିକାରୀ
ରାଜ୍ୟରେ ୧୫ଟି ସାଇବର୍ ଥାନା ଦାୟିତ୍ବରେ ରହିବେ ଡିଏସ୍‌ପି ପାହ୍ୟାର ଅଧିକାରୀ। ପୂର୍ବରୁ ଯେଉଁ ଇନସ୍ପେକ୍ଟର୍‌ ପାହ୍ୟାର ଅଧିକାରୀଙ୍କୁ ଏହି ଥାନାର ଦାୟିତ୍ବରେ ରଖାଯାଇଥିଲା, ଏହା ବଦଳରେ ଡିଏସ୍‌ପି ପାହ୍ୟାର ଅଧିକାରୀ ଥାନାର ମୁଖିଆ ହେବେ। ସାଇବର୍ ମାମଲା କେବଳ ଇନସ୍ପେକ୍ଟର୍‌ ପାହ୍ୟାରୁ ଊର୍ଦ୍ଧ୍ବ ତଦନ୍ତ କରିବାର ନିୟମ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

H9. Rath Making in Puri: ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ଆଜି  ପୁରୀରେ ରଥ ନିର୍ମାଣର ତୃତୀୟ ଦିବସ। ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଲାଗି ମହାରାଣା ସେବକମାନେ କାର୍ଯ୍ୟ ଜୋରଦାର କରିଛନ୍ତି।  ତିନିରଥର ୬ ଗୋଟି ତୁମ୍ବର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି।  ସମୁଦାୟ ୪୨ଟି ତୁମ୍ବ ଆବଶ୍ୟକ ରହିଛି। ଏହା ତିନି ରଥର ୪୨ଗୋଟି ଚକ ନିର୍ମାଣ ପାଇଁ ପ୍ରମୁଖ ଭାବେ ଆବଶ୍ୟକ ହୋଇଥାଏ।  ତୁମ୍ଭ ପ୍ରସ୍ତୁତ ପରେ ସେଥିରେ ସୂତା ବାଡ଼ିଆ ଯାଇ ବିନ୍ଧ କରାଯିବ।ପରେ ଅର ଓ ପହି ସଂଯୋଗ କରି ଚକ ନିର୍ମାଣ ହେବ।

H10. China Tops again in India’s imports: ପୁଣି ଚୀନରୁ ବଢିଲା ଆମଦାନୀ
ଦୁଇବର୍ଷ ପରେ ପୁଣିଥରେ ଚୀନରୁ ଭାରତର ଆମଦାନୀ ବୃଦ୍ଧି ପାଇଛି। ୧୦୦ ବିଲିୟନ୍‍ ଡଲାରରୁ ଅଧିକ ଆମଦାନୀ ହେବାରୁ ଏହା ଆମେରିକାକୁ ପଛରେ ପକାଇଛି। ଗ୍ଲୋବାଲ୍‍ ଟ୍ରେଡ୍‍ ରିସର୍ଚ୍ଚ ଇନିସିଏଟିଭ୍‍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କରେ ଆମଦାନୀ ୩.୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରପ୍ତାନୀରେ ୮.୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୩ ରିପୋର୍ଟ ତୁଳନାରେ ୨୦୨୪ ବାଣିଜ୍ୟିକ କାରବାରକୁ ଲକ୍ଷ୍ୟ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।