ମାଲକାନଗିରି: ଦିନକୁ ଦିନ ନକ୍ସଲଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସେମାନଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷାକର୍ମୀ ତେୟାର ରହିଛନ୍ତି। ଯାହାକୁ ନେଇ ନକ୍ସଲମୁକ୍ତ ଛତିଶଗଡ଼ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଚାଲିଥିବା ଏହି ଅପରେସନ୍‌ରେ ୧୧ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି। ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପାଖାପାଖି ୧୪ଶହ ଜବାନ ଏହି ଅପରେସନ୍‌ରେ ସାମିଲ ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ମାଲକାନଗିରି ଆବୁଝମାଡ଼ ଜଙ୍ଗଲ ନକ୍ସଲ ସୁରକ୍ଷିତ ଗଡ଼। ବଡ଼ ହିଂସା ପାଇଁ ଏଠାରେ ହିଁ ନକ୍ସଲ ଅଧିକାଂଶ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏହି ଗଡ଼କୁ ଭାଙ୍ଗି ନକ୍ସଲଙ୍କୁ ମୂଳପୋଛ କରିବାକୁ ସୁରକ୍ଷାକର୍ମୀ କିଛି ମାସ ହେଲା ପ୍ରସ୍ତୁତି ଆରମ୍ଭ କରିଥିଲେ। ଗତମାସ ୩୦ରେ ଅପରେସନ୍‌ ଆରମ୍ଭ ହୋଇଥିଲା। ବିଏସ୍‌ଏଫ୍‌, ଡିଆର୍‌ଜି, ଆଇଟିବିପି ଓ ଏସ୍‌ଟିଏଫ୍‌ ଯବାନ ପରସ୍ପର ସହ ସମନ୍ବୟ ରକ୍ଷା କରି ଜଙ୍ଗଲକୁ ଚାରିପଟୁ ଘେରି ଯାଇଥିଲେ। ସୁରକ୍ଷାର ବଳୟ ପ୍ରସ୍ତୁତ କରି ନକ୍ସଲଙ୍କ ଠିକଣାରେ ଗତକାଲି ଅପରାହ୍ନରେ ପହଞ୍ଚିଥିଲେ। ଫିଟିବା ପାଇଁ ସବୁ ରାସ୍ତା ବନ୍ଦ ହେବା ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିପାଇଁ ଯବାନ ପୂର୍ବରୁ ହିଁ ପ୍ରସ୍ତୁତ ରହିଥିବାରୁ ତୁରନ୍ତ ପାଲଟା ଆକ୍ରମଣ କରିଥିଲେ। ଜୋରଦାର ଗୁଳି ବିନିମୟରେ ୧୧ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। ତେବେ ଅପରେସନ ଜାରି ରହିଥିବା ସୂଚନା ମିଳିଛି।