Telangana Police: ଫୋନ୍-ଟ୍ୟାପିଂ ମାମଲା ପାଇଁ ବିବାଦରେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ
Advertisement
Article Detail0/zeeodisha/odisha2173866

Telangana Police: ଫୋନ୍-ଟ୍ୟାପିଂ ମାମଲା ପାଇଁ ବିବାଦରେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ

Telangana Police Intelligence Bureau: ରାଜ୍ୟରେ ହୋଇଥିବା ବହୁଚର୍ଚ୍ଚିତ ଫୋନ ଟ୍ୟାପିଂ ମାମଲାରେ ବିବାଦ ଘେରକୁ ଆସିଛି ରାଜ୍ୟ ପୋଲିସ ବାହିନୀର ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ।

 

Telangana Police: ଫୋନ୍-ଟ୍ୟାପିଂ ମାମଲା ପାଇଁ ବିବାଦରେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ

Telangana Phone Tapping Case: ୨୦୨୪ ନିର୍ବାଚନ ପୂର୍ବରୁ ଫୋନ୍-ଟ୍ୟାପିଂ ମାମଲାକୁ ନେଇ ସଗଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ପ୍ରଥମ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଆରଏସ ସରକାର ସମୟରେ ବିରୋଧି ଦଳର ନେତାଙ୍କ ଫୋନ ବେଆଇନ ଭାବେ ଟ୍ୟାପିଂ କରି ସଂଗୃହିତ ହୋଇଥିବା ଇଲେକ୍ଟ୍ରୋନିକ୍ ତଥ୍ୟ ପୁନର୍ବାର ସଂଗ୍ରହ କରାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରହିଥିବାର ଜଣାପଡ଼ିଛି। ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି।

ଫୋନ୍-ଟ୍ୟାପିଂ ମାମଲାରେ ଟି.ପ୍ରଭାକର ରାଓ ହାଇଦ୍ରାବାଦ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଇଥିଲା। କେବଳ ସେତିକି ନୁହେଁ ଏକ ତେଲୁଗୁ ଟିଭି ଚ୍ୟାନେଲ ଚଳାଉଥିବା ଶ୍ରବଣ ରାଓଙ୍କ ବାସଭବନରେ ମଧ୍ୟ ଚଢାଉ କରାଯାଇଛି। ଶ୍ରବଣ ରାଓ ମଧ୍ୟ ଦେଶ ବାହାରେ ରହିଥିବାର ବିଶ୍ୱାସ କରାଯାଉଛି। ଯିଏ ଏକ ସ୍ଥାନୀୟ ବିଦ୍ୟାଳୟ ପରିସରରେ ଇସ୍ରାଏଲ୍ ଠାରୁ ଆମଦାନୀ ହୋଇଥିବା ଫୋନ୍ ଟ୍ୟାପ୍ ଉପକରଣ ଏବଂ ସର୍ଭର ସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ଅନ୍ୟ ଜଣେ ପୋଲିସ୍ ଅଧିକାରୀ ରାଧା କିଶାନ୍ ରାଓ ଯିଏ ସହରର ଟାସ୍କଫୋର୍ସ୍ ଶାଖାରେ କାର୍ଯ୍ୟ କରୁଥିଲେ ତାଙ୍କୁ ମଧ୍ୟ ଫୋନ୍-ଟ୍ୟାପିଂ ମାମଲାରେ ଜଣେ ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଛି। ଏହି ମାମଲାରେ ଅନ୍ୟ କେତେକ ତେଲେଙ୍ଗାନା ପୋଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲିଛି।

ଫୋନ୍-ଟ୍ୟାପିଂ ମାମଲାରେ ୩ ଅତିରିକ୍ତ ଏସପି ଭୁଜାଙ୍ଗା ରାଓ ଏବଂ ଥିରୁପାଥାନା ଏବଂ ଡେପୁଟି ଏସପି ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଛି। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତ ସପ୍ତାହରେ ଗିରଫ ହୋଇଥିବା ଭୁଜଙ୍ଗା ରାଓ ଏବଂ ଥିରୁପାଥାନା ବେସରକାରୀ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଏବଂ ପ୍ରମାଣ ନଷ୍ଟ କରିଥିବାର ସ୍ୱୀକାର କରିଛନ୍ତି। ଚଳିତ ମାସ ଆରମ୍ଭରେ ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଥିଲା। ବେଆଇନ ଭାବେ ଅଜ୍ଞାତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହିତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ ସହ କମ୍ପ୍ୟୁଟର ସିଷ୍ଟମ ମଧ୍ୟରେ ସଂରକ୍ଷିତ ରହିଥିବା କିଛି ତଥ୍ୟ ନଷ୍ଟ କରିବା ଅଭିଯୋଗରେ ପ୍ରଣୀତ ରାଓ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଟି. ପ୍ରଭାକର ରାଓଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରମାଣ ନଷ୍ଟ କରାଯାଇଥିଲା। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସ ବିଆରଏସ ସରକାରକୁ ପରାସ୍ତ କରିବାର ଗୋଟିଏ ଦିନ ପରେ ସଂଗୃହିତ ହୋଇଥିବା ତଥ୍ୟକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ଅଭିଯୋଗ ହୋଇଛି। ପ୍ରାୟ ୧ ଲକ୍ଷ ଫୋନ ଟ୍ୟାପ୍ କରାଯାଇଥିବାର କୁହାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଅତି କମରେ ଆହୁରି ୩୦ ଜଣ ପୋଲିସ କର୍ମଚାରୀ ଯାଞ୍ଚ ପରିସରଭୂକ୍ତ ହୋଇପାରନ୍ତି। 

ଯେଉଁ ବ୍ୟକ୍ତିଙ୍କ ଫୋନ କଲ ଟ୍ୟାପ୍ ହେଉଥିଲା ସେମାନେ ହେଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେଭାନ୍ତ ରେଡ୍ଡୀ ଏବଂ ତାଙ୍କ ଦଳର ନେତା। ଏପିରିକି ବିରୋଧି ବିଜେପି ତଥା ପୂର୍ବରୁ ରାଜ୍ୟରେ କ୍ଷମତାସୀନ ରହିଥିବା ବିଆରଏସ ନେତାଙ୍କ ଫୋନ କଲ୍ ଟ୍ୟାପ୍ ହୋଇଥିଲା। କେବଳ ସେତିକି ନୁହେଁ ଅନେକ ବ୍ୟବସାୟୀ ତଥା ତେଲୁଗୁ ଅଭିନେତାଙ୍କ ଫୋନ କଲ ଉପରେ ମଧ୍ୟ ନଜର ରଖାଯାଉଥିଲା।  ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବ୍ଲାକମେଲ କରାଯାଇଥିବାର ଅଭିଯୋଗ ହୋଇଛି। 

ରାଜ୍ୟରେ ହୋଇଥିବା ଫୋନ୍-ଟ୍ୟାପିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶପଥ ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ। ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ରେଡ୍ଡୀ ତାଙ୍କୁ ବର୍ତ୍ତମାନର କାସିମ୍ ରିଜଭି ବୋଲି ନାମିତ କରିଛନ୍ତି। ଏନଡିଟିଭି ସହ କଥାବାର୍ତ୍ତା କରିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ଏବେ ଅଧିକ ଯାଞ୍ଚ ଚାଲିଛି। ଏହାର ସତ୍ୟାସତ୍ୟ ବାହାରକୁ ଆସିବା ବାକି ରହିଛି। ଆହୁରି ମଧ୍ୟ କୁହାଯାଉଛି ଜଣେ ବିଆରଏସ ନେତା ଫୋନ୍-ଟ୍ୟାପିଂ ମାମଲାରେ ସାମିଲ ରହିଥାଇ ପାରନ୍ତି। ତେଲେଙ୍ଗାନା ପୋଲିସ ଗୁଇନ୍ଦା ବ୍ୟୁରୋ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଉପରେ ନଜର ରଖିବା କଥା। ହେଲେ ଗୁଇନ୍ଦା ବ୍ୟୁରୋ ବିରୋଧି ରାଜନୈତିକ ଦଳର ନେତାଙ୍କ ଦ୍ୱାରା ହୋଇଥିବା କାରବାରର ବିବରଣୀ ସଂଗ୍ରହ କରୁଥିବା ଜଣାପଡି଼ଛି।