Girl Died: ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଗଞ୍ଜାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ଜଣେ ନୀରିହ କୁନି ଝିଅର ଜୀବନହାନୀ ହୋଇଛି। ଘର କଣରେ ଖେଳୁଥିବା ବେଳେ ସାପଟି କୁନି ଝିଅଟିକୁ କାମୁଡ଼ି ଦେଇଥିଲା। ଫଳରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଗଂଜାବାହାଲ ଗାଁରେ । 


COMMERCIAL BREAK
SCROLL TO CONTINUE READING

ଘଟଣାଟି ଏହିପରି। ଏହି ଦୁଃଖଦ ଘଟଣା କ୍ରମେ ମୃତ୍ୟୁ ସତେ ଯେପରି କବାଟ କଣରେ ଛକି ରହିଥିଲା ଏହି କୁନି ଝିଅ ରୂପାକୁ। ଗତକାଲି ରାତି ପ୍ରାୟ ଆଠଟା ବେଳେ ଗଞ୍ଜାବାହାଲ ଗ୍ରାମର ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିଲା। ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ରହିଛି ମୃତ୍ୟୁ। କବାଟ କଣକୁ ଯାଇ ରୂପା ଏକ ଛୋଟ ସାପକୁ ଦେଖିଥିଲା। ଖେଳଣା ଭାବି ସାପକୁ ହାତରେ ଧରିବାକୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇଥିଲା ବିଷାକ୍ତ ସାପ। ପରିବାର ଲୋକେ ଜାଣିବା ପରେ ଛୋଟ ଝିଅକୁ ଖଡିଆଲ ହସପିଟାଲ ଏବଂ ପରେ କଣ୍ଟାବାଜିଂ ହସପିଟାଲକୁ ଆଣିଥିଲେ।


ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଅକୁ ବଲାଙ୍ଗିର ରେଫର କରିଥିଲେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ଆଜି ସକାଳୁ ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ଅସମୟରେ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଲିଯାଇଛି। ଶବ ବିବେଛଦ ପରେ ପରିବାର ଲୋକକୁଁ ହସ୍ତାନ୍ତର କଲା ବଲାଙ୍ଗୀର ପୋଲିସ।


ସେପଟେ ବନ୍ୟା କାରଣରୁ ବିଶାକ୍ତ ସାପ, କୀଟପତଙ୍ଗ ଘର ମଧ୍ୟକୁ ପଶି ଆସୁଥିବାର ନଜିର ରହିଛି। ନିକଟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରୁ ଏକାଧିକ ଅଜଗର ସାପ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଗତ ୧୨ ଦିନ ମଧ୍ୟରେ ଭୋଗରାଇରୁ ଉଦ୍ଧାର କରାଯାଇଛି ୪ଟି ବିରଳ ପ୍ରଜାତିର ଅଜଗର। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ। ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି କମିବା ପରେ ବିଭିନ୍ନ ବିଷଧର ସାପ ଦେଖିବାକୁ ମିଳିଥିଲା ବେଳେ ଏବେ ୭ ଫୁଟରୁ ଅଧିକ ୪ଟି ଅଜଗର ସାପ ଭୋଗରାଇ ଅଞ୍ଚଳରୁ ଉଦ୍ଧାର କରିଛି ବନ ବିଭାଗ। ଆଜି ଭୋଗରାଇ ବ୍ଲକ କୁମ୍ଭାରମୁଳି ପଞ୍ଚାୟତ ଅଧିନସ୍ଥ ବନ୍ଧମୁଣ୍ଡି ଗାଁରୁ ୧୦ ଫୁଟ୍ ଲମ୍ବର ଆଉ ଏକ ଅଜଗର ସାପକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କାଯାଇଛି । ଗ୍ରାମର ଆନୁଆ ଗିରିଙ୍କ ଜାଲରେ ଛନ୍ଦି ହୋଇଥିବା ସାପଟିକୁ ଦେଖିବାକୁ ମିଳିଥିଲା। 
 
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୮ ତାରିଖ ଦିନ ଶଙ୍ଖାରୀ ପଞ୍ଚାୟତର ନାଫରାଇ ଗ୍ରାମର ଗୋପାଳ ଦିଣ୍ଡାଙ୍କ ବାଡ଼ିରେ ଥିବା ଜାଲରୁ ୬ ଫୁଟର ଅଜଗର ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା। ଅଗଷ୍ଟ ୩୧ ତାରିଖ ଦିନ ନିମାତପୁର ପଞ୍ଚାୟତର କାଉବଣୀ ଗ୍ରାମର ଆଶୁତୋଷ ପଣ୍ଡାଙ୍କ ପୋଖରୀରେ ଥିବା ଜାଲରେ ୮ ଫୁଟର ଅଜଗର ଛନ୍ଦି ହେଇଥିଲା ବେଳେ ଗାଁ ଲୋକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଠିକ ତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୩୦ ତାରିଖ ଦିନ  କୁମ୍ଭାରମୂଳୀ ପଞ୍ଚାୟତର ହାଣ୍ଡିପଡା ଗ୍ରାମର ନାରାୟଣ ଜେନାଙ୍କ ଘର ଭିତରୁ ବିଳମ୍ବିତ ରାତିରେ ୯ ଫୁଟରୁ ଅଧିକ ଲମ୍ବର ଅଜଗରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ବନ ବିଭାଗକୁ ଖବର ଦିଆଯାଇଥିଲା। ତେବେ ଏଭଳି ପ୍ରଜାତିର ସାପ ଏହି ଅଞ୍ଚଳର ଖୁବ୍ କମ ଦେଖିବାକୁ ମିଳିଥାଏ। କିନ୍ତୁ ବନ୍ୟା ଛାଡିବା ପରେ ଗତ ୧୨ ଦିନ ମଧ୍ୟରେ ଏତେ ସଂଖ୍ୟାରେ ଅଜଗର ଉଦ୍ଧାର ହେବା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି।


ଅଧିକ ପଢନ୍ତୁ: ଯୁଆଡେ ଦେଖିଲେ ଅଜଗର, ଆଉ ଏକ ବିରାଟକାୟ ଅଜଗର ଉଦ୍ଧାର?