ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହାକୁ ସ୍ନାନଯାତ୍ରା ବୋଲି ମଧ୍ୟ କୁହାଯାଏ। ଶ୍ରୀମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି। ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ମହାପ୍ରଭୁ ଅପରାହ୍ନରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନଦେବେ। ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ  ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଗତବର୍ଷ କୋରୋନା କଟକଣା ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତବର୍ଷ ସ୍ନାନବେଦିରେ କାଳିଆ ଠାକୁର ଦର୍ଶନ ଦେଇଛନ୍ତି। ମଙ୍ଗଳବାର ସକାଳ ତିନିଟାରେ ଡୋରିଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୪ଟାରୁ ଚତୁର୍ଦ୍ଧାମୁର୍ତ୍ତି ରତ୍ନ ସିଂହାସନ ଛାଡ଼ି ଧାଡି ପହଣ୍ଡିରେ ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି। ସ୍ନାନବେଦିରେ ଚକ୍ରରାଜ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ବିରାଜମାନ ହୋଇଛନ୍ତି।


Also Read: ଲମ୍ପଟ ସ୍ୱାମୀର ଅସଲ ମୁଖା ଖୋଲିଦେଲେ ଅନ୍ତସତ୍ତ୍ୱା ସ୍ତ୍ରୀ


ସ୍ନାନବେଦୀରେ ବଢ଼ିବ ମଙ୍ଗଳଆଳତୀ, ମଇଲମ, ତଡପଲାଗି ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ। ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି। ଛେରା ପହଁରା ପରେ ମଧ୍ୟାହ୍ନ ୧୨ଟା ୪୫ରୁ ମହାପ୍ରଭୁଙ୍କ ଗଜାନନ ବେଶରେ ଦର୍ଶନ ଦେବେ।  


ଅପରାହ୍ନ ସାଢେ ୩ଟା ୧୫ରେ ଗଜାନନ ବେଶ ଶେଷ ହେବ। ଏହା ପରେ ମହନ୍ତ ଶାଢୀବନ୍ଧା ଓ ଘଣ୍ଟଛତା ସକାଳଧୂପ ନୀତି ଅନୁଷ୍ଠିତ ହୋବ। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ ହେବ। ପରେ ରାତି ୧୦ଟାରେ ଗୋଟି ପହଣ୍ଡି ହୋଇ ଚତୁର୍ଦ୍ଧାମୁର୍ତ୍ତି ବାହୁଡିବେ। ରାତି ସାଢେ ଗୋଟାଓରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।  


Also Read: ଦାଦନ ଯାଇ ସୁରଟରେ ଜୀବନ ସହ ସଂଗ୍ରାମ କରୁଛନ୍ତି ନାରାୟଣ ସ୍ଵାଇଁ


ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୁର୍ତ୍ତି ସ୍ଥାପନା କରାଯାଏ। ତାପରେ ଏହି ଚତୁର୍ଦ୍ଧାମୁର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ିବେ। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।


ସେପଟେ ସ୍ନାନଯାତ୍ରା ଦିନଠାରୁ ଦଇତାପତିଙ୍କ ସେବା କାର୍ଯ୍ୟ ଆରମ୍ଭ ହୁଏ। ଏଥିପାଇଁ ସେମାନଙ୍କୁ କୋଠର କଣକଣା ମଧ୍ୟରେ ରହିବାକୁ ପଡେ। ମାସେ ଧରି ଦଇତାପତିଙ୍କ ପରିବାର ଶୁଦ୍ଧପୁତ ଜୀବନ ଅତିବାହିତ କରନ୍ତି। ଆଜିଠାରୁ ଦଇତାପତିଙ୍କ ଘରେ ଚୁଲି ଜଳେନାହିଁ। ଭୋଜନ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଚୁଲିର ବ୍ୟବସ୍ଥା କରାଯାଏ। ମହାପ୍ରଭୁଙ୍କ ସ୍ନାନ ଜଳରେ ପ୍ରଥମ ରୋଷେଇ ହୁଏ। ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚୁଟି, ନଖ କାଟିବା ବାରଣ। ନିଳାଦ୍ରିବିଜେ ପର୍ଯ୍ୟନ୍ତ ଘରକୁ କୁଣିଆ ଆସନ୍ତି ନାହିଁ କିମ୍ବା ଦଇତାପତିଙ୍କ ପରିବାରର କୌଣସି ସଦସ୍ୟ କାହା ଘରକୁ ଯାଆନ୍ତି ନାହିଁ କି ଖାଦ୍ୟ ଗ୍ରହଣ କରନ୍ତି ନାହିଁ।