Top 10 News: ସଂକ୍ଷେପରେ ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ
Advertisement
Article Detail0/zeeodisha/odisha1936054

Top 10 News: ସଂକ୍ଷେପରେ ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ

Top 10 News: ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ନିକଟସ୍ଥ କୋଠଭାଲସା ରେଳ ଷ୍ଟେସନ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ହେତୁ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ବିଶାଖାପାଟଣାମରୁ ରାୟଗଡ଼ା ଯାଉଥିବା ଯାତ୍ରୀ ବାହୀ ଟ୍ରେନ ମେନ୍‍ ଟ୍ରାକ୍‍ରୁ ସାଇଡ୍‍ ଟ୍ରାକ୍ ବଦଳାଉଥିବା ବେଳେ ମେନ୍‍ ଟ୍ରାକରେ ଆସୁଥିବା ବିଶାଖା ପାଟଣାମ-ପଲାସା ଟ୍ରେନ୍‍ ପଛପଟୁ ଧକ୍କା ଦେଇଥିଲା। 

Top 10 News: ସଂକ୍ଷେପରେ ନଜର ପକାନ୍ତୁ ଆଜି ସକାଳର ୧୦ଟି ବଡ଼ ଖବର ଉପରେ

1.ଆନ୍ଧ୍ରରେ ରେଳ ଦୁର୍ଘଟଣା: ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ନିକଟସ୍ଥ କୋଠଭାଲସା ରେଳ ଷ୍ଟେସନ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ହେତୁ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ବିଶାଖାପାଟଣାମରୁ ରାୟଗଡ଼ା ଯାଉଥିବା ଯାତ୍ରୀ ବାହୀ ଟ୍ରେନ ମେନ୍‍ ଟ୍ରାକ୍‍ରୁ ସାଇଡ୍‍ ଟ୍ରାକ୍ ବଦଳାଉଥିବା ବେଳେ ମେନ୍‍ ଟ୍ରାକରେ ଆସୁଥିବା ବିଶାଖା ପାଟଣାମ-ପଲାସା ଟ୍ରେନ୍‍ ପଛପଟୁ ଧକ୍କା ଦେଇଥିଲା। ଏହାଦ୍ୱାରେ ବିଶାଖାପାଟଣାମ-ରାୟଗଡ଼ା ଟ୍ରେନର ପଛପଟୁ ତିନୋଟି ବଗି ଲାଇନ୍‍ ଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ଗତ କାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣା ଘଟିଛି।

2.ଉଦ୍ଧାର କାର୍ଯ୍ୟ ଜାରି: ବିଳମ୍ବିତ ରାତି ଯାଏ ଉଦ୍ଧାର ଓ ରେଳ ଲାଇନ୍‍ କ୍ଲିୟରାନ୍ସ କାମ ଜାରି ରହିଛି। ଆଜି ସନ୍ଧ୍ୟାସୁଦ୍ଧା ସମସ୍ତ ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଏହି ଦୁର୍ଘଟଣାକୁ ନଜରରେ ରଖି ଆଜି ୨୬ ଟ୍ରେନ୍‍ ବାତିଲ, ୧୧ ଆଂଶିକ ବାତିଲ୍‍ ରହିଛି। ୨୨ ଟ୍ରେନ୍‍ର ଗତିପଥ ବଦଳିଛି।  ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶାଖା ପାଟଣାମ-ପଲାସା ଟ୍ରେନ୍‍ର ଆଗପଟୁ ୧୧ଟି କୋଚକୁ ପରବର୍ତ୍ତୀ ଅଳମଣ୍ଡାର ଷ୍ଟେସନ୍  ଏବଂ ବିଶାଖାପାଟଣାମ୍‍ ରାୟଗଡ଼ା ଟ୍ରେନର ପଛପଟୁ ୯ଟି ବଗିକୁ ଟଣାଯାଇ ପୂର୍ବ କଣ୍ଟାକପାଲେ ଷ୍ଟେସନ୍‍ ପଠାଇ ଦିଆଯାଇଛି।

3.ରେଳବାଇ ପକ୍ଷରୁ କ୍ଷତିପୂରଣ: ସରକାରୀ ନିୟମ ମୁତାବକ ମୃତାହତଙ୍କ ପରିବାରବର୍ଗଙ୍କ ପାଇଁ ସରକାର ଧାର୍ଯ୍ୟ କ୍ଷତିପୂରଣ ପ୍ରଦାନ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨.୩୦ ଲକ୍ଷ ଏବଂ ସାମାନ୍ୟ ଆଘାତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ବଣ୍ଟନ କାର୍ଯ୍ୟ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଦେଶ ଦେଇଛନ୍ତି। ଅପରପକ୍ଷେ ଏହି ବଗିଗୁଡ଼ିକ ଅଣ-ସଂରକ୍ଷିତ ବଗି ହୋଇଥିବାରୁ ସମସ୍ତ ମୃତ ଯାତ୍ରୀଙ୍କ ପରିଚୟ ମିଳିବା ସମ୍ଭବପର ହୋଇପାରି ନାହିଁ।

4.ଭାରତର ନିରନ୍ତର ବିଜୟ: ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଗତକାଲି ଅନୁଷ୍ଠିତ ୨୯ତମ ମ୍ୟାଚରେ ୧୦୦ ରନ୍‍ରେ ଇଂଲଣ୍ଡକୁ ପରାସ୍ତ କରିଛି ଭାରତ। ଲକ୍ଷ୍ନୌର ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୨୯ ରନ୍‍ ସଂଗ୍ରହ କରିପାରିଥିଲା। ଏଥିରେ ୯ଟି ଓ୍ୱିକେଟ୍‍ ପତନ ହୋଇଥିଲା। ଜବାବରେ ମାତ୍ର ୩୪.୫ ଓଭରରେ ଇଂଲଣ୍ଡ ଟିମ୍‍ ୧୨୯ ରନ୍‍ କରି ଧରାଶାୟୀ ହୋଇଯାଇଥିଲା। ଭାରତର ଏହି ବିଜୟ ଫଳରେ ବିଶ୍ୱକପ୍‍ ପଏଣ୍ଟ ଟେବଲ୍‍ର ଶୀର୍ଷରେ ପହଞ୍ଚିଛି ଭାରତ। ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ। ଅପରପକ୍ଷେ ଇଂଲଣ୍ଡ ତାଲିକାର ସର୍ବନିମ୍ନ ସ୍ଥାନ ହାସଲ କରିଛି। 

5.ବିଶ୍ୱ ମିତବ୍ୟୟିତା ଦିବସ: ଆଜି ବିଶ୍ୱ ମିତବ୍ୟୟିତା ଦିବସ। ସଞ୍ଚୟ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିବା ତଥା ସଞ୍ଚଳ ବାବଦରେ ସଚେତନତା ସୃଷ୍ଟି ଏହି ଦିବସର ଲକ୍ଷ୍ୟ। ୧୯୨୪ ମସିହା ସଞ୍ଚୟ ବ୍ୟାଙ୍କ୍‍ କଂଗ୍ରେସ ପରଠାରୁ ଏହି ଦିବସ ପାଳନ କରାଯାଇ ଆସୁଛି।

6.ଆଜିଠୁ ଭିଜିଲାନ୍ସ ସପ୍ତାହ: ‘ଦୁର୍ନୀତିକୁ ନା ଦେଶ ପାଇଁ ପ୍ରତିବଦ୍ଧତା’ ବିଷୟକୁ ଆଧାର କରି ଆଜିଠାରୁ ଏବର୍ଷର ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହାର ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍‍ଘଟାନ କରିବା କାର୍ଯ୍ୟକ୍ରମ ରହିଛି। ଏଠାରେ ସେ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇବେ। ଭିଡିଓ କନ୍‍ଫରେନ୍ସ ଜରିଆରେ ବ୍ଲକ୍‍ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ।

7.ବନ୍ଦେ ସାଧାରଣ: ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ ପରେ ଭାରତୀୟ ରେଳବାଇ ବନ୍ଦେ ସାଧାରଣ ରେଳ ଚଳାଚଳ ଆରମ୍ଭ କରିବାକୁ ଯାଉଛି। ଏଥିରେ ସମସ୍ତ କୋଚ୍‍ ନନ୍‍ ଏସି ରହିବ। ଅର୍ଥାତ୍‍ କମ୍‍ ଦାମ ଆସନରେ ଶୀଘ୍ର ଯାତ୍ରା କରିବା ସହଜ ହେବ ବୋଲି ରେ;ଳବାଇ ଆଶା କରିଛି। ପ୍ରଥମ ପର୍ଯ୍ୟାୟରେ ୫ଟି ରୁଟ୍‍କୁ ରେଳବାଇ ମଞ୍ଜୁର କରିଛି। ସେଗୁଡ଼ିକ ହେଲା: ପାଟନାରୁ ନୂଆଦିଲ୍ଲୀ, ହାଓ୍ୱଡ଼ାରୁ ନୂଆଦିଲ୍ଲୀ, ହାଇଦ୍ରାବାଦରୁ ନୂଆଦିଲ୍ଲୀ, ମୁମ୍ବାଇରୁ ନୂଆଦିଲ୍ଲୀ ଏବଂ ଏର୍ଣ୍ଣକୁଲମରୁ ଗୌହାଟୀ।

8.କେରଳ ପ୍ରାର୍ଥନା ସଭାରେ ବିସ୍ଫୋରଣ: କେରଳର ଏର୍ଣ୍ଣାକୁଲମ ସହରର କାଲାମସେରୀଠାରେ ଏକ କନଭେନ୍ସନ୍ ସେଣ୍ଟରରେ ଆୟୋଜିତ ପ୍ରାର୍ଥନା ସଭାରେ ସିରିଜ୍‍ ବିସ୍ଫୋରଣ ଘଟିଛି। ଏଥିରେ ୨ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ଥାନାରେ ଆତ୍ମସମର୍ପଣ କରିଛି।

9.ଆଜିଠୁ ଥଣ୍ଡା କମିବ: ପୂର୍ବା ପବନ ଓ ମେଘୁଆ ଆକାଶ ଯୋଗୁ ଆଜିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇପାରେ। ଗତରାତିରେ ରାଜଧାନୀର ରାତ୍ରୀକାଳୀନ ତାପମାତ୍ରା ୨୦ ଡିଗ୍ରୀ ତଳକୁ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି।

10.କଂଗ୍ରେସର ସଂକିର୍ତ୍ତନ ଶୋଭାଯାତ୍ରା: ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଦାବିରେ  ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ୯ ତାରିଖରେ ସଂକିର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଖାଲି ପୁରୀ ନୁହେଁ ରାଜ୍ୟର ସମସ୍ତ ବ୍ଲକ୍‍ ଓ ଜିଲ୍ଲାସ୍ତରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ କଂଗ୍ରେସ କର୍ମୀମାନେ ପ୍ରଦ୍ୱୀପ ଜାଳି ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

Also Read: Shukra Gochar 2023 :ଏହି ଦିନ ରାଶି ବଦଳାଇବେ ଶୁକ୍ର, ଫିଟିବ ଏହି ୪ ରାଶିଙ୍କ ଭାଗ୍ୟ..